ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା

ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ କରାଯାଏ । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଭଗବାନ ଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗି ହୋଇଥାଏ । ଶ୍ରୀଜୀଉଙ୍କର ଏହିଦିନ ବିଶେଷ ନୀତି ଅନୁଷ୍ଠିତ ହେବା ସହ ସୁପକାର ସେବାୟତଙ୍କ ଦ୍ୱାରା ଏକ ବଡ଼ ସପ୍ତପୁରୀ (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କ ପାଖରେ ଭୋଗଲାଗି ହୋଇଥାଏ । ଏହାକୁ ସପ୍ତପୁରୀ ତାଡ଼ ମଧ୍ୟ କୁହାଯାଇଥାଏ ।

ସପ୍ତପୁରୀ ଅମାବାସ୍ୟା ପୂର୍ବ ଦିନ ଅଠର ନଳା ନିକଟରେ ଅବସ୍ଥିତ ଅଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଅମାବାସ୍ୟା ପାଇଁ ସପ୍ତପୁରୀ ତାଡ଼ ଶ୍ରୀମନ୍ଦିରକୁ ଯାଇଥାଏ । ଏହି ତାଡ଼ ରେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ସପ୍ତପୁରୀ ପିଠା ଶ୍ରୀଜୀଉଙ୍କୁ ଲାଗି ହୋଇଥାଏ। ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀ ଦିନ କୁମ୍ଭାର ବିଶୋଇ ସେବକମାନେ ଦ୍ୱିପ୍ରହର ଧୂପପରେ ମୁହଁରେ ବାଘମୁହାଁ ବାନ୍ଧି ସାତପୁରୀ ତାଡ଼କୁ ମୁଣ୍ଡରେ ମୁଣ୍ଡାଇ ଘଣ୍ଟ, ଛତା, କାହାଳୀ ସହ ସିଂହଦ୍ୱାର ଦେଇ ଭୋଗ ମଣ୍ଡପରେ ବିଜେ କରାଇଥାନ୍ତି। ଏହା ସଂସ୍କାରିତ ହେବାପରେ ଅମାବାସ୍ୟା ଦିନ ଏଥିରେ ଭୋଗ ପ୍ରସ୍ତୁତ ହୋଇଥାଏ।

ହିନ୍ଦୁଧର୍ମର ପରମ୍ପରାରେ ଅନେକ ପ୍ରକାର ପୂଜାକାର୍ଯ୍ୟରେ କୁଶ (ଏକ ବିଶେଷ ପ୍ରକାରର ଘାସ, ଯାହାର ଉପଯୋଗ କେବଳ ଧାର୍ମିକ କାର୍ଯ୍ୟରେ ଲାଗିଥାଏ) ବ୍ୟବହାର କରା ଯାଇଥାଏ । ପ୍ରତ୍ୟେକ ଗୃହସ୍ଥ ଏହି ଅମାବାସ୍ୟା ଦିନ କୁଶଗୁଡ଼ିକୁ ସଂଗ୍ରହ କରିଥାନ୍ତି । ସୂର୍ଯ୍ୟ ଉଦୟ ସମୟରେ ଉତ୍ତର କିମ୍ବା ପୂର୍ବାଭିମୁଖି ହୋଇ କୁଶ ହାତରୁ ବାହାର କରାଯାଇଥାଏ । ବର୍ଷତମାମ କରାଯାଇଥିବା ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ଉପଯୋଗ ହେଉଥିବା ଶାସ୍ତ୍ରରେ ଦଶ ପ୍ରକାରର କୁଶ ବିଷୟରେ ବର୍ଣ୍ଣନା କରାଯାଇଛି । “ କୁଶାଃ କାଶ ଯବା ଦୁର୍ବା ଉଶୀରଚ୍ଛ ସକୁନ୍ଦକାଃ । ଗୋଧୂମା ବ୍ରାହ୍ମୟୋ ମୌନ୍‌ଜା ଦଶ ଦର୍ଭାଃ ସବଲ୍ୱଜାଃ” ଅମାବାସ୍ୟା ତିଥିର ସ୍ୱାମୀ ବା ଉପାସିତା ଦେବତା ହେଉଛନ୍ତି ପିତୃଦେବ । ସେଥିପାଇଁ ପିତୃଦେବଙ୍କ ତୃପ୍ତି ନିମନ୍ତେ ଏହି ଦିନ ତର୍ପଣ, ଦାନପୂଣ୍ୟ ଆଦି କରାଯାଏ । ଅମାବାସ୍ୟା ଦିନ ସୋମବାର, ମଙ୍ଗଳବାର ଏବଂ ଗୁରୁବାର ହୋଇଥିଲେ ତଥା ଅନୁରାଧା, ବିଶାଖା ଏବଂ ସ୍ୱାତୀ ନକ୍ଷତ୍ର ଯୋଗ ସୃଷ୍ଟି ହୋଇଥିଲେ, ଏହାକୁ ଅତ୍ୟନ୍ତ ପବିତ୍ର ତିଥି ଭାବେ ଗ୍ରହଣ କରାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି କୁଶାଗ୍ରହଣୀ ଅମାବାସ୍ୟା ଦିନ ତୀର୍ଥ, ସ୍ନାନ, ଜପ, ତପ ଏବଂ ବ୍ରତ କରିବାଦ୍ୱାରା ପାପ ଦୂର ହୋଇ ପୂଣ୍ୟ ବଳରେ ଋଣ ଆଦି ପୀଡ଼ାରୁ ମୁକ୍ତି ପ୍ରାପ୍ତ ହୁଏ । ସଂଯମ, ସାଧନା ଏବଂ ତପ ନିମନ୍ତେ ଏହା ଶ୍ରେଷ୍ଠ ଦିନ ବୋଲି ବିଶ୍ୱାସ କରାଯାଏ । ଏହି ବ୍ରତ ବର୍ଷକୁ ଥରେ ଏହିଦିନ କରାଯାଇଥାଏ । ଏହାଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ ।

Comments are closed.