ବିଜନ କୁମାର ମହାପାତ୍ର
ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ବେଳକୁ ଅଲିମ୍ପିକ କ୍ରୀଡାର ଗୁରୁତ୍ୱ ବେଶ୍ ବଢିଯାଇଥିଲା । ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବାକୁ ଲାଗିଲା । ଅଧିକ ବ୍ୟବସ୍ଥିତ ଢଙ୍ଗରେ ଆୟୋଜିତ ହେବାକୁ ଲାଗିଲା ବିଶ୍ୱକ୍ରୀଡାର ଏହି ମହାକୁମ୍ଭ । ଆଜିର ଅଲିମ୍ପିକ୍ସ ବିଶେଷରେ ୧୯୫୨ରୁ ୧୯୮୦ ମସିହା କ୍ରୀଡା ଉପରେ ନଜର ପକାଇବା ।
୧୯୫୨- ହେଲସିଙ୍କି ଅଲିମ୍ପିକ୍ସ
ଶୀତଳ ଯୁଦ୍ଧ ମୁଣ୍ଡ ଟେକିଥିବା ବେଳେ ଆୟୋଜିତ ହୋଇଥିଲା ହେଲସିଙ୍କି ଅଲିମ୍ପିକ୍ସ । ୧୯୧୨ ପରେ ପ୍ରଥମ ଥର ପାଇଁ ସୋଭିଏତ ସଂଘ ଅଲିମ୍ପିକ୍ସରେ ଭାଗ ନେଇଥିଲା । ଜାପାନର ବି ପ୍ରତ୍ୟାବର୍ତ୍ତନ ହୋଇଥିଲା । ଦୁଇ ଜର୍ମାନୀ ମଧ୍ୟରୁ କେବଳ ପଶ୍ଚିମ ଜର୍ମାନୀକୁ ଭାଗ ନେବା ପାଇଁ ମିଳିଥିଲା ଅନୁମତି । ୬୯ଟି ଦେଶରୁ ପ୍ରାୟ ୫ ହଜାର ପ୍ରତିଯୋଗୀ ହେଲସିଙ୍କି ଅଲିମ୍ପିକ୍ସରେ ଭାଗ ନେଇଥିଲେ । ଚେକସ୍ଲୋଭାକିଆର ଧାବକ ଏମିଲି ଜାଟୋପେକ୍ ଥିଲେ ହେଲସିଙ୍କିର ସଫଳ କ୍ରୀଡାବିତଙ୍କ ମଧ୍ୟରୁ ଅନ୍ୟତମ । ୫ ହଜାର, ୧୦ ହଜାର ଓ ମାରାଥନ ଦୌଡରେ ସ୍ୱର୍ଣ୍ଣ ଜିତିଥିଲେ ଜାଟୋପେକ୍ ।
୧୯୫୬- ମେଲବୋର୍ଣ୍ଣ ଅଲିମ୍ପିକ୍ସ
ମେଲବୋର୍ଣ୍ଣ ଅଲିମ୍ପିକ୍ସ ଥିଲା ଦକ୍ଷିଣ ଗୋଲାର୍ଦ୍ଧରେ ଆୟୋଜିତ ପ୍ରଥମ ଅଲିମ୍ପିକ୍ସ । ତେଣୁ ଅଲିମ୍ପିକ ଆୟୋଜନ ନଭେମ୍ବର ଓ ଡିସେମ୍ବର ମାସରେ ହୋଇଥିଲା । ଦୂରତ୍ୱ ଓ ଦୁଇ ଆନ୍ତର୍ଜାତିକ ସଂକଟ ଯୋଗୁଁ ଏହି ଅଲିମ୍ପିକ୍ସରେ ପ୍ରତିଯୋଗୀଙ୍କ ସଂଖ୍ୟା କମ୍ ରହିଥିଲା । ୬୭ଟି ଦେଶରୁ ୩ ହଜାର ୫ ଶହରୁ କମ୍ ପ୍ରତିଯୋଗୀ ହିଁ ଭାଗ ନେଇଥିଲେ । ଇସ୍ରାଏଲକୁ ବିରୋଧ କରି ଇଜିପ୍ଟ, ଲେବାନନ ଓ ଇରାକ କ୍ରୀଡା ବର୍ଜନ କରିଥିଲେ । ହଙ୍ଗେରୀରେ ସୋଭିଏତ ସଂଘ ସେନାର ପ୍ରବେଶକୁ ବିରୋଧ କରି ନେଦରଲ୍ୟାଣ୍ଡସ,ସ୍ପେନ ଓ ସ୍ୱିଜରଲାଣ୍ଡ ମଧ୍ୟ ଏହି ଅଲିମ୍ପିକ୍ସ ବର୍ଜନ କରିଥିଲେ । ପ୍ରଥମ ଥର ପାଇଁ ପୂର୍ବ ଓ ପଶ୍ଚିମ ଜର୍ମାନୀ ମିଳିତ ଭାବେ ଅଲିମ୍ପିକ୍ସରେ ଭାଗ ନେଇଥିଲେ । ଅଷ୍ଟ୍ରେଲିଆର କଡା କ୍ୱାରେଂଟାଇନ ନିୟମ ଯୋଗୁଁ ଅଶ୍ୱ ଚାଳନା ପ୍ରତିଯୋଗିତା ସୂଦୂର ସ୍ୱିଡେନର ଷ୍ଟକହୋମରେ ସେହି ବର୍ଷ ଜୁନରେ ହିଁ ଆୟୋଜିତ ହୋଇଥିଲା । ଉଦଯାପନୀ ଉତ୍ସବରେ ସବୁ ଦେଶର ପ୍ରତିଯୋଗୀମାନେ ଅଲଗା ପରିବର୍ତ୍ତେ ଏକତ୍ର ମାର୍ଚ୍ଚ କରିବା ପରମ୍ପରା ଏହି ଅଲିମ୍ପିକ୍ସରୁ ଆରମ୍ଭ ହୋଇଥିଲା ।
୧୯୬୦ –ରୋମ ଅଲିମ୍ପିକ୍ସ
ପ୍ରଥମ ଅଲିମ୍ପିକ୍ସ ଭାବେ ରୋମ୍ ଅଲିମ୍ପିକ୍ସର ସଂପୂର୍ଣ୍ଣ ଟେଲିଭିଜନ ପ୍ରସାରଣ ହୋଇଥିଲା । ପ୍ରତ୍ୟେକ ଦିନ କ୍ରୀଡାର ରେକର୍ଡିଂ ଫୁଟେଜ ବିମାନ ଯୋଗେ ଆମେରିକାର ନ୍ୟୁୟର୍କକୁ ନିଆଯାଇ ସିବିଏସ ଟେଲିଭିନ ନେଟୱର୍କ ଜରିଆରେ ପ୍ରସାରଣ କରାଯାଉଥିଲା । ୟୁରୋପ ପାଇଁ ୟୁରୋଭିଜନ କ୍ରୀଡାର ସିଧାପ୍ରସାରଣ କରିଥିଲା । ୮୩ଟି ଦେଶରୁ ୫ ହଜାରରୁ ଅଧିକ ପ୍ରତିଯୋଗୀ ରୋମ୍ ଅଲିମ୍ପିକ୍ସରେ ଭାଗ ନେଇଥିଲେ । ଟ୍ରାକ୍ ଆଣ୍ଡ୍ ଫିଲ୍ଡ ପ୍ରତିଯୋଗିତାରେ ଇଥିଓପିଆର ଆବିବ୍ ବାଇକିଲା ମାରାଥନ ଦୌଡ ଜିତିଥିଲେ । ଏକ ଅଲିମ୍ପିକ ସ୍ୱର୍ଣ୍ଣ ପଦକହାସଲ କରିବାରେ ବାଇକିଲା ଥିଲେ ପ୍ରଥମ କୃଷ୍ଣକାୟ ଆଫ୍ରିକୀୟ । ଏହି ଅଲିମ୍ପିକ୍ସରୁ ପ୍ରଥମ ଥର ପାଇଁ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ ହିଁ ଭବିଷ୍ୟତର ମହାନ ବକ୍ସର କାସିୟସ କ୍ଲେ (ମହମ୍ମଦ ଅଲ୍ଲୀ ) । ଲାଇଟ ହେଭିୱେଟ୍ ଶ୍ରେଣୀରେ ଚାମ୍ପିଅନ ହୋଇଥିଲେ କାସିୟସ କ୍ଲେ ।
