ମନ୍ଦିର ମାଳିନୀ ଭୁବନେଶ୍ୱରର ବୈତାଳମନ୍ଦିର

ବଇତାଳ ଦେଉଳ ବା ବୈତାଳ ଦେଉଳ ଓଡ଼ିଶାର ଭୁବନେଶ୍ୱରଠାରେ ଥିବା ୯ମ ଶତକରେ କଳିଙ୍ଗ ସ୍ଥାପତ୍ୟ। କଳାର ଖାଖରା ଶୈଳୀରେ ନିର୍ମିତ ଚାମୁଣ୍ଡା ଦେବୀଙ୍କ ମନ୍ଦିର । ମନ୍ଦିର ଶିଖରେ ତିନି ଗୋଟି ମୁଣ୍ଡି ବା ଚୂଳ ଥିବାରୁ ଏହାକୁ ତିନି ମୁଣ୍ଡିଆ ଦେଉଳ ଭାବେ ସାଧାରଣ ଲୋକେ ଡାକିଥାଆନ୍ତି । ଲୋକମତ ଅନୁସାରେ ଏହି ତିନି ଗୋଟି ମୁଣ୍ଡି ଚାମୁଣ୍ଡା ଦେବୀଙ୍କ ତିନିଗୋଟି ଶକ୍ତି- ମହା ସରସ୍ୱତୀ, ମହାଲକ୍ଷ୍ମୀ ଓ ମହାକାଳୀଙ୍କ ଉଦ୍ଦେଶ୍ୟ ରେ ରହିଛି ।

ବୈତାଳ ଦେଉଳର ମୁଖ୍ୟ ମନ୍ଦିର ଅର୍ଦ୍ଧ-ନଳାକାର ଯାହାର ଉପରିଭାଗ ଦକ୍ଷିଣ ଭାରତର ଗୋପୁରମ ମନ୍ଦିର ପରି ଖାକରା ଶୈଳୀରେ ତିଆରି । ଏହାର ଶିଖରରେ ଦକ୍ଷିଣ ଭାରତ ମନ୍ଦିର ସହ ସମାନତା ଦେଖାଯାଇଥାଏ । ଏହି ଦେଉଳଟି ଭୂଲମ୍ବ ଓ ଜଗମୋହନଟି ଚାରିକୋଣାକାର,ବୈତାଳ ଦେଉଳ ର ବାହାର କାନ୍ଥରେ ଶିବ, ଶକ୍ତି ରୂପରେ ପାର୍ବତୀ, ନାନାଦି ଶିକାର ଅଭିଯାନ, ବଣୁଆ ହାତୀ ଧରା ଓ ରତିକ୍ରୀଡାସକ୍ତ ଯୁଗଳ ଦମ୍ପତିଙ୍କ ମୂର୍ତ୍ତିମାନ ଦେଖିବାକୁ ମିଳିଥାଏ ।

ଜଗମୋହନ ଉପରେ ଦେଉଳର ଆଗ ପଟରେ ଦୁଇଜଣ ଚୈତ୍ୟଙ୍କର ଝରକା ରହିଛି – ତଳଟିରେ କାରୁକାର୍ଯ୍ୟକରା (ସୂର୍ଯ୍ୟ)ଙ୍କ ମୂର୍ତ୍ତି ରହିଛି, ଯାହା ଉଷା ଓ ପ୍ରତ୍ୟୁଷରେ ଆଲୋକ ବିତରଣ କରୁଥିବାର ପ୍ରତୀତ ହୁଏ ଓ ଆଗରେ ଅରୁଣ ସାତଟି ଘୋଡ଼ାଚାଳନା କରୁଥିବାର ମୂର୍ତ୍ତି ରହିଛି ।

ଚୈତ୍ୟ ଉପରେ ଥିବା ପିଣ୍ଡିରେ ଦଶଭୁଜ ନଟରାଜ ବା ନାଟ୍ୟମୁଦ୍ରାରେ ଶିବଙ୍କ ମୂର୍ତ୍ତି ରହିଛି । ସମତଳ ଛାତ ଥିବା ଜଗମୋହନକୁ ଦୁଇଗୋଟି ବୁଦ୍ଧ ସମ ପ୍ରତୀତ ହେଉଥିବା ମୂର୍ତ୍ତି ଧମ୍ମ-ଚକ-ପବତନ (ଧର୍ମ୍ମ-ଚକ୍ର-ପ୍ରବର୍ତ୍ତନ) ମୁଦ୍ରା ଏବଂ ଭୂମି-ସ୍ପର୍ଶ- ମୁଦ୍ରାରେ ଧରିରଖିଛନ୍ତି । ଏହି ମନ୍ଦିରରେ ତନ୍ତ୍ର ସାଧନା ସହ ସମ୍ବନ୍ଧିତ ମୂଳ ଦେଉଳରେ ଥିବା ଚାମୁଣ୍ଡା ବା କପାଳିନୀଙ୍କ ମୂର୍ତ୍ତି ଦେଖିବାକୁ ମିଳିଥାଏ ।

