ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ, ୧,୮୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ଜୟପୁର: ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ। ରାଜ୍ୟର ୨୦୦ ଆସନ ମଧ୍ୟରୁ ୧୯୯ ଟି ଆସନରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ। କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ କରଣପୁର ବିଧାନସଭା ଆସନ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ୧୯୯ ବିଧାନସଭା ଆସନରେ ୧,୮୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫ କୋଟି ୨୫ ଲକ୍ଷ ୩୮ ହଜାର ୧୦୫ ଭୋଟର | ନିର୍ବାଚନରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ପୂର୍ବତନ ସିଏମ୍ ବସୁନ୍ଧରା ରାଜେ, ସଚିନ୍ ପାଇଲଟ୍, ରାଜ୍ୟବର୍ଦ୍ଧନ ସିଂହ ରାଠୋର ଏବଂ ଦିୟା କୁମାରୀଙ୍କ ସହ ବହୁ ଭେଟେରାନ୍ ନେତାଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।

କ୍ଷମତାସୀନ କଂଗ୍ରେସ ପ୍ରଥା ବଦଳାଇ ପୁଣି ଶାସନଗାଦିକୁ ଫେରିବା ଲକ୍ଷ୍ୟରେ ରହିଥିବା ବେଳେ ବିଜେପି ଆଇନ ଶୃଙ୍ଖଳା, ପେପର ଲିକ୍, ଚୌକି ମୋହ, ଉଦୟପୁରର ଜଘନ୍ୟ କହ୍ନେୟାଲାଲ ହତ୍ୟାକାଣ୍ଡ ଆଦି ପ୍ରସଙ୍ଗକୁ ଢାଲ କରି ନିର୍ବାଚନ ଲଢୁଛି ।

ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପ୍ରାୟ ଏକ ଲକ୍ଷ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା ୬,୨୮୭ ‘ମାଇକ୍ରୋ ଅବଜର୍ଭର’ ଏବଂ ୬୨୪୭ ସେକ୍ଟର ଅଫିସର ନିଯୁକ୍ତ ହୋଇଛନ୍ତି। ସେହିଭଳି ୨,୭୪,୮୪୬ ମତଦାନ କର୍ମଚାରୀ ମଧ୍ୟ ଭୋଟ୍ ପରିଚାଳନା କରୁଛନ୍ତି।

Comments are closed.