ବିଶ୍ୱକପ ଫାଇନାଲକୁ ‘ବନ୍ଦ’ କରିଦେବାକୁ ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁନ୍

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁନ୍ ପୁଣି ଏକ ଭିଡିଓ ଜାରି କରି ଭାରତକୁ ନାଲିଆଖି ଦେଖାଇଛି । ରବିବାର ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ବିଶ୍ୱକପ ଫାଇନାଲକୁ ‘ବନ୍ଦ’ କରିଦେବ ବୋଲି ଧମକ ଦେଇଛି ପନ୍ନୁନ୍।

ଭିଡିଓରେ ନିଷିଦ୍ଧ ଖଲିସ୍ତାନୀ ସଂସ୍ଥା ‘ଶିଖ୍ ଫର ଜଷ୍ଟିସ୍’ର ପ୍ରତିଷ୍ଠାତା ପନ୍ନୁନ୍ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ଏବଂ ୨୦୦୨ ଗୁଜରାଟ ଦଙ୍ଗା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛି। ଏହାଛଡ଼ା ଇସ୍ରାଏଲ-ହାମାସ ଯୁଦ୍ଧରେ ଭାରତର ଆଭିମୁଖ୍ୟ ବିଷୟରେ ବି କହୁଛି ଏହି ଖଲିସ୍ତାନୀ ଆତଙ୍କବାଦୀ ।
ପନ୍ନୁନ୍ ପ୍ରଥମ ଥର ପାଇଁ ଏଭଳି ଧମକପୂର୍ଣ୍ଣ ଭିଡିଓ ରିଲିଜ୍ କରିନାହିଁ ।

ଏହା ପୂର୍ବରୁ ଅକ୍ଟୋବରରେ ପନ୍ନୁନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରୁ ଶିଖିବାକୁ କହିବା ସହ ଭାରତରେ ହାମାସ୍ ଭଳି ଆକ୍ରମଣ ନେଇ ଚେତାବନୀ ଦେଇଥିଲା ‌।

ସେପ୍ଟେମ୍ବର ମାସରେ ଗୁଜରାଟ ପୋଲିସ୍ ଧମକ ଦେବା ଏବଂ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହନ କରିବା ଅଭିଯୋଗରେ ପନ୍ନୁନ୍ ବିରୋଧରେ ମାମଲା ରୁଜୁ କରିଥିଲା ।

Comments are closed.