ସୁବ୍ରତ ରୟଙ୍କ ମୃତ୍ୟୁ ସତ୍ତ୍ୱେ ସାହାରା ଗ୍ରୁପ୍ ବିରୋଧରେ ଚାଲିବ ମାମଲା, ସ୍ପଷ୍ଟ କଲେ ସେବି ମୁଖ୍ୟ

ନୂଆଦିଲ୍ଲୀ: ପ୍ରତିଷ୍ଠାତା ସୁବ୍ରତ ରୟଙ୍କ ମୃତ୍ୟୁ ପରେ ମଧ୍ୟ ସାହାରା ଗ୍ରୁପ୍ ବିରୋଧରେ ମାମଲା ଚାଲିବ। ମାର୍କେଟ ନିୟାମକ ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି ।

ବୁଚ୍ ଏକ ‘ଫିକି’ ଇଭେଣ୍ଟରେ ଗଣମାଧ୍ୟମକୁ କହିଛନ୍ତି, ଏହି ମାମଲା ଏକ କମ୍ପାନୀ ସହ ଜଡ଼ିତ । ତେଣୁ ଜଣେ ବ୍ୟକ୍ତିଙ୍କ ଜୀବିତ ରହିବା ନ ରହିବା ଦ୍ବାରା ଏହା ପ୍ରଭାବିତ ହେବ ନାହିଁ।

ସାହାରା ମୁଖ୍ୟ ସୁବ୍ରତ ରୟଙ୍କର ମଙ୍ଗଳବାର ୭୫ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ କମ୍ପାନୀରେ ଅନିୟମିତତା ଅଭିଯୋଗ ନେଇ ମାମଲାର କ’ଣ ହେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ସେବି ସାହାରା ଗ୍ରୁପକୁ ୨୪,୦୦୦ କୋଟି ଟଙ୍କା ଜମା କରିବାକୁ କହିଥିଲା । ଯାହା ଦ୍ୱାରା ନିବେଶକଙ୍କ ଟଙ୍କା ଫେରସ୍ତ ହୋଇପାରିବ । କିନ୍ତୁ ଏପର୍ଯ୍ୟନ୍ତ କେବଳ ୧୩୮ କୋଟି ଟଙ୍କା ଫେରସ୍ତ କରାଯାଇଛି।

ବେଆଇନ ଭାବେ ପଞ୍ଜି ସ୍କିମ୍ ଚଳାଇ ନିବେଶକଙ୍କଠାରୁ ବିପୁଳ ପରିମାଣର ଟଙ୍କା ସଂଗ୍ରହ କରାଯାଇଥିବା ନେଇ ସାହାରା ଗ୍ରୁପ୍ ବିରୋଧରେ ଅଭିଯୋଗ ହୋଇଥିଲା ।

ସୁବ୍ରତ ରୟଙ୍କ ସମସ୍ୟା ୨୦୧୦ରେ ଆରମ୍ଭ ହୋଇଥିଲା ଯେତେବେଳେ ସାହାରା ଗ୍ରୁପର ଦୁଇ କମ୍ପାନୀକୁ ବଜାରରୁ ପାଣ୍ଠି ସଂଗ୍ରହ କରିବାକୁ ସେବି ବାରଣ କରିଥିଲା |

ସାହାରା ଗ୍ରୁପର ଉକ୍ତ ଦୁଇ କମ୍ପାନୀ ନିବେଶକଙ୍କୁ ୨୦,୦୦୦ କୋଟି ଟଙ୍କା ଫେରସ୍ତ ନ କରିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସୁବ୍ରତ ରୟ ୨୦୧୪ରେ ଗିରଫ ବି ହୋଇଥିଲେ।

ଏହି ଦୁଇ କମ୍ପାନୀ ହେଲେ – ସାହାରା ଇଣ୍ଡିଆ ରିୟଲ୍ ଇଷ୍ଟେଟ୍ କର୍ପୋରେସନ୍ ଏବଂ ସାହାରା ହାଉସିଂ ଇନଭେଷ୍ଟମେଣ୍ଟ୍ କର୍ପୋରେସନ୍ । ଏହି ଦୁଇ କମ୍ପାନୀ ୨୦୦୭-୦୮ରେ ଡିବେଞ୍ଚର (ଅପସନାଲ୍ ଫୁଲି କନଭର୍ଟିବଲ୍ ଡିବେଞ୍ଚର – ଓଏଫସିଡି) ମାଧ୍ୟମରେ ପାଣ୍ଠି ସଂଗ୍ରହ କରିଥିଲେ ।

ସାହାରା ଗ୍ରୁପ୍ ୨୦୦୧ ରୁ ୨୦୧୩ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳର ପ୍ରାୟୋଜକ ଥିଲା | ଆଇପିଏଲରେ ବି ନିବେଶ କରିଥିଲେ ସାହାରା ମୁଖ୍ୟ ସୁବ୍ରତ ରୟ ।

Comments are closed.