ଏସିଆ କପ୍‌ କାର୍ଯ୍ୟସୂଚୀ ଜାରି, ସେପ୍ଟେମ୍ବର ୨ରେ ଭାରତ-ପାକ୍ ମୁକାବିଲା

ଦୁବାଇ: ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୩ର ପ୍ରତୀକ୍ଷିତ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ସଭାପତି ଜୟ ଶାହଙ୍କ ଦ୍ୱାରା ଜାରି ଟୁର୍ଣ୍ଣାମେଣ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ଭାରତ ସେପ୍ଟେମ୍ବର ୨ରେ ଏହାର ଅଭିଯାନ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ। ଶ୍ରୀଲଙ୍କାର କାଣ୍ଡିରେ ଏହି ହାଇ ଭୋଲଟେଜ୍ ମ୍ୟାଚ୍ ଖେଳାଯିବ ।

ଏହି ଷଡ୍ ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ୍ ମଡେଲ୍ ଅନୁଯାୟୀ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ଯାଏଁ ପାକିସ୍ତାନ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ । ଅଗଷ୍ଟ ୩୦ରେ ମୁଲତାନରେ ଖେଳାଯିବାକୁ ଥିବା ଉଦଘାଟନୀ ମ୍ୟାଚରେ ନେପାଳକୁ ଭେଟିବ ପାକିସ୍ତାନ । ସେପ୍ଟେମ୍ବର ୨ ପରେ ଭାରତ ଓ ପାକିସ୍ତାନ ପୁଣି କଲମ୍ବାରେ ସୁପର-୪ ପର୍ଯ୍ୟାୟ (ସେପ୍ଟେମ୍ବର ୧୦)ରେ ମୁହାଁମୁହିଁ ହୋଇପାରନ୍ତି ।

ଟୁର୍ଣ୍ଣାମେଣ୍ଟର ୪ଟି ମ୍ୟାଚ୍ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବାବେଳେ ଫାଇନାଲ ସହ ୯ଟି ମ୍ୟାଚ୍ ଶ୍ରୀଲଙ୍କାର କେଣ୍ଡି ଓ କଲମ୍ବୋରେ ଖେଳାଯିବ । ଏସିଆ କପରେ ଭାରତ ହେଉଛି ସବୁଠୁ ସଫଳ ଦଳ । ଭାରତ ସର୍ବାଧିକ ୭ଥର ଟାଇଟଲ୍ ଜିତିଛି। ଶ୍ରୀଲଙ୍କା ଦ୍ୱିତୀୟ ସଫଳ ଦଳ ଭାବେ ୬ଥର ଚାମ୍ପିୟନ ହୋଇଛି ।

ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ମ୍ୟାଚ୍ ଖେଳାଯିବ । ଅଂଶଗ୍ରହଣକାରୀ ୬ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରୁପ୍‌-ଏ’ରେ ଭାରତ ଓ ପାକିସ୍ତାନ ସହ ନେପାଳ ରହିଥିବା ବେଳେ ଗ୍ରୁପ୍‌-ବି’ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛନ୍ତି ।

ଚଳିତ ବର୍ଷ ଦିନିକିଆ ବିଶ୍ୱକପ ହେଉଥିବାରୁ ଏସିଆ କପ୍ ଦିନିକିଆ ଓ ରାଉଣ୍ଡ ରବିନ ଫର୍ମାଟରେ ଖେଳାଯିବ । ପ୍ରତି ଗ୍ରୁପର ଶୀର୍ଷ ଦୁଇ ଦଳ ସୁପର-୪ ପର୍ଯ୍ୟାୟକୁ ଉନ୍ନୀତ ହେବେ । ସୁପର-୪ର ଶୀର୍ଷ ଦୁଇ ଦଳ ଫାଇନାଲରେ ପ୍ରବେଶ କରିବେ । ଫାଇନାଲ ମ୍ୟାଚ୍ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ସେପ୍ଟେମ୍ବର ୧୭ରେ ଖେଳାଯିବ ।

Comments are closed.