ଯମୁନା କନ୍ଧୁଣି ହାଇସ୍କୁଲର ରୌପ୍ୟ ଜୟନ୍ତୀ ପାଳନ

ବରଗଡ଼ : ବରଗଡ଼ ଜିଲ୍ଲା ପାଇକମାଳ ସ୍ଥିତ ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ସମାରୋହରେ ଯୋଗ ଦେଇଥିଲେ। ପ୍ରଥମେ ସେ ଭଗବାନ ଶ୍ରୀ ଶ୍ରୀ ନୃସିଂହନାଥଙ୍କ ଫଟୋଚିତ୍ରରେ ପୁଜାର୍ଚ୍ଚନା କରିଥିଲେ। ସ୍ବାଗତ ସଙ୍ଗୀତ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ରାଜ୍ୟପାଳ ରାମାୟଣ, ମହାଭାରତରୁ ଅନେକ ଶିକ୍ଷଣୀୟ, ଉପାଦେୟ କଥା ଉପସ୍ଥିତ ଛାତ୍ରୀଙ୍କୁ କହିଥିଲେ। ଭାରତର ଝିଅ ଦୁନିଆଁର ସବୁକିଛି କରିପାରିବ ବୋଲି ସେ କହିବା ସହିତ ‘ହମ୍‌ ଭାରତ ମାତା କି ବେଟି ହେ ହମ୍‌ କିସୀ କୋ ନହିଁ ଡରେଁଙ୍ଗେ, ହମ ସବ କୁଛ କରେଁଙ୍ଗେ’ ବୋଲି କହିଥିଲେ।

ଏହି ଅବସରରେ ସ୍ଥାନୀୟ କସ୍ତୁରବା ଗାନ୍ଧୀ ମାତୃନିକେତନର ବର୍ଷିଆନ ସମାଜସେବୀ ନିରୁପମା ମହାପାତ୍ରଙ୍କୁ ରାଜ୍ୟପାଳ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟତମ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଝରୀ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂ, ସମିତିସଭ୍ୟା ନିରୁପମା ନାଗ, ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା, କମିଟି ସଭାପତି ସସ୍ମିତା ମେହେରଙ୍କ ସହ ସମସ୍ତ ଛାତ୍ରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

Comments are closed.