ବର୍ଷାଜଳ ଅମଳ ପ୍ରକଳ୍ପର ହେବ ରକ୍ଷଣାବେକ୍ଷଣ, ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଚିଠି ଲେଖିଲେ ପୌର ନିର୍ଦ୍ଦେଶକ

ଭୁବନେଶ୍ୱର -ରାଜ୍ୟର ୧୧୧ଟି ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୩୭ ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର ଓ ପୌରସଂସ୍ଥାର କାର୍ଯ୍ୟନିର୍ବାହୀମାନଙ୍କୁ କୁହାଯାଇଛି ।

ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‍ ନାୟକ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୨୦୨୧ ଓ ୨୦୨୨ ରେ ରାଜ୍ୟର ୧୧୧ଟି ପୌରସଂସ୍ଥାରେ ମୁକ୍ତା ଯୋଜନାରେ ୩୭,୨୪୨ଟି ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ହୋଇଥିଲା । ‘କ୍ୟାଚ୍‍ ଦି ରେନ୍‍’ ଅଭିଯାନରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ କରାଯିବ । ବର୍ଷାଜଳ ଅମଳ ଜରିଆରେ ଭୂତଳ ଜଳ ରିଚାର୍ଜ ପାଇଁ ଏହି ପ୍ରକଳ୍ପ ବେଶ୍‍ ଉପଯୋଗୀ ହୋଇଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ପାଇଁ ବିଭାଗ ଯୋଜନା ପ୍ରସ୍ତୁତ କରିଛି । ୩୭ ହଜାର ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯିବ ।
ଏହି ରକ୍ଷଣାବେକ୍ଷଣ କାର୍ଯ୍ୟରେ ମିଶନ ଶକ୍ତି ଗୋଷ୍ଠୀ, ବସ୍ତି ବିକାଶ ସଂଗଠନକୁ ନିୟୋଜିତ କରିବାକୁ ମୁକ୍ତାର ରାଜ୍ୟ ନୋଡାଲ ଅଧିକାରୀ ତଥା ସୁଡାର ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ସମସ୍ତ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜନସ୍ୱାସ୍ଥ୍ୟ ବିଭାଗ ଓ ୱାଟକୋ ପକ୍ଷରୁ ମଧ୍ୟ ମିଶନ ଶକ୍ତି ଗୋଷ୍ଠୀକୁ ଏଥିପାଇଁ ନିୟୋଜିତ କରିପାରିବେ ଏବଂ ଏ ସଂକ୍ରାନ୍ତରେ ବିଭାଗ ସହିତ ସମନ୍ୱୟ ରକ୍ଷା କରିବେ ବୋଲି କୁହାଯାଇଛି । ପୌରସଂସ୍ଥା, ଜନସ୍ୱାସ୍ଥ୍ୟ, ୱାଟକୋର ଯନ୍ତ୍ରୀଙ୍କ ସମେତ ମୁକ୍ତା ଟିମ୍‍ ଏହି ରକ୍ଷଣାବେକ୍ଷଣ କାର୍ଯ୍ୟର ତଦାରଖ କରିବେ । ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ମିଶନଶକ୍ତି ଓ ଅନ୍ୟ ସଂସ୍ଥାଗୁଡିକୁ ସେମାନଙ୍କର ପାଉଣା ୭ ଦିନ ମଧ୍ୟରେ ପ୍ରଦାନ କରିବାକୁ ସୁଡାର ନିର୍ଦ୍ଦେଶକ କହିଛନ୍ତି । ରକ୍ଷଣା ବେକ୍ଷଣ କାର୍ଯ୍ୟ କିଭଳି ହେବ ତାହାର ସମ୍ପୃକ୍ତ ସୂଚନା ସଂଗ୍ରହ ପାଇଁ ଏକ ଫର୍ମାଟ ପ୍ରସ୍ତୁତ ହେବ ଏବଂ କ୍ଷେତ୍ରସ୍ତରରୁ ଏହି ଫର୍ମାଟରେ ତଥ୍ୟ ସଂଗ୍ରହ କରାଯିବ । ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ଆବଶ୍ୟକ ଅର୍ଥ ପୌରସଂସ୍ଥାକୁ ଯୋଗାଇ ଥିବା ଅର୍ଥ କମିଶନଙ୍କ ଅନୁଦାନ ପାଣ୍ଠିରୁ ଯୋଗାଇ ଦିଆଯିବ ।

Comments are closed.