୧୯୬୪ –ଟୋକିଓ ଅଲିମ୍ପିକ୍ସ
ଟୋକିଓ ଅଲିମ୍ପିକ୍ସ ଥିଲା ଏସିଆ ମହାଦେଶର ପ୍ରଥମ ଅଲିମ୍ପିକ୍ସ । ଏହି ଅଲିମ୍ପିକ୍ସରେ ଉନ୍ନତମାନର ଟାଇମିଂ ଓ ସ୍କୋରିଂ ଟେକ୍ନୋଲୋଜି ଓ ପରିସଂଖ୍ୟନ ପାଇଁ ପ୍ରଥମ ଥର ଲାଗି କଂପ୍ୟୁଟର ବ୍ୟବହାର କରାଯାଇଥିଲା । ବର୍ଣ୍ଣବୈଷମ୍ୟ ନୀତି ଯୋଗୁଁ ବାସନ୍ଦ ହୋଇଥିବା ଦକ୍ଷିଣ ଆଫ୍ରିକା ଟୋକଓରେ ଭାଗ ନେଇ ନ ଥିଲା । ଭଲିବଲ ଓ ଜୁଡୋ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ସ୍ଥାନ ପାଇଲା । ପେଂଟାଥଲନ ଓ ୪୦୦ ମିଟର ଦୌଡ ମହିଳାଙ୍କ ପାଇଁ ବି ରଖାଗଲା । ୯୩ଟି ଦେଶରୁ ୫ ହଜାରରୁ ଅଧିକ ପ୍ରତିଯୋଗୀ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିଲେ । ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ୩୬ଟି ଇଭେଂଟ ମଧ୍ୟରୁ ୨୭ଟିରେ ନୂଆ ଅଲିମ୍ପିକ ରେକର୍ଡ ସୃଷ୍ଟି ହୋଇଥିଲା ।
୧୯୬୮ – ମେକ୍ସିକୋ ସିଟି
ମେକ୍ସିକୋରେ ରାଜନୈତିକ ଅଶାନ୍ତି ମଧ୍ୟରେ ଆୟୋଜିତ ହୋଇଥିଲା ଅଲିମ୍ପିକ୍ସ କ୍ରୀଡା । ଉଦଘାଟନୀ ଉତ୍ସବର ୧୦ଦିନ ପୂର୍ବରୁ ଛାତ୍ରମାନେ ମେକ୍ସିକୋ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସାମାଜିକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଅର୍ଥ ଅଲିମ୍ପିକ ଆୟୋଜନରେ ଖର୍ଚ୍ଚ କରାଯାଉଛି ବୋଲି ଅଭିଯୋଗ ହୋଇଥିଲା । ବିକ୍ଷୋଭକାରୀ ଛାତ୍ରଙ୍କ ଉପରେ ଗୁଳିଚାଳନା କରିଥିଲା ସେନା । ୨ ଶହ ପ୍ରାଣ ହରାଇଥିଲେ । ଆମେରିକାରେ କୃଷ୍ଣକାୟ ଲୋକଙ୍କ ପ୍ରତି ଅମାନବୀୟ ବ୍ୟବହାର ବିରୋଧରେ ଓ ନାଗରିକ ଅଧିକାର ସପକ୍ଷରେ ଆମେରିକାର ଦୁଇ କୃଷ୍ଣକାୟ ଧାବକ ପଦକ ବିତରଣ ସମାରୋହରେ ବ୍ଲାକ ସାଲ୍ୟୁଟ ଦେଇଥିଲେ । ଯାହା କି ବେଶ ଚର୍ଚ୍ଚାର ବିଷୟ ହୋଇଥିଲେ । ଏହା ଅଲିମ୍ପିକ ସଂହିତାର ବିରୁଦ୍ଧାଚରଣ କରିଥିବାରୁ ଆଥଲେଟ୍ ଟମି ସ୍ମିଥ ଓ ଜନ କାର୍ଲୋସଙ୍କୁ ବିତାଡିତ କରାଯାଇଥିଲା । ମେକ୍ସିକୋ ସିଟି ଅଲିମ୍ପିକ୍ସରେ ଭାଗ ନେଇଥିଲେ ୧୧୨ଟି ଦେଶର ୫ ହଜାର ୫୫୦ ପ୍ରତିଯୋଗୀ । ପ୍ରଥମ ଥର ପାଇଁ ପଶ୍ଚିମ ଜର୍ମାନୀ ଓ ପୂର୍ବ ଜର୍ମାନୀ ଦୁଇ ଅଲଗା ଦେଶ ଭାବେ ଭାଗ ନେଲେ । ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ଡ୍ରଗ ଟେଷ୍ଟ୍ ଏବଂ ମହିଳା ଲିଙ୍ଗ ତଦାରଖ ଆରମ୍ଭ ହୋଇଥିଲା । ଆମେରିକାର ବବ୍ ବିମନ ଲଙ୍ଗଜମ୍ପରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ ।
୧୯୭୨ – ମ୍ୟୁନିକ ଅଲିମ୍ପିକ୍ସ
କ୍ରୀଡାଗ୍ରାମରେ ଆତଙ୍କବାଦୀ ଆକ୍ରମଣ ଏବଂ ରକ୍ତପାତ ପାଇଁ ମନେ ରହିବ ୧୯୭୨ ମସିହାର ମ୍ୟୁନିକ ଅଲିମ୍ପିକ୍ସ । ୮ ପାଲେଷ୍ଟିନୀୟ ଆତଙ୍କବାଦୀ ସେପଟେମ୍ବର ୫ ତାରିଖରେ ଅଲିମ୍ପିକ କ୍ରୀଡାଗ୍ରାମରେ ପଶି ଦୁଇ ଇସ୍ରାଏଲୀ କ୍ରୀଡାବିତଙ୍କୁ ଟାର୍ଗେଟ କରିଥିଲେ । ଅନ୍ୟ ୯ ଜଣଙ୍କୁ ପଣବନ୍ଦୀ ରଖିଥିଲେ । ଇସ୍ରାଏଲରେ ବନ୍ଦୀ ଥିବା ୨୦୦ ପାଲେଷ୍ଟିନୀୟଙ୍କ ମୁକ୍ତି ଦାବି କରି ଏପରି କାଣ୍ଡ କରିଥିଲେ ଆତଙ୍କବାଦୀ । ଆଲୋଚନା ବିଫଳ ହେବା ପରେ ବନ୍ଧକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ହୋଇଥିଲା । କିନ୍ତୁ ଏହି ଉଦ୍ୟମ ବି ବିଫଳ ହୋଇଥିଲା । ସମସ୍ତ ଇସ୍ରାଏଲୀ ପଣବନ୍ଦୀ, ସେମାନଙ୍କୁ ବନ୍ଧକ ରଖିଥିବା ୫ ଆତଙ୍କବାଦୀ ଓ ଜଣେ ଜର୍ମାନୀ ପୋଲିସକର୍ମୀ ସଂଘର୍ଷରେ ନିହତ ହୋଇଥିଲେ । ସାରାବିଶ୍ୱକୁ ଦୋହଲାଇ ଦେଇଥିଲା ଏହି ଘଟଣା । ଦିନକ ପାଇଁ ଅଲିମ୍ପିକ କ୍ରୀଡାକୁ ବନ୍ଦ ରଖାଗଲା । ଏଥିରୁ ଶିକ୍ଷା ଲାଭ କରି ପରବର୍ତ୍ତୀ କ୍ରୀଡାଗୁଡିକରେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲା ଆଇଓସି । ମ୍ୟୁନିକ ଅଲିମ୍ପିକ୍ସରେ ୧୨୨ଟି ଦେଶରୁ ୭ ହଜାରରୁ ଅଧିକ କ୍ରୀଡାବିତ ଭାଗ ନେଇଥିଲେ । ଏହି ଅଲିମ୍ପିକ୍ସର ଷ୍ଟାର ଥିଲେ ଆମେରିକୀୟ ସନ୍ତରଣକାରୀ ମାର୍କ ସ୍ପିଜ୍ । ସନ୍ତରଣରେ ସେ ୭ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ୧୯୨୦ ମସିହା ପରେ ପ୍ରଥମ ଥର ପାଇଁ ତୀରନ୍ଦାଜୀ ଅଲିମ୍ପିକ୍ସକୁ ଫେରିଥିଲା । ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ହୋଇଥିଲା ପ୍ରତିଯୋଗିତା ।
୧୯୭୬- ମଂଟ୍ରିଲ ଅଲିମ୍ପିକ୍ସ
ଉଚ୍ଚକୋଟୀର ପ୍ରଦର୍ଶନ ଓ ୩୨ଟି ବିଶ୍ୱ ରେକର୍ଡ ସୃଷ୍ଟି ହୋଇଥିଲେ ମଧ୍ୟ ଏକାଧିକ ଭୁଲ୍ କାରଣରୁ ମଂଟ୍ରିଲ ଅଲିମ୍ପିକ୍ସ ମନେ ରହିଛି । ଏକାଧିକ ସମସ୍ୟା ସୃଷ୍ଟି ହୋଇଥିଲା, ଯାହା କି ଅଲିମ୍ପିକ ଆନ୍ଦୋଳନର ଭବିଷ୍ୟତ ପ୍ରତି ବଡ ପ୍ରଶ୍ନଚିହ୍ନ ଲଗାଇଥିଲା । ନ୍ୟୁଜିଲାଣ୍ଡକୁ ବ୍ୟାନ୍ କରିବା ପାଇଁ ଅନୁରୋଧକୁ ଆଇଓସି ଅଗ୍ରାହ୍ୟ କରିଥିବାରୁ ଆଫ୍ରିକାର ୨୬ଟି ଦେଶ ଏହି ଅଲିମ୍ପିକ୍ସକୁ ବର୍ଜନ କରିଥିଲେ । ନ୍ୟୁଜିଲାଣ୍ଡର ଏକ ରଗବୀ ଟିମ୍ ବର୍ଣ୍ଣବୈଷମ୍ୟବାଦୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବାରୁ ସେହି ଦେଶକୁ ଅଲିମ୍ପିକ୍ସରୁ ବ୍ୟାନ କରିବା ପାଇଁ ଆଫ୍ରିକୀୟ ଦେଶଗୁଡିକ ଦାବି କରିଥିଲେ । ପୂର୍ବ ଜର୍ମାନୀ ଓ ୟୁରୋପର ଅନ୍ୟ କିଛି ଦେଶର ପ୍ରତିଯୋଗୀଙ୍କ ବିରୋଧରେ ଶକ୍ତିବର୍ଦ୍ଧକ ନିଶାଔଷଧ ସେବନ ଅଭିଯୋଗ ଆସିଥିଲା । ଏହାଛଡା ବ୍ୟବସାୟୀକରଣ ପ୍ରଭାବ ଯୋଗୁଁ ଅଲିମ୍ପିକ୍ସର