ପଞ୍ଚମା ସିଦ୍ଧି ବିନାୟକ ପୀଠରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି

ବ୍ରହ୍ମପୁର: କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ବରଂ ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ପଞ୍ଚମାସ୍ଥିତ ସିଦ୍ଧି ବିନାୟକ ପୀଠରେ ମଙ୍ଗଳବାର ଭୋର୍‌ ୪ଟାରୁ ଭକ୍ତମାନେ ଠାକୁର ଦର୍ଶନ ଆରମ୍ଭ କରିଛନ୍ତି। ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଏବଂ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ମନ୍ଦିର ପର୍ଯ୍ୟନ୍ତ ଲମ୍ବିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ପ୍ରଶାସନ, ପୋଲିସ ଓ ମନ୍ଦିର କମିଟି ତଥା ଟ୍ରଷ୍ଟ ବୋର୍ଡ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରଣ୍ଢା ଛକ ନିକଟ ରାଜପଥରୁ ପଞ୍ଚମା ପୀଠ ପର୍ଯ୍ୟନ୍ତ ଅପେକ୍ଷାକୃତ ସଂକୀର୍ଣ୍ଣ ରାସ୍ତା ଓ ମଝିରେ ରେଳଧାରଣା ଥିବାରୁ ରଣ୍ଢା ଛକରୁ ଗାଡ଼ିମୋଟର ଚଳାଚଳ ବାରଣ କରାଯାଇଛି। ସେଠାରୁ ୨ କିମି ପର୍ଯ୍ୟନ୍ତ ଚାଲି ଚାଲି ଯାଉଛନ୍ତି ଭକ୍ତ। କିନ୍ତୁ ପ୍ରବଳ ଭିଡ଼ ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି। ଅପରପକ୍ଷରେ ରଣ୍ଢା ସରପଞ୍ଚ ଅଜିତ ରାଉଳଙ୍କ ଉଦ୍ୟମରେ ଏହି ୨ କିମି ରାସ୍ତାକୁ ଉଜ୍ଜଳ ଆଲୋକରେ ଆଲୋକିତ କରାଯାଇଛି। କିଛି କିଛି ବ୍ୟବଧାନରେ ଶ୍ରଦ୍ଧାଳୁଙ୍କ ସକାଶେ ଅସ୍ଥାୟୀ ବିଶ୍ରାମାଗାର, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି।

ଅପରପକ୍ଷରେ ପଞ୍ଚମା ସିଦ୍ଧି ବିନାୟକ ପୀଠକୁ ଆସୁଥିବା ଦୁଇଚକିଆ ଓ ଚାରିଚକିଆ ଗାଡ଼ିମୋଟର ରଣ୍ଢା ଛକରେ ପାର୍କିଂ କରୁଛନ୍ତି। ଭକ୍ତମାନେ ସେଠାରୁ ମନ୍ଦିରକୁ ଚାଲି କରି ଯାଉଛନ୍ତି। କିନ୍ତୁ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁଙ୍କ ସକାଶେ ରଣ୍ଢା ଛକରୁ ମନ୍ଦିର ପର୍ଯ୍ୟନ୍ତ ସ୍ଵତନ୍ତ୍ର ଅଟୋ ବ୍ୟବସ୍ଥା କରାଯାଇଛି। ମନ୍ଦିର କମିଟି ନିଷ୍ପତ୍ତି ମୁତାବକ ମଙ୍ଗଳବାର ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ଠାକୁର ଦର୍ଶନ କରିପାରିବେ। ମନ୍ଦିରରୁ ଭକ୍ତମାନେ ୧୦ ଟଙ୍କା ଦେଇ ଲଡୁ ଭୋଗ ଓ ୨୦ ଟଙ୍କା ଦେଇ ଖେଚୁଡ଼ି ଭୋଗ କିଣି ଖାଉଥିବା ତଥା ଘରକୁ ନେଉଥିବା ପରିଲକ୍ଷିତ ହେଉଛି। ଶୃଙ୍ଖଳା ରକ୍ଷା ଦୃଷ୍ଟିରୁ ଜଣେ ପୋଲିସ ଡିଏସ୍‌ପି, ତିନି ଜଣ ଇନ୍ସପେକ୍ଟର, ୧୨ ଜଣ ଅନ୍ୟ ଅଧିକାରୀଙ୍କ ସମେତ ଦୁଇ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ରଣ୍ଢା ଛକରେ ଟ୍ରାଫିକ୍‌ ପୁଲିସ ମୁତୟନ ରହିଛନ୍ତି। ମନ୍ଦିର ନିକଟ ଓ ପୀଠ ପରିସରରେ ସ୍ବେଚ୍ଛାସେବୀମାନେ ଭକ୍ତଙ୍କ ସୁବିଧା ତଥା ଶୃଙ୍ଖଳା ରକ୍ଷା ନିମନ୍ତେ କାର୍ଯ୍ୟ କରୁଛନ୍ତି।

Comments are closed.