ଓଡିଶା ଯାନ୍ତ୍ରିକ ସେବା ( ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ ) ନିୟାମକରେ ସଂଶୋଧନ : ଆଶାୟୀ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ପାଇଁ ପ୍ରସ୍ତୁତି ଜାରି ରଖିବାକୁ ସୂଚନା

ଭୁବନେଶ୍ବର – ସ୍ଵଚ୍ଛ ନିଯୁକ୍ତି ପଦ୍ଧତି ମାଧ୍ୟମରେ ମେଧାବୀ ପ୍ରାର୍ଥୀମାନଙ୍କୁ ଯାନ୍ତ୍ରିକ ସେବାରେ ଯୋଗ ଦେବା ଏବଂ ଯାନ୍ତ୍ରିକ ସେବାର ଗୁଣାତ୍ମକମାନ ବୃଦ୍ଧି କରିବା ପାଇଁ ଚଳିତ ମାସ ୧୫ ତାରିଖରେ ଓଡ଼ିଶା ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହାଦ୍ବାରା ଓଡ଼ିଶା ଯାନ୍ତ୍ରିକ ସେବା ( ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ ) ନିୟାମକ , ୨୦୧୨ର ନିୟମ ୭ ଅଧୀନସ୍ଥ ଉପନିୟମ ( ୩ ) ଓ ( ୪ ) ସଂଶୋଧନ କରାଯାଇ ଇଂଜିନିୟରିଂ ଡିଗ୍ରୀଧାରୀ ମେଧାବୀ ଆଶାୟୀ ପ୍ରାର୍ଥୀମାନଙ୍କୁ ଯାନ୍ତ୍ରିକ ସେବା ସଂବର୍ଗର ମୂଳ ପଦବୀରେ ସିଧାସଳଖ ନିଯୁକ୍ତି ଦେବା ନିମନ୍ତେ ଚୟନ ପ୍ରକ୍ରିୟା ସଂପାଦନ ସମୟରେ ୯୦ ପ୍ରତିଶତ ଅଗ୍ରାଧିକାର ବିଧିମାନ୍ୟ ‘ ଗ୍ରାଜୁଏଟ୍ ଆପ୍ଲିଚ୍ୟୁଡ୍ ଟେଷ୍ଟ ଇନ୍ ଇଂଜିନିୟରିଂକୁ ଏବଂ ୧୦ ପ୍ରତିଶତ ଅଗ୍ରାଧିକାର ଓଡିଶା ଲୋକସେବା ଆୟୋଗ ମାଧ୍ୟମରେ ସାକ୍ଷାତକାର ବିଚାରକୁ ନିଆଯିବା ପାଇଁ ସ୍ଥିର କରାଯାଇଛି । ଏହାଦ୍ବାରା ସ୍ବଚ୍ଛ ନିଯୁକ୍ତି ପଦ୍ଧତି ମାଧ୍ୟମରେ , ଇଂଜିନିୟରିଂ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ମେଧାବୀ ଯୁବକ ଯୁବତୀଙ୍କ ମଧ୍ୟରୁ ଯୋଗ୍ୟ ମେଧାବୀ ପ୍ରାର୍ଥୀମାନଙ୍କୁ ଚୟନ କରାଯାଇ ସ୍ବଳ୍ପ ସମୟ ମଧ୍ୟରେ ଓଡିଶା ଯାନ୍ତ୍ରିକ ସେବାରେ ନିଯୁକ୍ତି କରାଯାଇପାରିବ ।

ଆଗାମୀ ଦିନରେ ବିଭିନ୍ନ ବିଭାଗରେ ଖାଲି ପଡିଥିବା ଯାନ୍ତ୍ରିକ ସେବା ପଦବୀ ପୂରଣ ପାଇଁ ଖୁବ୍‌ ଶୀଘ୍ର ଓଡିଶା ଲୋକସେବା ଆୟୋଗଙ୍କୁ ବିଜ୍ଞପ୍ତି ପ୍ରକାଶ ପାଇଁ ସୁପାରିଶ କରାଯିବାକୁ ଥିବାବେଳେ ଜଳ ସଂପଦ ବିଭାଗ ତରଫରୁ ଏ ନେଇ ପ୍ରେସ୍ ବିବୃତି ମାଧ୍ୟମରେ ଇଂଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ଅଗ୍ରୀମ ପ୍ରସ୍ତୁତି ସଂପର୍କରେ ଅବଗତ କରାଯାଇଛି ।

Comments are closed.