ରାଜସ୍ଥାନ ରୟାଲ୍ସକୁ ୭ ରନରେ ହରାଇଲା ଆରସିବି

ବେଙ୍ଗାଲୁରୁ: ଗ୍ଲେନ୍ ମ୍ୟାକ୍ସୱେଲ ଓ ଫାଫ୍ ଡୁ’ପ୍ଲେସିସଙ୍କ ଶତକୀୟ ଭାଗିଦାରୀ ସହାୟତାରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏଠାରେ ରବିବାର ଖେଳାଯାଇଥିବା ଆଇପିଏଲର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ରନରେ ହରାଇଛି ।

ମ୍ୟାକ୍ସୱେଲ ଓ ଡୁ’ପ୍ଲେସିସଙ୍କ ବିସ୍ଫୋରକ ପାଳି ବଳରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୯ ରନ୍ କରିଥିଲା । ଏହାର ଜବାବରେ ରାଜସ୍ଥାନ ରୟାଲ୍ସ ୬ ୱିକେଟରେ ୧୮୨ ରନ୍ କରିବାକୁ ସମର୍ଥ ହୋଇଥିଲା ।

କାମଚଳା ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଆରସିବି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ଟୁର୍ଣ୍ଣାମେଣ୍ଟରେ ଏଯାବତ ୭ଟି ମ୍ୟାଚରେ ଆରସିବିର ଏହା ମୋଟ ଚତୁର୍ଥ ବିଜୟ । ଏଥିସହ ଦଳ ଟେବୁଲ ଟପର ରାଜସ୍ଥାନ ରୟାଲ୍ସ ସହ ପଏଣ୍ଟ ସଂଖ୍ୟା (୮)ରେ ସମକକ୍ଷ ହୋଇଛି । ଅନ୍ୟପକ୍ଷେ ରାଜସ୍ଥାନର ଏହା ଲଗାତାର ଦ୍ୱିତୀୟ ପରାଜୟ । ତେବେ ସଦ୍ୟତମ ପରାଜୟ ସତ୍ତ୍ୱେ ରାଜସ୍ଥାନ ଉନ୍ନତ ରନ୍ ରେଟ୍ ଯୋଗୁଁ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଆରସିବି ପଞ୍ଚମ ସ୍ଥାନରେ ରହିଛି ।

୧୯୦ ରନର ବିଜୟଲକ୍ଷ୍ୟ ଜବାବରେ ରାଜସ୍ଥାନକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା । ଫର୍ମରେ ଥିବା ଓପନର ଜୋସ୍ ବଟଲର(୦)ଙ୍କୁ ପ୍ରଥମ ଓଭରରେ ହିଁ କ୍ଲିନ୍ ବୋଲ୍ଡ କରି ମହମ୍ମଦ ସିରାଜ ଆରସିବିକୁ ବଡ଼ ସଫଳତା ଦେଇଥିଲେ । ହେଲେ ଯଶସ୍ୱୀ ଜୈସୱାଲ ଓ ଦେବଦତ୍ତ ପାଡିକ୍କଲ ୯୮ ରନର ଭାଗିଦାରୀ ସହ ରାଜସ୍ଥାନ ଆଶା ଉଜ୍ଜୀବିତ କରିଥିଲେ । ଦୁହେଁ ସକାରାତ୍ମକ ପ୍ରଦର୍ଶନ କରି ଦଳକୁ ଟ୍ରାକରେ ରଖିଥିଲେ । ହେଲେ ଏହି ଯୋଡ଼ି ଭାଙ୍ଗିବା ପରେ ରାଜସ୍ଥାନ ଦିଗହରା ହୋଇଯାଇଥିଲା ।

ପାଡିକ୍କଲଙ୍କୁ ଆଉଟ୍ କରି ଡେଭିଡ୍ ୱିଲି ଆରସିବିକୁ ବହୁ ପ୍ରତୀକ୍ଷିତ ସଫଳତା ଦେଇଥିଲେ । ପାଡିକ୍କଲ ମାତ୍ର ୩୪ ବଲରେ ୭ଟି ଚୌକା ଓ ଗୋଟିଏ ଛକା ସହ ୫୨ ରନ୍ କରିଥିଲେ । ଦୁଇ ଓଭର ପରେ ଜୈସୱାଲଙ୍କୁ ପ୍ୟାଭିଲିୟନ ଫେରାଇଥିଲେ ହର୍ଷଲ ପଟେଲ । ଜୈସୱାଲ ୩୭ ବଲରେ ୫ଟି ଚୌକା ଓ ୨ଟି ଛକା ସହ ୪୭ ରନ୍ କରି ଆଉଟ୍ ହୋଇଥିଲେ ।

