ଥାନାରୁ ଜବତ ବାଣ ଓ ମଦର ସନ୍ଦେହଜନକ ଚୋରାଚାଲାଣ!

ଖୋର୍ଦ୍ଧା – ଜବତ କରାଯାଇଥିବା ବାଣ ଓ ମଦକୁ ଥାନାରୁ ଚୋରାଚାଲାଣ ଅଭିଯୋଗ । ଜଣେ ହୋମଗାର୍ଡ ପୋଲିସ କର୍ମଚାରୀଙ୍କ ଜାଣତରେ ଜବତ ବାଣ ଓ ମଦ ଥାନାରୁ ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାର ହୋମଗାର୍ଡ ତଥା ଡ୍ରାଇଭର ପ୍ରକାଶ ମୁଦୁଲିଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି।

ବେଗୁନିଆ ଥାନା ପୋଲିସ ଶନିବାର କଣ୍ଟାବାଡ଼ ଗାଁରେ ଏକ ବେଆଇନ ବାଣ କାରଖାନାରେ ଚଢ଼ାଉ କରି ବିପୁଳ ପରିମାଣରେ ବାଣ ଜବତ କରିବା ସହିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏକ ମଦ ବୋଝେଇ କାର୍‌ ମଧ୍ଯ ଜବତ କରିଥିଲା ପୋଲିସ । ତେବେ ଥାନା
ପରିସରରେ ଥିବା ଜବତ ବାଣ ଓ ମଦକୁ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ହୋମଗାର୍ଡ ପ୍ରକାଶ ମୁଦୁଲି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ଏକ ଗାଡ଼ିରେ ଜବତ ମଦ ଓ ବାଣ ନେଇ କୌଣସି ସ୍ଥାନକୁ ଯାଉଥିବା ବେଳେ ବେଗୁନିଆ ସରପଞ୍ଚ ଓ ସ୍ଥାନୀୟ ଲୋକେ ଧରିଥିଲେ। ବାଣ ଓ ମଦ କେଉଁଠିକି ନିଆଯାଉଛି ବୋଲି ଲୋକଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ହୋମଗାର୍ଡ ପ୍ରକାଶ ମୁଦୁଲି । ସ୍ଥାନୀୟ ଲୋକେ ତାଙ୍କୁ ଛାଡ଼ି ଦେବାକୁ ହାତଯୋଡି ନିବେଦନ କରିଥିଲେ ପ୍ରକାଶ। ତେବେ ଥାନା କନଷ୍ଟେବଳ ଓ ଅନ୍ୟଜଣେ ହୋମଗାର୍ଡ ସରୋଜ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ପ୍ରକାଶ ମୁଦୁଲି କାରରେ ବାଣ ଓ ମଦ ନେଇ ଯାଉଥିଲେ ବୋଲି ଲୋକଙ୍କ ଆଗରେ କହିଥିବା ଜଣାପଡ଼ିଛି। ବେଗୁନିଆ ସରପଞ୍ଚ ଖୋର୍ଦ୍ଧା ଏସ୍‌ଡିପିଓ ଦିଲ୍ଲୀପ ଦାସଙ୍କୁ ଖବର ଦେବା ପରେ ସେ ବେଗୁନିଆ ଥାନା ଆଇଆଇସି ଲୋକଙ୍କୁ ବୁଝାସୁଝା କରି କାରଟିକୁ ଜବତ କରି ଥାନାକୁ ନେଇଥିଲେ। ପରେ ଏହି ଘଟଣାରେ ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଡ୍ରାଇଭରଙ୍କୁ ଗିରଫ କରାଯାଇଛି।

Comments are closed.