ନିର୍ମାଣାଧୀନ କୋଠାର ଲିଫ୍ଟ ଖସି ଚାରି ମୃତ

ନୂଆଦିଲ୍ଲୀ: ଗ୍ରେଟର ନୋଏଡା ୱେଷ୍ଟ (ନୋଏଡା ଏକ୍ସଟେନ୍ସନ୍)ରେ ଶୁକ୍ରବାର ଏକ ନିର୍ମାଣାଧୀନ ହାଉସିଂ ସୋସାଇଟିର ସର୍ଭିସ୍ ଲିଫ୍ଟ ଭୁଶୁଡ଼ି ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ଗ୍ରେଟର ନୋଏଡାର ଅମ୍ରାପାଲି ବିଲଡର୍ସ ଦ୍ବାରା ଏହି ଫ୍ଲାଟରେ ଲିଫ୍ଟ ଭୁଶୁଡ଼ିବା ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଗୌତମ ବୁଦ୍ଧ ନଗର ଜିଲ୍ଲା ମାଜିଷ୍ଟ୍ରେଟ ମନୀଷ ବର୍ମା ସ୍ପଷ୍ଟ କରିଛନ୍ତି । ଏହି ଘଟଣାରେ ଆଉ ପାଞ୍ଚ ଜଣ ଗୁରୁତର ଭାବେ ଆହତ ହୋଇଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି। ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଅତିରିକ୍ତ ଡିସିପି (ସେଣ୍ଟ୍ରାଲ୍ ନୋଏଡା) ରାଜୀବ ଦୀକ୍ଷିତ କହିଛନ୍ତି, ଏହି ଘଟଣା‌ ଶୁକ୍ରବାର ସକାଳ ପ୍ରାୟ ୮.୩୦ରେ ଆମ୍ରାପାଲି ଡ୍ରିମ୍ ଭ୍ୟାଲି ସୋସାଇଟିର ନିର୍ମାଣାଧୀନ ସାଇଟରେ ଘଟିଛି। ସେ କହିଛନ୍ତି ଯେ ୧୪ତମ ମହଲାରୁ ସର୍ଭିସ୍ ଲିଫ୍ଟ ଖସି ପଡ଼ିଥିଲା ।

ନିକଟରେ ମହାରାଷ୍ଟ୍ରର ଥାନେରେ ମଧ୍ୟ ଏକ ୪୦ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠାର ଲିଫ୍ଟ ଖସିଯିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଗତ ମାସରେ ଗ୍ରେଟର ନୋଏଡାରେ ଲିଫ୍ଟ ତ୍ରୁଟି ଯୋଗୁଁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା।

Comments are closed.