ଆମାଚର୍ ସ୍ପିରିଟ ପ୍ରତି ବଡ ପ୍ରଶ୍ନଚିହ୍ନ ଲାଗିଲା । ଆର୍ଥିକ ଦୃଷ୍ଟିରୁ ବି ସଫଳ ନ ଥିଲା ଅଲିମ୍ପିକ୍ସର ମଂଟ୍ରିଲ ସଂସ୍କରଣ । ଏହି ଅଲିମ୍ପିକ୍ସରେ ୯୨ଟି ଦେଶରୁ ୬ ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ରୋମାନିଆର ନାଦିଆ କୋମାନେସି ଥିଲେ ଅଲିମ୍ପିକ୍ସର ଷ୍ଟାର୍ କ୍ରୀଡାବିତ୍ । ଜିମ୍ନାଷ୍ଟିକ୍ସରେ ସେ ଜିତିଥିଲେ ତିନିଟି ସ୍ୱର୍ଣ୍ଣ ପଦକ । ୭ ଥର ସେ ପରଫେକ୍ଟ ଟେନ୍ ସ୍କୋର କରିଥିଲେ । ଏହି ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ମହିଳାମାନେ ବାସ୍କେଟବଲ ଓ ନୌଚାଳନାରେ ଭାଗ ନେଇଥିଲେ ।
୧୯୮୦- ମସ୍କୋ ଅଲିମ୍ପିକ୍ସ
ବିଶ୍ୱ ରାଜନୀତିରେ ଆମେରିକା ଓ ସୋଭିଏତ ସଂଘ ମଧ୍ୟରେ ଶୀତଳ ଯୁଦ୍ଧ ଚରମସୀମାରେ ଥିବା ବେଳେ ଆୟୋଜିତ ହୋଇଥିଲା ମସ୍କୋ ଅଲିମ୍ପିକ୍ସ । ବିଶ୍ୱ ରାଜନୀତିର ପ୍ରଭାବ ଏଥିରେ ପ୍ରତିଫଳିତ ହୋଇଥିଲା । ଆଫଗାନିସ୍ତାନରେ ସୋଭିଏତ ସଂଘ ସେନାର ପ୍ରବେଶକୁ ବିରୋଧ କରି ଆମେରିକା ଓ ଏହାର ସମର୍ଥିକ ୬୦ରୁ ଅଧିକ ଦେଶ ମସ୍କୋ ଅଲିମ୍ପିକ ବର୍ଜନ କରିଥିଲେ । ୮୧ଟି ଦେଶରୁ ୫ ହଜାର ପ୍ରତିଯୋଗୀ ମସ୍କୋ ଅଲିମ୍ପିକ୍ସରେ ଭାଗ ନେଇଥିଲେ । ଅଲିମ୍ପିକ୍ସର ବିଭିନ୍ନ ପ୍ରତିଯୋଗିତାରେ ମ୍ୟାଚ୍ ଅଫିସିଆଲଙ୍କ ବିରୋଧରେ ପକ୍ଷପାତ ଅଭିଯୋଗ ଆସିଥିଲା । ଦର୍ଶକଙ୍କ ବ୍ୟବହାର ମଧ୍ୟ ଭଲ ନ ଥିଲା । ପ୍ରତିଯୋଗିତାର ସ୍ତର ମଧ୍ୟ ଉଚ୍ଚକୋଟୀର ନ ଥିଲା । ଏହାର ଫାଇଦା ସୋଭିଏତ ସଂଘକୁ ମିଳିଥିଲା । ୮୦ଟି ସ୍ୱର୍ଣ୍ଣ ସହ ପ୍ରଥମ ସ୍ଥାନରେ ରହିଥିଲା ଆୟୋଜକ ଦେଶ । ଭାରତ ଶେଷ ଥର ପାଇଁ ଏହି ଅଲିମ୍ପିକ୍ସରେ ହକିରେ ସ୍ୱର୍ଣ୍ଣ ପଦକ ଜିତିଥିଲା ।
Comments are closed.