ସୁପ୍ରିମକୋର୍ଟ ଜଜ୍ ଙ୍କୁ ରାଜ୍ୟପାଳ କରାଯିବା ନେଇ କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ୍, ମନେ ପକେଇଦେଲା ଅରୁଣ ଜେଟଲୀଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ: ଅବସର ଗ୍ରହଣ କରିବାର ୬ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅବଦୁଲ୍ ନାଜିରଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେବା ନେଇ କଂଗ୍ରେସ ତୀବ୍ର ଆପତ୍ତି ଉଠାଇଛି। ଏଭଳି ନିଯୁକ୍ତି ବିରୋଧରେ ଦିବଂଗତ ବିଜେପି ନେତା ତଥା ପୂର୍ବତନ ଆଇନମନ୍ତ୍ରୀ ଅରୁଣ ଜେଟଲୀଙ୍କ ଏକ ମନ୍ତବ୍ୟର ଉଦାହରଣ ଦେଇ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । ଏପରି ନିଯୁକ୍ତି ନ୍ୟାୟପାଳିକାର ସ୍ବାଧୀନତା ପାଇଁ ଏକ ବଡ଼ ବିପଦ ବୋଲି କହିଛି କଂଗ୍ରେସ ।

ଅଯୋଧ୍ୟା ରାମ ଜନ୍ମଭୂମି ମାମଲା, ବିମୁଦ୍ରୀକରଣ ଏବଂ ଟ୍ରିପଲ ତଲାକ୍ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିବା ଜଷ୍ଟିସ ନାଜିର୍ ୬ ନବନିଯୁକ୍ତ ରାଜ୍ୟପାଳଙ୍କ ମଧ୍ୟରେ ଅନ୍ୟତମ ।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ୨୦୧୨ ମସିହାର ଏକ ଭିଡିଓ ଟ୍ୱିଟ୍ କରିଛନ୍ତି । ଏହି ଭିଡ଼ିଓରେ ଅରୁଣ ଜେଟଲୀ କହୁଛନ୍ତି, “ଅବସର ପୂର୍ବର ନିଷ୍ପତ୍ତିକୁ ପ୍ରଭାବିତ କରିଥାଏ ଅବସର ପରବର୍ତ୍ତୀ ନିଯୁକ୍ତି … ଏହା ନ୍ୟାୟପାଳିକାର ସ୍ୱାଧୀନତା ପାଇଁ ବିପଦ ।”

ଜୟରାମ ରମେଶ ଏହି ଭିଡିଓକୁ ଟ୍ୱିଟ୍ କରି କହିଛନ୍ତି ଯେ ଗତ ୩-୪ ବର୍ଷ ମଧ୍ୟରେ ଏହାର ଯଥେଷ୍ଟ ପ୍ରମାଣ ଅଛି।

କିନ୍ତୁ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ସ୍ପଷ୍ଟ କରିଥିଲେ ଯେ ତାଙ୍କ ଦଳ କୌଣସି ବ୍ୟକ୍ତି କିମ୍ବା ବ୍ୟକ୍ତି ବିଶେଷଙ୍କୁ ଆକ୍ଷେପ କରୁନାହିଁ ।

ସିଂଘଭି କହିଛନ୍ତି, “ବ୍ୟକ୍ତିଗତ ଭାବେ ତାଙ୍କ (ନାଜିର) ପ୍ରତି ମୋର ବହୁତ ସମ୍ମାନ ଅଛି। ମୁଁ ତାଙ୍କୁ ଜାଣେ, ଏହା ଆଦୌ ତାଙ୍କ ବିଷୟରେ ନୁହେଁ। ଆମେ ଏହାକୁ ନୀତିଗତ ଭାବରେ ବିରୋଧ କରୁଛୁ। ଏହା ନିରାଶାଜନକ ଏବଂ ଏହା ନ୍ୟାୟପାଳିକାର ସ୍ବାଧୀନତା ପାଇଁ ଏକ ବଡ଼ ବିପଦ । ”

ସିପିଏମ୍ ନେତା ତଥା ରାଜ୍ୟସଭା ସାଂସଦ ଏଏ ରହୀମ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ଏହା ଗଣତନ୍ତ୍ର ପାଇଁ କଳଙ୍କ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଜଷ୍ଟିସ ନାଜିର ଏହି ଅଫରକୁ ମନା କରିବା ଉଚିତ ଥିଲା ।

ଅପରପକ୍ଷରେ ବିରୋଧୀଙ୍କ ସମାଲୋଚନାର ଜବାବ ରଖିଛି ବିଜେପି । ବିଜେପି ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ବିରୋଧୀ ଦଳକୁ କଟାକ୍ଷ କରି କହିଛନ୍ତି – ରାଜ୍ୟପାଳ ଭାବେ ବିଚାରପତିଙ୍କ ନିଯୁକ୍ତି ପ୍ରଥମ ନୁହେଁ। ଏହା ପୂର୍ବରୁ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ପି ସଦାଶିବମ୍ ଏବଂ ପୂର୍ବତନ ଜଷ୍ଟିସ୍ ଏମ୍ ଫାତିମା ବିବିଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଜଷ୍ଟିସ୍ (ଅବସରପ୍ରାପ୍ତ) ନାଜିର୍ ନଭେମ୍ବର ୨୦୧୯ରେ ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ଶୁଣାଣି କରିଥିବା ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ପୀଠର ଅଂଶ ଥିଲେ । ଉକ୍ତ ଖଣ୍ଡପୀଠର ନିଷ୍ପତ୍ତି ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ଖୋଲିଥିଲା । ଏହାଛଡ଼ା ଏକ ଭିନ୍ନ ସ୍ଥାନରେ ମସଜିଦ ନିର୍ମାଣ କରିବାକୁ ସୁନି ୱାକଫ ବୋର୍ଡକୁ ପାଞ୍ଚ ଏକର ଜମି ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Comments are closed.