କଟକ ନେତାଜୀ ବସ୍ ଟର୍ମିନାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ – ରାଜ୍ୟର ପ୍ରଥମ ଅତ୍ୟାଧୁନିକ କଟକ ନେତାଜୀ ବସ୍ ଟର୍ମିନାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ, ସଂଗ୍ରାମୀ ନେତାଜୀଙ୍କ ଜନ୍ମଭୂମି ଉତ୍କଳ, ଉତ୍କଳ ଗୌରବଙ୍କ କର୍ମଭୂମି ଏ ମାଟି । ଆଜି କଟକ ସହର ପାଇଁ ଉତ୍ସବର ଦିନ । ସାରା ଓଡ଼ିଶାର ଯାତ୍ରୀସେବାରେ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଏସସିବି ମେଡିକାଲ କଲେଜର ରୂପାନ୍ତରଣ କାମ ଚାଲିଛି । କଟକ ସହରର ରୂପାନ୍ତରଣରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ।

କଟକ ସବୁବେଳେ ତାଙ୍କ ପାଇଁ ସ୍ୱତନ୍ତ୍ର ହୋଇ ରହିଛି, ଆଗକୁ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବସ ଟର୍ମିନାଲ ସହ ସମେତ ୧୨ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

୯୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନେତାଜୀ ବସ୍ ଟର୍ମିନାଲ ୧୫ ଏକର ପରିମିତ ଜମି ଉପରେ ନିର୍ମିତ ହୋଇଛି । ଏଠାରେ ୧୯୨ଟି ବସର ରହଣି ଓ ଯାତାୟାତ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି। ଇଲୋକ୍ଟ୍ରୋନିକ ସୂଚନା ବ୍ୟବସ୍ଥା ମଧ୍ୟ କରାଯାଇଛି। ସିସିଟିଭି ସହ ଟର୍ମିନାଲ ମଧ୍ୟରେ ଏକ ପୋଲିସ ଆଉଟ ପୋଷ୍ଟ ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିବ ।

Comments are closed.