‘ଡିପଫେକ୍’ ପ୍ରସଙ୍ଗରେ ସରକାର ଆଣିବେ ନୂଆ ନିୟମ

ନୂଆଦିଲ୍ଲୀ: ‘ଡିପଫେକ୍’ ପ୍ରସଙ୍ଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରତିନିଧି ମାନଙ୍କ ସହ ଏକ ବୈଠକ କରିଛନ୍ତି। ଅଶ୍ୱିନୀ ବୈଷ୍ଣବ ‘ଡିପଫେକ୍’କୁ ଗଣତନ୍ତ୍ର ପାଇଁ ଏକ ନୂଆ ବିପଦ ବୋଲି ଅଭିହିତ କରିଛନ୍ତି । ଏହାକୁ ରୋକିବା ପାଇଁ ସରକାର ଯଥାଶୀଘ୍ର ନୂଆ ନିୟମ ଆଣିବେ‌ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

‘ଡିପଫେକ୍’କୁ ଚିହ୍ନଟ କରିବା, ଏହାକୁ ରୋକିବା ତଥା ଏ ସମ୍ପର୍କରେ ସୂଚନା ଦେବା ପାଇଁ ସୁଦୃଢ ବ୍ୟବସ୍ଥା କରାଯିବ। ୟୁଜରମାନଙ୍କ ମଧ୍ୟରେ ଡିପଫେକ୍ ନେଇ ସଚେତନତା ସୃଷ୍ଟି କରିବାକୁ ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକ ରାଜି ହୋଇଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଡିପଫେକ୍’ ପରି ଟେକ୍ନୋଲୋଜିର ଅପବ୍ୟବହାର ନେଇ ଗଭୀର ଚିନ୍ତା ପ୍ରକଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କୃତ୍ରିମ ଇଣ୍ଟେଲିଜେନ୍ସ ଆଧାରିତ ଡିପଫେକ୍ ଦେଶ ପାଇଁ ଏକ ବଡ଼ ବିପଦ ବୋଲି କହିଥିଲେ। ଗଣମାଧ୍ୟମ ଏନେଇ ଲୋକଙ୍କୁ ସଚେତନ କରାଇବା ଉଚିତ୍ ବୋଲି କହିଥିଲେ ମୋଦୀ ।

ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କର ଏକ ଡିପଫେକ୍ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପରି ବୟାନ ଆସିଥିଲା। ରଶ୍ମିକାଙ୍କ ବ୍ୟତୀତ ‘ଟାଇଗର ୩’ର ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ କାଜୋଲଙ୍କ ଡିପଫେକ୍ ଫଟୋ ଓ ଭିଡ଼ିଓ ମଧ୍ୟ ଇଣ୍ଟରନେଟରେ ଦେଖିବାକୁ ମିଳିଥିଲା।

‘ଡିପଫେକ୍’ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ଜଣେ ବ୍ୟକ୍ତିଙ୍କ ଫଟୋ କିମ୍ବା ଭିଡିଓରେ ଅନ୍ୟଜଣେ ବ୍ୟକ୍ତିଙ୍କ ଚେହେରା ଲଗାଇ ଦିଆଯାଏ । ଏଥିରେ ଏତେ ସମାନତା ଥାଏ ଯେ ଅସଲି ଓ ନକଲି ମଧ୍ୟରେ ଫରକ୍ ବାରିବା ବେଶ୍ କଷ୍ଟକର ହୋଇଥାଏ ।

Comments are closed.