ପାଡିକ୍କଲ ଓ ଜୈସୱାଲ ଆଉଟ୍ ହେବା ପରେ ଆରସିବି ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା । ରାଜସ୍ଥାନ ସଞ୍ଜୁ ସାମସନ ୧୫ ବଲରୁ ଦ୍ରୁତ ୨୨ ରନ୍ କର ପଟେଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ସିମ୍ରନ ହେଟମାୟର (୩) ରନ୍ ଆଉଟ୍ ହେବା ପରେ ଦଳ ଉପର ଚାପ ବଢିଥିଲା । ତଥାପି ଧ୍ରୁବ ଜୋରେଲ୍ ଓ ରବିଚନ୍ଦ୍ରନ ଅଶ୍ୱିନ ଲଢେଇ ଜାରି ରଖି ମ୍ୟାଚକୁ ଶେଷ ଓଭର ଯାଏଁ ନେଇଥିଲେ । ଶେଷ ଓଭରରେ ରାଜସ୍ଥାନକୁ ବିଜୟ ପାଇଁ ୨୦ ରନ୍ ଆବଶ୍ୟକ ହେଉଥିଲା । ହେଲେ ହର୍ଷଲ ପଟେଲ ଏହି ଓଭରରେ ଅଶ୍ୱିନଙ୍କ ୱିକେଟ୍ ନେବା ସହ ମାତ୍ର ୧୨ ରନ୍ ଦେଇ ଆରସିବିର ବିଜୟ ନିଶ୍ଚିତ କରିଥିଲେ । ଅଶ୍ୱିନ ୬ଟି ବଲରେ ୧୨ ରନ୍ କରିଥିଲେ । ଜୋରେଲ୍ ୧୬ଟି ବଲରେ ୩୪ ରନ୍ କରି ଅପରାଜିତ ରହିଥିଲେ ।

ଆରସିବି ତରଫରୁ ହର୍ଷଲ ପଟେଲ ସଫଳ ବୋଲର ଭାବେ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ୱିଲି ଓ ସିରାଜ୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।

ରାଜସ୍ଥାନ ଟସ୍ ଜିତି ବୋଲିଂ କରିବା ପରେ ବୋଲ୍ଟ ପ୍ରଥମ ବଲରେ ବେଙ୍ଗାଲୁରୁର କାମଚଳା ଅଧିନାୟକ ବିରାଟ କୋହଲି (୦) ଏବଂ ତୃତୀୟ ଓଭରରେ ଶାହାବାଜ ଅହମ୍ମଦ (୨)ଙ୍କୁ ଆଉଟ୍ କରି ନିଜ ଦଳକୁ ଭଲ ଆରମ୍ଭ ଦେଇଥିଲେ।

ତେବେ ପ୍ରାରମ୍ଭିକ ଡବଲ୍ ଝଟକା ଡୁ ପ୍ଲେସିସ୍ ଓ ମ୍ୟାକ୍ସୱେଲଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା ଏବଂ ଉଭୟ ନିର୍ଭୟରେ ବ୍ୟାଟିଂ କରି ଚୌକା ଓ ଛକା ବର୍ଷା କରିଥିଲେ । ମ୍ୟାକ୍ସୱେଲ ଓ ଡୁପ୍ଲେସିସ ବିସ୍ଫୋରକ ବ୍ୟାଟିଂ ସହ ତୃତୀୟ ୱିକେଟ୍ ପାଇଁ ୬୬ଟି ବଲରେ ୧୨୭ ରନ୍ ଯୋଡ଼ିଥିଲେ ।

ଆକ୍ରମଣାତ୍ମକ ପ୍ରଦର୍ଶନ ସହ ମ୍ୟାକ୍ସୱେଲ ୪୪ ବଲରେ ୬ଟି ଚୌକା ଓ ୪ଟି ଛକା ସହ ୭୭ ରନ୍ କରିଥିଲେ । ଡୁପ୍ଲେସିସ୍ ତାଙ୍କୁ ଉପଯୁକ୍ତ ସମର୍ଥନ ସହ ୩୯ ବଲରେ ୮ ଚୌକା ଏବଂ ଦୁଇଟି ଛକା ସହ ୬୨ ରନ୍ କରିଥିଲେ ।

ଡୁ ପ୍ଲେସିସ୍ ଦ୍ୱିତୀୟ ଓଭରରେ ସନ୍ଦୀପଙ୍କ ବିପକ୍ଷରେ ଦୁଇଟି ଚୌକା ମାରି ଚତୁର୍ଥ ଓଭରରେ ଏହି ବୋଲରଙ୍କ ବିପକ୍ଷରେ ଦୁଇଟି ଚମତ୍କାର ଛକା ମାରିଥିଲେ। ଅନ୍ୟପକ୍ଷରେ ମ୍ୟାକ୍ସୱେଲ ତୃତୀୟ ଏବଂ ପଞ୍ଚମ ଓଭରରେ ବୋଲ୍ଟଙ୍କ ବିରୋଧରେ ଚାରିଟି ଚୌକା ମାରିଥିଲେ। ସେ ଅଶ୍ୱିନଙ୍କ ବିପକ୍ଷରେ ଚୌକା ଓ ଛକା ମାରିଥିଲେ । ଯାହା ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପାୱାର ପ୍ଲେରେ ୬୨ ରନ୍ ଉଠାଇଥିଲା ।

