ଶୀର୍ଷ ସ୍ଥାନ ପାଇଁ ଲଢ଼େଇ: ଆଜି ଇଡେନ୍ ଗାର୍ଡେନ୍ସରେ ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ

କୋଲକାତା: ଦିନିକିଆ ବିଶ୍ବକପ୍‌ରେ ରବିବାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ଚଳିତ ଟୁର୍ଣ୍ଣାମେଣ୍ଟର ଦୁଇ ଟପ୍ ଟିମ୍ ଭାରତ ଓ ଦକ୍ଷିଣ ଆଫ୍ରିକା । ଭାରତ ଏଯାବତ୍ ୭ଟିରୁ ୭ ମ୍ୟାଚ୍ ଜିତି ଅପରାଜେୟ ସହ ଶୀର୍ଷ ସ୍ଥାନରେ ରହିଛି। ଏହି ମ୍ୟାଚ୍ ଜିତି ଭାରତ ଅପରାଜେୟ ଧାରା ବଜାୟ ରଖିବାକୁ ଚାହିଁବ। ଭାରତ ଏହାର ୭ ମ୍ୟାଚରେ ବିଜୟ ସହିତ ସେମିଫାଇନାଲରେ ପ୍ରବେଶ କରିସାରିଥିବା ବେଳେ ଦକ୍ଷିଣ ଆଫ୍ରିକା ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୬ଟିରେ ବିଜୟୀ ହୋଇଛି। ଦଳର ଏକମାତ୍ର ପରାଜୟ ନେଦରଲାଣ୍ଡ ବିପକ୍ଷରେ ଆସିଛି। ଦକ୍ଷିଣ ଆଫ୍ରିକାର ମଧ୍ୟ ସେମିଫାଇନାଲ ନିଶ୍ଚିତ ହୋଇସାରିଥିବା ବେଳେ ଆଜିର ମୁକାବିଲା ଶୀର୍ଷ ସ୍ଥାନ ପାଇଁ ହେଉଛି ହେବ ।

୨୦୧୧ ବିଶ୍ଵକପ୍ ସଂସ୍କରଣରେ ଚାମ୍ପିୟନ ଭାରତ ଏହାର ଏକ ମାତ୍ର ମ୍ୟାଚ୍ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିଲା। ତେବେ ବର୍ତ୍ତମାନର ଫର୍ମକୁ ଦୃଷ୍ଟିରେ ରଖିଲେ ଭାରତକୁ ଏହି ମ୍ୟାଚରେ ଫେଭରିଟ୍ ଭାବରେ ବିବେଚନା କରାଯିବ। ଉଭୟ ଦଳର ବ୍ୟାଟିଂ ଶକ୍ତିଶାଳୀ ରହିଥ‌ିବା ବେଳେ ବୋଲିଂ ମଧ୍ୟ ସମାନ ଭାବରେ ଶକ୍ତିଶାଳୀ। ତେବେ ଭାରତ ଦ୍ରୁତ ବୋଲିଂ ବିଭାଗରେ ଟିକିଏ ଅଧିକ ଶକ୍ତିଶାଳୀ ମନେହେଉଛି। ଚଳିତ ବିଶ୍ୱକପରେ ଭାରତୀୟ ଦଳ ବିପକ୍ଷରେ ଏଯାଏ ଥରେ ମଧ୍ୟ ୩୦୦ ରନ୍ ସ୍କୋର ହୋଇ ନାହିଁ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦଳ ୫ ଥର ୩୦୦+ ସ୍କୋର କରିବାରେ ସମର୍ଥ ହୋଇଛି। ଦଳରେ ଏକାଧିକ ପାୱାର ହିଟର ରହିଥ‌ିବା ବେଳେ ଭାରତର ବୋଲିଂ ଓ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିବ। ଏହି ମ୍ୟାଚ୍ ଜିତିଲେ ଭାରତ ଏକ ନମ୍ବର ସ୍ଥାନରେ ରହି ସେମିକୁ ପ୍ରବେଶ କରିବ।

ଏହା ସହ ଏହି ମ୍ୟାଚ୍‌ ବିରାଟ କୋହଲିଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର। ରବିବାର କୋହଲି ୩୫ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ବେଳେ ଦିନିକିଆରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକର ସମକକ୍ଷ ହେବାର ସୁଯୋଗ ତାଙ୍କ ନିକଟରେ ରହିଛି।

ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚରେ ୪୨୮ ରନ୍ ସ୍କୋର କରିଥିବା ବେଳେ ୫ ଥର ୩୦୦+ ସ୍କୋର କରିସାରିଛି। ତେବେ ସମସ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିଛି। କ୍ଲିଣ୍ଟନ୍ ଡି’କକ୍ ୫୪୫ ରନ୍‌ ସହିତ ଟୁର୍ନାମେଣ୍ଟର ସର୍ବାଧିକ ସ୍କୋରର ରହିଛନ୍ତି। ତେବେ ରନ୍ଗର ପିଛା କରିବା ଦକ୍ଷିଣ ଆଫ୍ରିକାର ଦୁର୍ବଳତା ରହିଛି। ଏହି ମ୍ୟାଚ୍ ଚମତ୍କାର ଫର୍ମରେ ଥିବା ଭାରତୀୟ ବୋଲର ଓ ଦକ୍ଷିଣ‌‌ ଆଫ୍ରିକାର ବିଗ୍ ହିଟର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଏକ ରୋଚକ ମୁକାବିଲା ହେବ।

Comments are closed.