ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୧୪୩ ବର୍ଷର ରେକର୍ଡ ଭାଙ୍ଗିଲା ଜୁଲାଇ ମାସର ଗରମ

ୱାଶିଂଟନ୍: ଗରମରେ ଏଥର ଜୁଲାଇ ମାସ ୧୪୩ ବର୍ଷର ରେକର୍ଡ଼ ଭାଙ୍ଗିଛି । ଆମେରିକାର ମହାକାଶ ସଂସ୍ଥା ନାସାର ଏକ ରିପୋର୍ଟ ଅନୁଯାୟୀ ୧୮୮୦ ମସିହା ପରେ ଏଥର ଜୁଲାଇ ସବୁଠାରୁ ଉତ୍ତପ୍ତ ମାସ ଥିଲା । ଏହି ବର୍ଷ ଆମେରିକା ଏବଂ ୟୁରୋପର ଅନେକ ସହରରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିଲା। ଏହାଛଡ଼ା ୟୁରୋପର କିଛି ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ଏପରିକି ଚଳିତ ବର୍ଷ ଆମେରିକାରେ ଗରମ ସବୁ ରେକର୍ଡ ଭାଙ୍ଗିଥିଲା ।

ନାସାର ଗୋଡାର୍ଡ ଇନଷ୍ଟିଚ୍ୟୁଟ୍ ଫର୍ ସ୍ପେସ୍ ଷ୍ଟଡିଜ୍ (ଜିଏସ୍ଏସ୍) ର ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ଅନ୍ୟ ମାସ ତୁଳନାରେ ଜୁଲାଇ ୨୦୨୩ରେ ଅଧିକ ଗରମ ଅନୁଭୂତ ହୋଇଥିଲା। ଅନ୍ୟ ମାସ ତୁଳନାରେ ଜୁଲାଇ ୨୦୨୩ର ତାପମାତ୍ରା ୦.୨୫ ଡିଗ୍ରୀ ସେଲସିୟସ ଅଧିକ ରେକର୍ଡ କରାଯାଇଥିଲା | ୧୯୫୧ ରୁ ୧୯୮୦ ମଧ୍ୟରେ ହାରାହାରି ଜୁଲାଇ ତାପମାତ୍ରା ତୁଳନାରେ ଏହା ୧.୧୮ ଡିଗ୍ରୀ ସେଲସିୟସ ଅଧିକ ଥିଲା ।

ତାପମାତ୍ରା ବୃଦ୍ଧିର ଗୋଟିଏ କାରଣ ହେଉଛି ସମୁଦ୍ର ପୃଷ୍ଠର ଉତ୍ତାପ | ନାସା ଏହାର ବିଶ୍ଳେଷଣରେ କହିଛି ଯେ ଏଲ୍ ନିନୋର ପ୍ରଭାବ ଯୋଗୁଁ ପୂର୍ବ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ଗରମ ସମୁଦ୍ର ପୃଷ୍ଠର ତାପମାତ୍ରା ମେ ୨୦୨୩ରେ ବୃଦ୍ଧି ପାଇବାରେ ଲାଗିଥିଲା ।

ନାସା ଆଡମିନିଷ୍ଟ୍ରେଟର ବିଲ୍ ନେଲସନ କହିଛନ୍ତି, ଏହି ତଥ୍ୟରୁ ବିଶ୍ବର କୋଟି କୋଟି ଲୋକ ପ୍ରକୃତରେ କିପରି ଅନୁଭବ କରିଥିଲେ ତାହା ବାରି ହୋଇ ପଡ଼ୁଛି। ଜୁଲାଇ ୨୦୨୩ରେ ତାପମାତ୍ରା ସମସ୍ତ ରେକର୍ଡ ଭାଙ୍ଗିବା ସହ ସବୁଠୁ ଉତ୍ତପ୍ତ ମାସରେ ପରିଣତ ହୋଇଥିଲା | ଆମେରିକାବାସୀ ଜଳବାୟୁ ସଙ୍କଟର ପ୍ରଭାବକୁ ସ୍ପଷ୍ଟ ଅନୁଭବ କରୁଛନ୍ତି।

ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆମେରିକା, ଉତ୍ତର ଆଫ୍ରିକା, ଉତ୍ତର ଆମେରିକା ଏବଂ ଆଣ୍ଟାର୍କଟିକ୍ ଉପଦ୍ୱୀପର କିଛି ଅଞ୍ଚଳରେ ଭୀଷଣ ଗରମ ଅନୁଭୂତ ହୋଇଥିଲା । ହାରାହାରି ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ଯାଏଁ ବୃଦ୍ଧି ପାଇଥିଲା। ଭୟଙ୍କର ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ପ୍ରଭାବିତ ହେବା ସହ ବହୁ ଲୋକଙ୍କ ରୋଗ ଏବଂ ମୃତ୍ୟୁର କାରଣ ହୋଇଥିଲା |

ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱରେ ଲୋକ ଏବଂ ଇକୋସିଷ୍ଟମ ଉପରେ ସାଂଘାତିକ ପ୍ରଭାବ ପକାଉଛି ବୋଲି ନାସାର ବୈଜ୍ଞାନିକ କ୍ୟାଥରିନ୍ କଲଭିନ କହିଛନ୍ତି ।

Comments are closed.