ରାକ୍ଷସୀ ସାଜିଲା ମା’ , ଚାରିବର୍ଷର ଝିଅକୁ ମାରି ଜଙ୍ଗଲରେ ପୋତିଲା

ଫୁଲବାଣୀ – ନିଜ ମା’ ପାଲଟିଲା ରାକ୍ଷସୀ । ନିଜର ୪ ବର୍ଷର ଝିଅକୁ ହତ୍ୟା କରିଛି ମା’ । ଝିଅକୁ ମାରି ଜଙ୍ଗଲରେ ମୃତଦେହକୁ ପୋତି ଦେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୁଟିଙ୍ଗିଆ ଗାଁ ରେ । ଏହି ଘଟଣାରେ ମା’ ପଦ୍ମିନୀ ଦଣ୍ଡିଆକୁ ଅଟକ ରଖିଛି ପୋଲିସ।

ପଦ୍ମିନୀ ଗୁଟିଙ୍ଗିଆ ଗ୍ରାମର ରାକେଶଙ୍କୁ ବିବାହ କରିଥିଲେ। ହେଲେ ପାରିବାରିକ ଅଶାନ୍ତି ଯୋଗୁଁ ଗତ ୪ବର୍ଷ ହେଲା ପଦ୍ମିନୀ ବାପ ଘରେ ରହୁଥିଲେ। ଗତ ଶନିବାର ଦିନ ପଦ୍ମିନୀ ନିଜ ୪ବର୍ଷର ଝିଅ ସୁରେଖାକୁ ନେଇ କେଉଁଆଡେ ପଳାଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ସୋମବାର ପଦ୍ମିନୀ ବାପଘରକୁ ପଳାଇ ଆସିଥିଲେ ମଧ୍ୟ ଝିଅ ସୁରେଖା ଆସି ନଥିଲେ। ପଦ୍ମିନୀଙ୍କ ବାପା ନାତୁଣୀ ବିଷୟରେ ପଚାରିବାରୁ ଝିଅକୁ ମାରି ଜଙ୍ଗଲରେ ପୋତି ଦେଇଥିବା କହିଥିଲେ ପଦ୍ମିନୀ । ପଦ୍ମିନୀଙ୍କ ବାପା ପୋଲିସକୁ ଖବର ଦେଇଥିଲେ। ଝିଅକୁ ମାରି ପୋତି ଦେଇଥିବା କଥା ପଦ୍ମିନୀ ପୋଲିସ ଆଗରେ କହିଥିଲେ। ପୋଲିସ ଜଙ୍ଗଲରୁ ସୁରେଖାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। କାହିଁକି ପଦ୍ମିନୀ ଝିଅକୁ ହତ୍ୟା କଲେ ତା’ର କାରଣ ଜଣାପଡ଼ିନାହିଁ।

Comments are closed.