ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ଗାନ୍ଧି ଜୟନ୍ତୀ ଅବସରରେ ଶାସକ ବିଜେଡି ଆରମ୍ଭ କରିବ ଜନସଂପର୍କ ପଦଯାତ୍ରା। ଚଳିତ ମାସ ୧୧ ତାରିଖ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ଚାଲିବ ବିଜେଡିର ଲୋକସମ୍ପର୍କ ପଦଯାତ୍ରା ।

ଭୁବନେଶ୍ୱର ମହାନଗର ନିଗମର ୫୭ ନମ୍ବର ୱାର୍ଡ ବରଗଡ଼ ବ୍ରିଟ୍ କଲୋନୀ ନେତାଜୀ ପଡ଼ିଆରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିବେ।

ଜନସମ୍ପର୍କ ପଦଯାତ୍ରା ବେଳେ ବିଜୁ ଜନତା ଦଳର ସାଂସଦ, ବିଧାୟକ, କର୍ମକର୍ତ୍ତା ରାଜ୍ୟର ସମସ୍ତ ୧୪୭ ନିର୍ବାଚନ ମଣ୍ଡଳୀ, ୩୧୪ ବ୍ଲକ, ସମସ୍ତ ସହରାଞ୍ଚଳରେ ଲୋକଙ୍କ ସହ ଯୋଡ଼ି ହେବେ । ସରକାରଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବେ । ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତା ପହଞ୍ଚାଇବା ସହ ଲୋକଙ୍କ ଅଭିଯୋଗ ବି ଶୁଣିବେ । ପଦଯାତ୍ରା ବେଳେ ସରକାରଙ୍କ ଜନକଲ୍ୟାଣ ଯୋଜନା ବାବଦରେ ଲୋକଙ୍କ ସହ ଆଲୋଚନା କରିବ ଦଳ । ଜନସମ୍ପର୍କ ପଦଯାତ୍ରାକୁ ବିଜେଡି ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନେ ଅନୁଧ୍ୟାନ କରିବେ । ରାଜ୍ୟ ସରକାରଙ୍କ ସଫଳତା ସହ ରାଜ୍ୟ ପ୍ରତି କେନ୍ଦ୍ରର ଲଗାତାର ଅବହେଳା ବାବଦରେ ବି ଲୋକଙ୍କୁ ସଚେତନ କରାଯିବ ।

Comments are closed.