ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ‘ସର୍ଭେ’ ୬୦ ଘଣ୍ଟା ପରେ ଶେଷ

ନୂଆଦିଲ୍ଲୀ: ବିବିସି (ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍) କାର୍ଯ୍ୟାଳୟରେ ଆୟକର ବିଭାଗର ‘ସର୍ଭେ ଅପରେସନ୍’ ପ୍ରାୟ ୬୦ ଘଣ୍ଟା ପରେ ଗୁରୁବାର ବିଳମ୍ବିତ ରାତିରେ ଶେଷ ହୋଇଛି।

ଏହି ସମୟ ମଧ୍ୟରେ ଅଧିକାରୀମାନେ କିଛି କର୍ମଚାରୀଙ୍କ ଆର୍ଥିକ ଡାଟା ସଂଗ୍ରହ କରିଥିଲେ ଏବଂ ଏହି ସଂସ୍ଥାର ଇଲେକ୍ଟ୍ରୋନିକ୍ ଏବଂ କିଛି କାଗଜ ତଥ୍ୟର ନକଲ ତିଆରି କରିଥିଲେ |

ସୂତ୍ରରୁ ପ୍ରକାଶ ଯେ ଆୟକର ବିଭାଗ ସମ୍ଭାବ୍ୟ ଟିକସ ଚୋରି ଯାଞ୍ଚ୍ ପାଇଁ ଦିଲ୍ଲୀ ଏବଂ ମୁମ୍ବାଇର ବିବିସି କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧:୩୦ ସମୟରେ ‘ସର୍ଭେ ଅପରେସନ୍’ ଆରମ୍ଭ କରିଥିଲା ​​ଏବଂ ଏହା ଗୁରୁବାର ରାତି ୧୦ଟା ପରେ ଶେଷ ହୋଇଥିଲା।

ଅଧିକାରୀମାନେ କହିଛନ୍ତି ଯେ ଆୟକର ଅଧିକାରୀମାନେ ଉପଲବ୍ଧ ଷ୍ଟକ୍‌ର ଏକ ତାଲିକା ପ୍ରସ୍ତୁତ କରିଛନ୍ତି, କିଛି କର୍ମଚାରୀଙ୍କ ବୟାନ ରେକର୍ଡ କରିଛନ୍ତି ଏବଂ ସର୍ଭେ କାର୍ଯ୍ୟର ଏକ ଅଂଶ ଭାବରେ କିଛି ଦସ୍ତାବିଜ ଜବତ କରିଛନ୍ତି। ଏହି ସର୍ଭେ ପ୍ରାୟ ୫୭-୫୮ ଘଣ୍ଟା ଧରି ଚାଲିଥିବା କୁହାଯାଇଛି ।

କେନ୍ଦ୍ରୀୟ ଦିଲ୍ଲୀର କେଜି ମାର୍ଗରେ ଥିବା ବିବିସି କାର୍ଯ୍ୟାଳୟ ଛାଡିବା ସମୟରେ ଅଧିକାରୀମାନେ କିଛି ବ୍ୟାଗ୍ ନେଇଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ଆୟକର ସର୍ଭେ ଟିମ୍ ଆର୍ଥିକ କାରବାର, କମ୍ପାନୀ ସରଂଚନା ଏବଂ କମ୍ପାନୀର ଅନ୍ୟ ବିବରଣୀ ଉପରେ ଉତ୍ତର ମାଗିଥିଲେ । ଅନ୍ୟାନ୍ୟ ବିବରଣୀ ଏବଂ ପ୍ରମାଣ ସଂଗ୍ରହ ପାଇଁ ଇଲେକ୍ଟ୍ରୋନିକ୍ ଉପକରଣରୁ ଡାଟା କପି କରାଯାଇଛି ।

ବିବିସି ନ୍ୟୁଜ୍ ପ୍ରେସ ଦଳ ଏକ ବିବୃତ୍ତିରେ କହିଛି ଯେ ଆୟକର ଅଧିକାରୀମାନେ ଦିଲ୍ଲୀ ଏବଂ ମୁମ୍ବାଇର କାର୍ଯ୍ୟାଳୟରୁ ଚାଲି ଯାଇଛନ୍ତି । ଆମେ କର୍ତ୍ତୃପକ୍ଷଙ୍କ ସହ ସହଯୋଗ ଜାରି ରଖିବୁ ଏବଂ ଏ ବିଷୟର ଶୀଘ୍ର ସମାଧାନ ହେବ ବୋଲି ଆଶା କରୁଛୁ।

ଏଥିରେ କୁହାଯାଇଛି, ଆମେ ଆମର କର୍ମଚାରୀଙ୍କୁ ସମର୍ଥନ କରୁଛୁ । ସେମାନଙ୍କ ମଧ୍ୟରୁ କେତେଜଣ ଦୀର୍ଘ ସମୟ ଧରି ଜେରାର ସମ୍ମୁଖୀନ ହୋଇଥିଲେ ଓ ସେମାନଙ୍କୁ ରାତି ସାରା ରହିବାକୁ ପଡ଼ିଥିଲା । ସେମାନଙ୍କର ମଙ୍ଗଳ ଆମର ପ୍ରାଥମିକତା।

