ଗୋପାଳପୁର ଆର୍ମୀ ଏଡି ସେଣ୍ଟରରେ ଅଗ୍ନିବୀରଙ୍କ ତାଲିମ ଆରମ୍ଭ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟ ଗୋଳାବନ୍ଧସ୍ଥିତ ଆର୍ମୀ ଏୟାର୍ ଡିଫେନ୍ସ (ଏଏଡି) ସେଣ୍ଟରରେ ଅଗ୍ନିପଥ ଯୋଜନା ଅନ୍ତର୍ଗତ ଅଗ୍ନିବୀର ବା ‘ଅଗ୍ନିଭର୍ସ’ମାନଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦେଶର ଅନ୍ୟାନ୍ୟ ସୈନିକ ପ୍ରଶିକ୍ଷଣ କେନ୍ଦ୍ର ଭଳି ଗୋପାଳପୁରର ସେନା ବାୟୁ ପ୍ରତିରକ୍ଷା କେନ୍ଦ୍ରରେ ଆରମ୍ଭ ହୋଇଛି ପ୍ରଥମ ଅଗ୍ନିବୀର ଦଳର ପ୍ରାଥମିକ ସାମରିକ ତାଲିମ। ଆର୍ମୀ ଏୟାର ଡିଫେନ୍ସର ୬୮୭ ‘ପାୟୋନିଅର୍ ଅଗ୍ନିଭର୍ସ’ଙ୍କ ଏହି ପ୍ରଥମ ପର୍ଯ୍ୟାୟରେ ୮ ସପ୍ତାହ ଧରି ପ୍ରଶିକ୍ଷଣ ବେଳେ ଜଣେ ସୈନିକକୁ ସେ ଆବଶ୍ୟକ କରୁଥିବା ପ୍ରାଥମିକ ରଣକୌଶଳ ତାଲିମ ଦିଆଯାଇ ମୌଳିକ ଜ୍ଞାନରେ ପ୍ରଶିକ୍ଷିତ କରାଯିବ। ଶାରୀରିକ ସ୍ତରରେ କଠିନ, ମାନସିକ ସ୍ତରରେ ସୁଦୃଢ଼ ଏବଂ ଅତ୍ୟଧିକ ଚ୍ୟାଲେଞ୍ଜିଂ ବାୟୁ ପ୍ରତିରକ୍ଷା ଦିଗରେ ପାରଦର୍ଶିତା ପ୍ରତିପାଦନ କ୍ଷେତ୍ରରେ ଯୋଗ୍ୟ ବା ଦକ୍ଷ ହେବା ପାଇଁ ଆବଶ୍ୟକ କୌଶଳ ଜ୍ଞାନ ଧାରଣ କରିବେ ଅଗ୍ନିବୀର। ପରବର୍ତ୍ତୀ ସମୟରେ ୧୪- ୨୪ ସପ୍ତାହ ପର୍ଯ୍ୟନ୍ତ ଆଗ୍ନିଭର୍ସ ପ୍ରାକ୍ ସାମରିକ ତାଲିମ ଦିଆଯିବ। ଏହି ପର୍ଯ୍ୟାୟରେ ସେମାନଙ୍କୁ ବୈଷୟିକ କ୍ଷେତ୍ରରେ ସୁଦୃଢ଼ କରିବାକୁ ସ୍ବତନ୍ତ୍ର ତାଲିମ ଦିଆଯିବ। ଅସ୍ତ୍ରଶସ୍ତ୍ର ଚାଳନା ଓ ସେନା ବାୟୁ ପ୍ରତିରକ୍ଷା ଦିଗରେ ସେବା ପ୍ରଦାନ କରିବାକୁ ପ୍ରସ୍ତୁତ ହେବେ ପ୍ରଶିକ୍ଷାର୍ଥୀ।

ଉଲ୍ଲେଖଯୋଗ୍ୟ ଯେ ଜୁନ୍ ୨୦୨୨ରେ ପ୍ରତିରକ୍ଷା ସଂସ୍କାରର ଏକ ଅଂଶ ଭାବରେ ଆଧୁନିକ ଯୁଦ୍ଧକ୍ଷେତ୍ରର ପାରଦର୍ଶିତା ପ୍ରତିପାଦନ ପାଇଁ ଯୋଗ୍ୟ ଯୁବଗୋଷ୍ଠୀଙ୍କ ଚୟନ ସକାଶେ ସରକାର ଅଗ୍ନିପଥ ଯୋଜନାକୁ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଘୋଷଣା କରିଥିଲେ। ଏହି ଯୋଜନା ଆମ ଦେଶର ଯୁବକମାନଙ୍କ ମଧ୍ୟରେ ଦେଶସେବା ତଥା ଦେଶରକ୍ଷା ନିମନ୍ତେ ପ୍ରତିରକ୍ଷା ବାହିନୀରେ ପ୍ରବେଶ ଦୃଷ୍ଟିରୁ ଏକ ବିରାଟ ସୁଯୋଗ ପଲଟିଛି। ଗତ କିଛି ମାସ ମଧ୍ୟରେ ୩୭ରୁ ଅଧିକ ସେନା ନିଯୁକ୍ତି କାର୍ଯ୍ୟାଳୟରୁ ଅଗ୍ନିବୀରଙ୍କ ବୃହତ ଯୋଗଦାନ ଘଟିଥିବାର ଜଣାଯାଇଛି।‌ ସବୁଠାରୁ ଆକର୍ଷଣୀୟ କଥା ହେଉଛି ଯେ ଆର୍ମି ଏଡି ସେଣ୍ଟରରେ ନାମ ଲେଖାଇଥିବା ପ୍ରଥମ ଅଗ୍ନିବୀର ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଜିଲ୍ଲା ଶ୍ରୀନଗରରୁ ଆସିଛନ୍ତି।

Comments are closed.