ଭାରତରେ ରେକର୍ଡ ଟିକାକରଣ, ଦିନକରେ ଦେଶବ୍ୟାପୀ ଦିଆଗଲା ୨ କୋଟିରୁ ଊର୍ଦ୍ଧ୍ୱ ଡୋଜ୍

‌ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମଦିନ ଅବସରରେ ଭାରତରେ ରେକର୍ଡ ଟିକାକରଣ ହୋଇଛି । ଶୁକ୍ରବାର ସମଗ୍ର ଦେଶରେ ଦୁଇ କୋଟିରୁ ଊର୍ଦ୍ଧ୍ୱ ଡୋଜ୍ ଟିକା ଦିଆଯାଇଛି । କେନ୍ଦ୍ର ସରକାରଙ୍କ କୋ-ୱିନ୍ ପୋର୍ଟାଲ ତଥ୍ୟ ଅନୁଯାୟୀ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ସାରା ଦେଶରେ ୨,୦୦,୪୧,୧୩୬ ଟିକା ଡୋଜ୍ ଦିଆଯାଇଛି । ଏଥିସହ ଦେଶରେ ମୋଟ ଟିକାକରଣ ସଂଖ୍ୟା ୭୮.୮୬ କୋଟିରେ ପହଞ୍ଚିଛି । ଜାନୁୟାରୀ ୧୬ରୁ ଦେଶରେ କରୋନା ବିରୋଧୀ ଟିକାକରଣ ଅଭିଯାନ ଆରମ୍ଭ ହେବା ପରଠୁ ଚତୁର୍ଥ ଥର ପାଇଁ ଦିନକରେ କୋଟିଏରୁ ଊର୍ଦ୍ଧ୍ୱ ଟିକା ଡୋଜ୍ ଦିଆଯାଇଛି । ତେବେ ଶୁକ୍ରବାର କୋଟିଏ ଡୋଜ୍ ଟିକା ଅତି କମ୍ ସମୟରେ ଦିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି । ଆଜି ଅପରାହ୍ନ ସାଢ଼େ ଗୋଟାଏ ସୁଦ୍ଧା ଏକ କୋଟିରୁ ଊର୍ଦ୍ଧ୍ୱ ଟିକାଦାନ ହୋଇଥିଲା । ସନ୍ଧ୍ୟା ୫ଟା ସୁଦ୍ଧା ଏହା ୨ କୋଟି ଛୁଇଁଥିଲା । ପ୍ରଧାନମନ୍ତ୍ରୀଙ୍କୁ ଏହା ଏକ ଜନ୍ମଦିନ ଉପହାର ବୋଲି ମାଣ୍ଡବୀୟ ଟ୍ୱିଟ୍ କରି କହିଛନ୍ତି ।

ପ୍ରଥମ ଥର ଅଗଷ୍ଟ ୨୭ରେ କୋଟିଏରୁ ଊର୍ଦ୍ଧ୍ୱ ଟିକା ଦିଆଯାଇଥିଲା । ଏହାପରେ ଅଗଷ୍ଟ ୩୧ ଏବଂ ଏବଂ ସେପ୍ଟେମ୍ବର ୬ରେ ମଧ୍ୟ ଦୈନିକ ଟିକାକରଣ ସଂଖ୍ୟା ୧ କୋଟି ଟପିଥିଲା ।

Comments are closed.