ଚାରି ସପ୍ତାହ ପରେ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ପାଇଁ ଅନୁମତି ଦେବାକୁ କେନ୍ଦ୍ରକୁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ୧୨ ସପ୍ତାହ ପରିବର୍ତ୍ତେ ଚାରି ସପ୍ତାହ ପରେ ନେବା ପାଇଁ ଲୋକଙ୍କୁ ଅନୁମତି ଦେବାକୁ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କୋ-ୱିନ୍ ଆପ୍‌ରେ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ କେନ୍ଦ୍ରକୁ କହିଛନ୍ତି ହାଇକୋର୍ଟ । କେରଳ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ କେବଳ ଘରୋଇ ଟିକାକେନ୍ଦ୍ର ପାଇଁ ଉଦ୍ଦିଷ୍ଟ । ସରକାରୀ ଟିକାକେନ୍ଦ୍ରରେ ପୂର୍ବ ଭଳି ୮୪ ଦିନ ବ୍ୟବଧାନରେ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ଦିଆଯିବ ।

ଜଷ୍ଟିସ୍ ପିବି ସୁରେଶଙ୍କ ଅଧ୍ୟକ୍ଷତାରେ କେରଳ ହାଇକୋର୍ଟର ଏକ ଖଣ୍ଡପୀଠ କହିଛନ୍ତି ଯେ, ଯଦି କେନ୍ଦ୍ର ଓ ରାଜ୍ୟ ସରକାର ବିଦେଶ ଯାତ୍ରା କରିବାକୁ ଥିବା ଲୋକଙ୍କୁ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ଧାର୍ଯ୍ୟ ସମୟସୀମା ପୂର୍ବରୁ ଆଗୁଆ ଦେଉଛନ୍ତି, ତେବେ ସେମାନଙ୍କୁ ମଧ୍ୟ ଏହି ଟିକାର ଦ୍ୱିତୀୟ ଡୋଜ୍ ଶୀଘ୍ର ମିିଳିବା ଉଚିତ ଯେଉଁମାନେ ୮୪ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହୁଁ ନାହାନ୍ତି । ତେବେ ମାଗଣା ଟିକା ନେଉଥିବା ଲୋକ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ଗ୍ରହଣ କରିବାର ସମୟସୀମା ହ୍ରାସ କରିବା ପାଇଁ ଦାବି କରିପାରିବେ ନାହିଁ । ଯେଉଁମାନେ ଟଙ୍କା ଦେଇ ଟିକା ନେଉଛନ୍ତି ସେମାନେ ଚାହିଁଲେ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ଆଗୁଆ ନେଇପାରିବେ ବୋଲି କୋର୍ଟ କହିଛନ୍ତି ।

କାଇଟେକ୍ସ ଗାର୍ମେଣ୍ଟ୍‌ସ ଏବଂ କାଇଟେକ୍ସ ଚିଲଡ୍ରେନ୍ସୱେୟାର ନାମକ ଦୁଇ କମ୍ପାନୀ ତରଫରୁ ଦାୟର ହୋଇଥିବା ଆବେଦନର ଶୁଣାଣି କରି କେରଳ ହାଇକୋର୍ଟ ଉପରୋକ୍ତ ଆଦେଶ ଦେଇଛନ୍ତି । ଏହି ଦୁଇ କମ୍ପାନୀ ନିଜ ପିଟିସନରେ ଦର୍ଶାଇଥିଲେ ଯେ, ସେମାନଙ୍କ କମ୍ପାନୀରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ କାମ କରୁଛନ୍ତି । କରୋନା ସଂକ୍ରମଣରୁ ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ଟିକାକରଣ ଅତିଶୀଘ୍ର କରିବାକୁ ଆମେ ଚାହୁଁଛୁ । ଏଥିପାଇଁ ଆମେ ୫୨ ଲକ୍ଷ ଟଙ୍କାର ଟିକା କିଣିସାରିଛୁ । କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜ୍ ଦେବା ପାଇଁ ମଧ୍ୟ ୧୨,୦୦୦ରୁ ଊର୍ଦ୍ଧ୍ୱ ଟିକା ଡୋଜ୍ କିଣାସରିଛି । ଦ୍ୱିତୀୟ ଡୋଜ୍ ଦେବାରେ ବିଳମ୍ବ ଯୋଗୁଁ କିଣାଯାଇଥିବା ଟିକା ନଷ୍ଟ ହେବାର ସମ୍ଭାବନା ଅଛି । କୋଭିଶିଲ୍ଡ ଟିକା ପାଇଁ କେନ୍ଦ୍ର ସରକାରଙ୍କ ୮୪ ଦିନ ବ୍ୟବଧାନ ନିଷ୍ପତ୍ତିକୁ ବିରୋଧ କରି ସେମାନଙ୍କୁ ଏହି ସମୟସୀମାର ଆଗୁଆ ଦ୍ୱିତୀୟ ଡୋଜ୍ ଦେବାକୁ ଅନୁମତି ଦେବାକୁ ଏହି ଦୁଇ କମ୍ପାନୀ ନିବେଦନ କରିଥିଲେ ।

ଜାନୁୟାରୀରେ ଯେବେ ଭାରତରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା ସେତେବେଳେ କୋଭିଶିଲ୍ଡ ଦୁଇ ଡୋଜ୍ ଟିକା ମଧ୍ୟରେ ୪ରୁ ୬ ସପ୍ତାହ ଥିଲା । ପରେ ଏହାକୁ ୬ରୁ ୮ ସପ୍ତାହ ବଢ଼ାଇ ଦିଆଯାଇଥିଲା । ପୁଣି ମେ’ରେ କେନ୍ଦ୍ର ସରକାର ପ୍ରଥମ ଡୋଜ୍‌ର ୧୨ରୁ ୧୬ ସପ୍ତାହ ପରେ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ଦେବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଡୋଜ୍‌ର ୮୪ ଦିନ ପରେ ଦ୍ୱିତୀୟ ଡୋଜ୍ ନେଲେ ସଂକ୍ରମଣ ବିରୋଧରେ ଟିକା ଆହୁରି ପ୍ରଭାବୀ ହେଉଥିବା ଯୁକ୍ତି ବାଢ଼ିଥିଲେ ସରକାର ।

Comments are closed.