ଅଶୋକ ଗେହଲୋଟଙ୍କୁ ରାବଣ କହିବାରୁ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତଙ୍କ ବିରୋଧରେ ମାମଲା ରୁଜୁ

ଚିତ୍ତୋରଗଡ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗେହଲୋଟ୍ ସରକାରରେ ରାଜ୍ୟ ମନ୍ତ୍ରୀ ମାନ୍ୟତା ପାଇଥିବା ଐତିହ୍ୟ ସଂରକ୍ଷଣ ପ୍ରାଧିକରଣର ଅଧ୍ୟକ୍ଷ ସୁରେନ୍ଦ୍ର ସିଂହ ଜାଡାଓ୍ବତଙ୍କ ତରଫରୁ ଏହି ମାମଲା ଦାୟର କରାଯାଇଛି। ରାଜସ୍ଥାନର ଚିତ୍ତୋରଗଡ ଜିଲ୍ଲାର ସଦର ପୋଲିସ ଯାଦବଙ୍କ ରିପୋର୍ଟ ଆଧାରରେ ଶେଖୱତଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି।

ନିକଟରେ ଚିତ୍ତୋରଗଡ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ବିଜେପିର ଜନ ଆକ୍ରୋଶ ସଭାରେ ଗଜେନ୍ଦ୍ର ସିଂହ ଶେଖାୱାତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ରାବଣ ବୋଲି କହିଥିଲେ ।

ସୂଚନାଯୋଗ୍ୟ, ରାଜସ୍ଥାନରେ ବହୁ ଦିନରୁ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ଓ କେନ୍ଦ୍ରମନ୍ତ୍ରୀ ଶେଖାୱାତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି । ଉଭୟ ପରସ୍ପର ଉପରେ ଆକ୍ରମଣ କରିବାକୁ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ | ରାଜସ୍ଥାନରେ ସଞ୍ଜୀବନୀ ଘୋଟାଲା ପରେ ଦୁଇ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆହୁରି ତୀବ୍ର ହୋଇଛି । ଏହାଛଡ଼ା ‘ଇଷ୍ଟ ରାଜସ୍ଥାନ କାନାଲ୍ ପ୍ରୋଜେକ୍ଟ (ଇଆରସିପି) ପ୍ରସଙ୍ଗରେ ମଧ୍ୟ ଉଭୟ ପରସ୍ପରକୁ ଟାର୍ଗେଟ୍ କରିଛନ୍ତି। ଉଭୟଙ୍କ ମଧ୍ୟରେ ଟ୍ୱିଟର ଓ୍ବାର୍ ମଧ୍ୟ ସର୍ବବିଦିତ।

ଉଭୟ ଶେଖାୱତ ଓ ଗେହଲୋଟ୍ ଯୋଧପୁର ନିବାସୀ। ଶେଖାୱତ ଲଗାତାର ଦ୍ୱିତୀୟ ଥର ଯୋଧପୁରରୁ ସାଂସଦ ହୋଇଛନ୍ତି । ଅନ୍ୟପକ୍ଷରେ ଯୋଧପୁର ସହରର ସର୍ଦ୍ଦାରପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କ୍ରମାଗତ ଭାବେ ବିଧାୟକ ନିର୍ବାଚିତ ହୋଇଛନ୍ତି । ଗତ ଲୋକସଭା ନିର୍ବାଚନରେ ଶେଖାୱତ ସିଏମ୍ ଅଶୋକ ଗେହଲୋଟ ପୁଅ ବୈଭବ ଗେହଲୋଟଙ୍କୁ ହରାଇଥିଲେ । ଏହା ପରଠୁ ଉଭୟଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହେଇଥିଲା । ତିନି ବର୍ଷ ତଳେ ତାଙ୍କ ସରକାର ଉପରେ ଆସିଥିବା ରାଜନୈତିକ ସଙ୍କଟ ପାଇଁ ମଧ୍ୟ ଶେଖାୱତଙ୍କୁ ଦାୟୀ କରିଥିଲେ ଗେହଲୋଟ୍ ।

Comments are closed.