ବିବିସି କହିଛି ଯେ ଆମ କାର୍ଯ୍ୟ ସ୍ୱାଭାବିକ ସ୍ଥିତିକୁ ଆସିଛି ଏବଂ ଭାରତ ତଥା ବାହାରେ ଆମର ଦର୍ଶକଙ୍କ ସେବା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।

ବିବୃତ୍ତିରେ କୁହାଯାଇଛି ଯେ ବିବିସି ଏକ ବିଶ୍ୱସନୀୟ ସ୍ବାଧୀନ ଗଣମାଧ୍ୟମ ସଂସ୍ଥା ଏବଂ ଆମେ ଆମର ସହକର୍ମୀ ଏବଂ ସାମ୍ବାଦିକଙ୍କ ସହ ଛିଡା ହୋଇଛୁ, ଯେଉଁମାନେ ବିନା ଭୟ ଓ ଅନୁଗ୍ରହରେ ସେମାନଙ୍କ କାର୍ଯ୍ୟ ଜାରି ରଖିବେ।

ବିରୋଧୀ ଦଳ ବିବିସି ଉପରେ ଆୟକର ବିଭାଗର ଚଢ଼ାଉକୁ ନିନ୍ଦା କରି ଏହାକୁ ରାଜନୈତିକ ଆକ୍ରୋଶ ବୋଲି କହିଛନ୍ତି।

ବିବିସି ଦୁଇ ଭାଗ ବିଶିଷ୍ଟ ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ମୋଦୀ କ୍ବେଶ୍ଚିନ୍’ର’ ପ୍ରସାରଣ କରିବାର କିଛି ସପ୍ତାହ ପରେ ଏହି ନ୍ୟୁଜ୍ ସଂସ୍ଥା ଉପରେ ଅଚାନକ ଆୟକର ରେଡ୍ ହୋଇଥିଲା । ବିବିସି ଉପରେ ଆୟକର ‘ସର୍ଭେ’ ନେଇ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଥିଲା। ଏହି ଚଢ଼ାଉର ଟାଇମିଂ ନେଇ ବିରୋଧୀଦଳ ପ୍ରଶ୍ନ ଉଠାଇଥିବା ବେଳେ ବିଜେପି ବିବିସିକୁ ଭାରତ ବିରୋଧରେ ବିଦ୍ୱେଷ ମୂଳକ ରିପୋର୍ଟିଂ କରୁଥିବା ଅଭିଯୋଗ କରିଥିଲା ।

ଏହି ‘ସର୍ଭେ’ ଉପରେ ଆୟକର ବିଭାଗ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନାହିଁ।

ଦିଲ୍ଲୀର ବିବିସି କର୍ମଚାରୀ କହିଛନ୍ତି ଯେ ସେମାନେ ପୂର୍ବପରି ଖବର ପ୍ରସାରଣ କରୁଛନ୍ତି।

‘ସର୍ଭେ ଅପରେସନ୍’ ଅଧୀନରେ ଆୟକର ବିଭାଗ କେବଳ କମ୍ପାନୀର ବ୍ୟବସାୟ ପରିସର ଯାଞ୍ଚ କରେ ଏବଂ ଏହାର ପ୍ରମୋଟର କିମ୍ବା ନିର୍ଦ୍ଦେଶକଙ୍କ ବାସସ୍ଥାନ ଏବଂ ଅନ୍ୟାନ୍ୟ ସ୍ଥାନ ଉପରେ ଚଢାଉ କରେ ନାହିଁ।

ବିବାଦୀୟ ଡକ୍ୟୁମେଣ୍ଟାରୀ ପରେ ଭାରତରେ ବିବିସି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାକୁ ସୁପ୍ରିମକୋର୍ଟ ଗତ ସପ୍ତାହରେ ଏକ ଆବେଦନ ଖାରଜ କରିଦେଇଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଡକ୍ୟୁମେଣ୍ଟାରୀ ଲିଙ୍କ୍ ବ୍ଲକ୍ କରିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକାଧିକ ଆବେଦନ ଏପ୍ରିଲରେ ଶୁଣାଣି ହେବ। ଜାନୁଆରୀ ୨୧ରେ ଡକ୍ୟୁମେଣ୍ଟାରୀ ଲିଙ୍କ୍ ଥିବା ଅନେକ ୟୁଟ୍ୟୁବ୍ ଭିଡିଓ ଏବଂ ଟ୍ୱିଟର ପୋଷ୍ଟକୁ ବ୍ଲକ୍ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ।

Comments are closed.