ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତିଙ୍କ ପ୍ୟାନେଲ କରିବ ନିର୍ବାଚନ କମିଶନଙ୍କ ନିଯୁକ୍ତି

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । ଏଣିକି ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା ଏବଂ ପ୍ରଧାନ ବିଚାରପତି ଏକ ପ୍ୟାନେଲ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରିବେ। ବର୍ତ୍ତମାନ ପ୍ରଚଳିତ ପ୍ରକ୍ରିୟା ଉଚ୍ଛେଦ ହେବ । ଗଣତନ୍ତ୍ର ଓ ନିର୍ବାଚନ ପ୍ରକ୍ରିୟାର ଶୁଦ୍ଧତା ବଜାୟ ରଖିବା ପାଇଁ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତିି ।

ପାଞ୍ଚ ଜଣ ବିଚାରପତିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ଖଣ୍ଡପୀଠ ସର୍ବସମ୍ମତିକ୍ରମେ ଏହି ରାୟ ଦେଇଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ୍ କେ.ଏମ ଜୋସେଫ, ଜଷ୍ଟିସ ଅଜୟ ରସ୍ତୋଗି, ଅନିରୁଦ୍ଧ ବୋଷ, ହୃଷୀକେଶ ରୟ ଏବଂ ସିଟି ରବିକୁମାର ରହିଛନ୍ତି। ବାସ୍ତବରେ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତିରେ ନିରପେକ୍ଷ ଏବଂ ସ୍ୱଚ୍ଛତା ଦାବି କରି ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଥିଲା । ଏହାର ଶୁଣାଣି କରି କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ଏହି ମାମଲାରେ ଗତ ଶୁଣାଣି ସମୟରେ ସୁପ୍ରିମକୋର୍ଟ ସିଇସି ଏବଂ ଇସିଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ପ୍ରସଙ୍ଗରେ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଫାଇଲ କେନ୍ଦ୍ରକୁ ମାଗିଥିଲେ କୋର୍ଟ। କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ନିଯୁକ୍ତି ସଂକ୍ରାନ୍ତ ମୂଳ ଫାଇଲ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ ।

ସୁପ୍ରିମକୋର୍ଟ ଫାଇଲ ଯାଞ୍ଚ୍ କରିବା ପରେ ଅରୁଣ ଗୋୟଲଙ୍କ ନିଯୁକ୍ତି ବିଜୁଳି ବେଗରେ କରାଯାଇଛି ବୋଲି କହିଥିଲେ ।

Comments are closed.