ଏଠାକାର ଅଧିଷ୍ଠାତ୍ରୀ ଦେବୀ, ଚାମୁଣ୍ଡା ବା ଚର୍ଚିକା ଏକ ବିଲୁଆ ଓ ପେଚାଙ୍କ ମଧ୍ୟରେ ଏକ ଶବ ଉପରେ ମୁଣ୍ଡ-ମାଳ-ହାର ପିନ୍ଧି ବସିଥିବାର ମୂର୍ତ୍ତି ଏଠାରେ ରହିଛି । ସେ କ୍ରମଶଃ ସାପ, ଧନୁ, ଢାଲ, ଖଣ୍ଡା, ତ୍ରିଶୂଳ, ବର୍ଛା ଓ ଏକ ଅସୁରର ଗଳାକୁ ବିଦ୍ଧ କରିଥିବା ଶକ୍ତି ଧରିଛନ୍ତି। ଏହି ମନ୍ଦିରର ବାତାୟନ ରେ ଚୈତ୍ୟ ସଦୃଶ ଭାସ୍କର୍ଯ୍ୟ ରହିଚି,ଯେଉଥିରେ ଶିବ ଏବଂ ପାର୍ବତୀଙ୍କର ସ୍ଥାପତ୍ୟ ରହିଛି । ଦେବୀ ଚାମୁଣ୍ଡା ନିଜର ଉଭୟ ପାର୍ଶ୍ୱରେ ଅନେକ ଭୈରବ ଏବଂ ଯୋଗିନିଙ୍କଦ୍ୱାରା ବେଷ୍ଟିତ ଏହା ଦେଉଳର ନିମ୍ନ ଭାଗରେ ଉତ୍କୀର୍ଣ୍ଣ ହୋଇଅଛି । ପୂର୍ବ ଭାଗରେ ଦେବୀଙ୍କ ସହମିଥୁନ ଭୈରବ ଦେବତାଙ୍କ ମୂର୍ତି ରହିଛି ।
ଉତ୍ତର କାନ୍ଥରେ ଉତ୍କୀର୍ଣ୍ଣ ଭସ୍କର୍ଯ୍ୟରେ ଦେବୀ କରାଳିନୀଙ୍କ ବିଗ୍ରହ ରହିଛି,ସେ ଏକ ହସ୍ତରେ ଅସୁରର ଛିନ୍ନ ମସ୍ତକ ଏବଂ ଅନ୍ୟ ହସ୍ତରେ ରକ୍ତ ପୂର୍ଣ୍ଣ କପାଳ ଧରଣ କରିଛନ୍ତି । ଅନ୍ୟ ଏକ ତ୍ରିପଦୀ ଉପର ପାତ୍ରରେ ଦୁଇଟି ମୁଣ୍ଡ ରହିଛି ଯାହା ଦେବୀ ଙ୍କୁ ନିବେଦନ କରାହୋଇଛି ,ଦକ୍ଷିଣପାର୍ଶ୍ୱରେ ଗୋଟିଏ ଶୃଗାଳ ଛିଡାହୋଇଛି, ଯେ କି ଉପରକୁ ଦେଖୁଅଛି ଓ ବାମପାର୍ଶ୍ୱରେ ଏକ ଯୋଗିନି ଧ୍ୟାନ ମୁଦ୍ରାରେ ଦେବୀଙ୍କୁ ଲୟ କରୁଛି।

ଏହି ଦେଉଳର ତାନ୍ତ୍ରିକ ଔପାସନର ପ୍ରମାଣ ଏହାର ଜଗମୋହନସ୍ଥ ବଳିପୀଠ ହରିକାଠ ବା ଯୁପସ୍ତମ୍ଭରୁ ଜାଣିହୁଏ। ସକାଳର ସୂର୍ଯ୍ୟ କିରଣ ଏହାର ଗର୍ଭ ଗୃହ ମଧ୍ୟରେ ପଡୁଥିଲେ ହେଁ ଅନ୍ୟ ସମୟରେ ଭିତରକୁ ଯିବାପାଇଁ କୃତ୍ରିମ ଆଲୋକର ସହାୟତା ଆବଶ୍ୟକ ହୋଇଥାଏ।

Comments are closed.