ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ ଜେଲ୍

ଭୁବନେଶ୍ୱର – ପତ୍ନୀ ହତ୍ୟା ମାମଲାରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ବରର ସ୍ୱତନ୍ତ୍ର କୋର୍ଟ । ଗତ ସପ୍ତାହରେ ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୧୯୯୫ ମସିହାରେ ରାମମୂର୍ତ୍ତିଙ୍କ ପତ୍ନୀଙ୍କ ପୋଡ଼ା ମୃତଦେହ ଭୁବନେଶ୍ବର ଏମଏଲ ଏ କ୍ବାର୍ଟର୍ସରୁ ମିଳିଥିଲା । ପ୍ରଥମେ ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ତଦନ୍ତ ପରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ତଦନ୍ତରୁ ଜଣାପଡିଲା ପରେ ତତ୍କାଳୀନ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ।

୧୯୯୫ ମସିହାର ଏହି ମାମଲାରେ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ୍ ଆଧାରରେ ପୂର୍ବତନ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।
୧୯୯୫ ମସିହା ଅଗଷ୍ଟ ୨୯ ତାରିଖରେ ରାମମୂର୍ତ୍ତି ଗମାଙ୍ଗଙ୍କ ପତ୍ନୀ ଶଶିରେଖାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ଏମ୍‌ଏଲଏ କଲୋନିରେ ଥିବା ସରକାରୀ ଘରୁ ଶଶିରେଖାଙ୍କ ପୋଡ଼ା ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି ବୋଲି ଘଟଣା ଦିନ ରାମମୂର୍ତ୍ତି ଗମାଙ୍ଗ ପୋଲିସକୁ ଖବର ଦେଇଥିଲେ । ଘଟଣାର ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ, ବରଂ ସୁଚିନ୍ତିତ ହତ୍ୟା ବୋଲି ପୋଲିସ ସନ୍ଦେହ କରିବା ପରେ ତଦନ୍ତ ଆଗକୁ ବଢ଼ିଥିଲା। ଏହି ଘଟଣାରେ ପ୍ରଥମେ ୟୁଡି ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ।

୧୯୯୦ରେ ରାମମୂର୍ତ୍ତି ଗମାଙ୍ଗ ତତ୍କାଳୀନ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ଜନତା ଦଳ ଛାଡ଼ି ୨୦୦୦ ମସିହାରେ ବିଜେପି ଟିକେଟରେ ନିର୍ବାଚନ ଲଢି ଦ୍ୱିତୀୟ ଥର ବିଧାୟକ ହୋଇଥିଲେ।

Comments are closed.