ମ୍ୟାକ୍ସୱେଲ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖି ରିଭର୍ସ ସୁଇପରେ ଚହଲଙ୍କ ବଲକୁ ବାଉଣ୍ଡରୀ ପଠାଇଥିଲେ। ସେ ଦଶମ ଓଭରରେ ଜେସନ ହୋଲଡରଙ୍କୁ ଛକା ମାରି ୨୭ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

ଯେତେବେଳେ ଉଭୟ ବ୍ୟାଟିଂ କରୁଥିଲେ, ଦଳ ଏକ ବଡ଼ ସ୍କୋର ଆଡକୁ ଯାଉଥିଲା । କିନ୍ତୁ ଭାଗିଦାରୀ ଭାଙ୍ଗିବା ପରେ ଆରସିବି ଶେଷ ପାଞ୍ଚ ଓଭରରେ ଆଉ ମାତ୍ର ୩୩ ରନ୍ କରିଥିଲେ ।

ଡୁ ପ୍ଲେସିସ୍ ଦ୍ୱାଦଶ ଓଭରରେ ବୋଲ୍ଟଙ୍କ ବିପକ୍ଷରେ ଗୋଟିଏ ରନ୍ ନେଇ ମ୍ୟାକ୍ସୱେଲଙ୍କ ସହ ଶତକୀୟ ଭାଗିଦାରୀ ପୂରଣ କରିଥିଲେ । ତା’ପରେ ଏକ ଚୌକା ସହିତ ୩୧ଟି ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ।

ଚମତ୍କାର ଫିଲ୍ଡିଂ ସହ ଯଶସ୍ବୀ ଜୈସୱାଲ ୧୪ତମ ଓଭରରେ ଡୁପ୍ଲେସିସଙ୍କୁ ରନ୍ ଆଉଟ୍ କରିଥିଲେ । ପରବର୍ତ୍ତୀ ଓଭରରେ ମ୍ୟାକ୍ସୱେଲଙ୍କୁ ପ୍ୟାଭିଲିୟନ ପଠାଇ ଅଶ୍ୱିନ୍ ରାଜସ୍ଥାନକୁ ଏକ ବଡ଼ ସଫଳତା ଦେଇଥିଲେ। ମ୍ୟାକ୍ସୱେଲଙ୍କ ରିଭର୍ସ ସୁଇପ୍ ସଟ୍ ସିଧା ହୋଲ୍ଡରଙ୍କ ହାତକୁ ଯାଇଥିଲା |

ଦୁଇଟି ଓଭରରେ ଦୁଇଟି ବଡ ୱିକେଟ୍ ନେବା ପରେ ରାଜସ୍ଥାନ ବୋଲରମାନେ ମ୍ୟାଚକୁ ଫେରିଥିଲେ ।

ଚହଲ ୧୭ ତମ ଓଭରରେ ମହିପାଲ ଲୋମ୍ରର (୮)ଙ୍କୁ ପାଭିଲିୟନକୁ ପଠାଇଥିବାବେଳେ ସୁୟସ ପ୍ରଭୁଦେସାଇ ଖାତା ଖୋଲି ନପାରି ଆଉଟ୍ ହୋଇଯାଇଥିଲେ।

ଶେଷ ଓଭରରେ ସନ୍ଦୀପ କ୍ରମାଗତ ବଲରେ ଦୀନେଶ କାର୍ତ୍ତିକ (୧୬) ଏବଂ ବିଜୟକୁମାର ବୈଶାଖ (୦)ଙ୍କୁ ଆଉଟ୍ କରି ଆରସିବିକୁ ୧୯୦ ରନରେ ସୀମିତ ରଖିଥିଲେ ।

ରାଜସ୍ଥାନ ପାଇଁ ଟ୍ରେଣ୍ଟ ବୋଲ୍ଟ ଏବଂ ସନ୍ଦୀପ ଶର୍ମା ଦୁଇଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ୟୁଜବେନ୍ଦ୍ର ଚହଲ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ। ତିନିଜଣ ଆରସିବି ବ୍ୟାଟ୍ସମ୍ୟାନ୍ ରନ୍ ଆଉଟ୍ ହୋଇଥିଲେ।

Comments are closed.