ରେଶମ ସହରରେ ବିଶ୍ଵକର୍ମା ପୂଜା… ଆଇଟିଆଇ ପ୍ରଶିକ୍ଷାର୍ଥୀଙ୍କ ‘ସ୍କ୍ରାପ୍‌ ଦଶାବତାର’ ଆକର୍ଷଣ

ବ୍ରହ୍ମପୁର: ରେଶମ ସହରରେ ବିଶ୍ଵକର୍ମା ପୂଜା ଧୁମଧାମରେ ପାଳନ କରାଯାଇଛି। ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନ, କାରିଗର, ଶିଳ୍ପାନୁଷ୍ଠାନ, ଇଞ୍ଜିନିୟରିଂ ସଂସ୍ଥାରେ ଦେବଶିଳ୍ପୀଙ୍କ ପୂଜାର୍ଚ୍ଚନା ହୋଇଛି। ବ୍ରହ୍ମପୁର ହରିଡ଼ାଖଣ୍ଡି ରୋଡ୍‌ରେ ଥିବା ଏକମାତ୍ର ବିଶ୍ଵକର୍ମା ମନ୍ଦିରରେ ଦୈନିକ ରୀତିନୀତି ପ୍ରକାରେ ପୂଜା କରାଯାଇଥିଲା। ପୂଜକମାନେ ଭୋରରୁ ସମସ୍ତ ଧାର୍ମିକ ନୀତିନିୟମ ଅନୁସାରେ ପୂଜା ଭୋଗ କରିଥିଲେ। ସହରର ବିଭିନ୍ନ ସ୍ଥାନର ବିଭିନ୍ନ ଶ୍ରେଣୀର କାରିଗରମାନେ ଏହି ଅବସରରେ ସେଠାରେ ସମବେତ ହୋଇଥିଲେ। ବିଶ୍ଵକର୍ମା ସମାଜର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ। ସେହିପରି ବ୍ରହ୍ମପୁର ଆଇଜର୍‌, ଆସିକାରୋଡ୍‌ସ୍ଥିତ ଓ୍ବାଟ୍‌କୋ ଅଫିସ୍‌, ସରକାରୀ ପଲିଟେକନିକ୍‌, ସରକାରୀ ଆଇଟିଆଇ, ବିଡିଏ ଅଫିସ୍‌, ସହରର ବିଭିନ୍ନ ସ୍ଥାନରେ ଥିବା ପିଡବ୍ଲ୍ୟୁଡି ଅଫିସ୍‌, ରେଳବାଇର ବିଭିନ୍ନ ସେକ୍ସନ୍‌ ଅଫିସ୍‌, ବ୍ରହ୍ମପୁର ସ୍ବର୍ଣ୍ଣକାର ସଂଘ ଦ୍ଵାରା ଦେବଶିଳ୍ପୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ହୋମ, ପୂଜା କରାଯାଇ ଥିଲା।

ତେବେ ଏହି ଅବସରରେ ବ୍ରହ୍ମପୁର ଆଇଟିଆଇ ପ୍ରଶିକ୍ଷାର୍ଥୀମାନେ ଏହି ପୂଜା ଅବସରରେ ନିଜ ଦକ୍ଷତାର ଆଉ ଏକ ଉତ୍କୃଷ୍ଟ ନଜିର ଉପସ୍ଥାପନ କରିଛନ୍ତି। ନଷ୍ଟକୁ ଶ୍ରେଷ୍ଠରେ ରୂପାନ୍ତରିତ କରିବା କୌଶଳର ଆଉ ଏକ ଉନ୍ନତ ନମୂନା ପ୍ରଦର୍ଶନ କରିଛନ୍ତି। ବିଶ୍ଵକର୍ମା ପୂଜାରେ ଭଗବାନ ବିଷ୍ଣୁଙ୍କ ଦଶାବତାର ଆକୃତି ସୃଷ୍ଟି କରିଛନ୍ତି ଆଇଟିଆଇ ପ୍ରଶିକ୍ଷାର୍ଥୀଗଣ। ଅଟୋମୋବାଇଲ୍‌ ସ୍କ୍ରାପ୍‌ରେ ମତ୍ସ୍ୟ, କଚ୍ଛପ, ବରାହ, ବାମନ, ନୃସିଂହ, ରାମ, ବଳରାମ, ପର୍ଶୁରାମ ଆଦି ଭଗବାନ ବିଷ୍ଣୁଙ୍କ ଦଶାବତାର ପ୍ରତିକୃତି ତିଆରି କରିଛନ୍ତି ଯାହାକୁ ଆଇଟିଆଇ କ୍ୟାମ୍ପସରେ ରବିବାର ଉନ୍ମୋଚିତ କରାଯାଇଛି। ପ୍ରାୟ ୬ ଫୁଟ ଉଚ୍ଚ ଓ ପ୍ରତ୍ୟେକଟି ୧୦୦ରୁ କେଜିରୁ ଅଧିକ ଓଜନର ଅଟେ ଏସବୁ ପ୍ରତିମୂର୍ତ୍ତି। ଗତ ୧୫ ଦିନ ହେବ ଫିଟର୍‌, ଇଲେକ୍ଟ୍ରିସିଆନ୍‌, ଓ୍ବେଲ୍ଡର୍‌, ପେଣ୍ଟର୍, ମେକାନିକସ ଟ୍ରେଡ୍‌ର ପ୍ରଶିକ୍ଷାର୍ଥୀ ଓ ପ୍ରଶିକ୍ଷକମାନେ ମିଳିତ ପ୍ରୟାସରେ ଏହି ସ୍କ୍ରାପ୍‌ ଦଶାବତାର ତିଆରି କରିଛନ୍ତି। ରବିବାର ସକାଳେ ବିଶ୍ଵକର୍ମା ପୂଜା ମଣ୍ତପରେ ଦଶାବତାର ପ୍ରତିକୃତି ପ୍ରଦର୍ଶିତ ହୋଇଥିଲା। ଏଗୁଡ଼ିକୁ ଆଇଟିଆଇ ପରିସରସ୍ଥିତ ଓପନ୍‌ ସ୍କ୍ରାପ୍ ମ୍ୟୁଜିକ୍ ପ୍ରଦର୍ଶିତ କରାଯିବା ଯୋଜନା ରହିଛି।

Comments are closed.