ଉତ୍ତରକାଶୀ ଟନେଲ୍ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟରେ ଆସୁଛି ନାନା ବାଧା, ବିଳମ୍ବ ହେବ ଶ୍ରମିକଙ୍କ ମୁକ୍ତି

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ବିଳମ୍ବ ହେବ । ଉଦ୍ଧାର କାର୍ଯ୍ୟରେ ଗୋଟିଏ ପରେ ଗୋଟିଏ ବାଧା ଆସୁଥିବାରୁ ଏହି ଅପରେସନ ଆହୁରି ଅନେକ ସପ୍ତାହ ଚାଲିପାରେ । ଡ୍ରିଲିଂ କରାଯାଉଥିବା ଅଗର ମେସିନ୍ ବାରମ୍ବାର ଅଚଳ ହେଉଥିବାରୁ ଏବେ ଉଦ୍ଧାରକାରୀ ଦଳ ଭୂଲମ୍ବ ଓ ହାତରେ ଡ୍ରିଲିଂ ଭଳି ବିକଳ୍ପ ଉପରେ ବିଚାର କରୁଛନ୍ତି ।

ଗତ କିଛି ଦିନ ଧରି ଅଗର୍ ମେସିନ୍ ସହ ଡ୍ରିଲିଂ ସମୟରେ ଅନେକ ବାଧା ଆସିଥିଲା । ଡ୍ରିଲିଂ ମେସିନର ଏକ ବ୍ଲେଡ୍ ମାଟିପଥର ଭିତରେ ଫସି ଯାଇଛି। ଏହାକୁ ହଟାଇବା ପରେ ହିଁ ହ୍ୟାଣ୍ଡ୍ ଡ୍ରିଲିଂ ଆରମ୍ଭ ହେବ ।

ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ଅନ୍ତର୍ଜାତୀୟ ଟନେଲ୍ ବିଶେଷଜ୍ଞ ଆର୍ଣ୍ଣୋଲ୍ଡ ଡିକ୍ସ ଗଣମାଧ୍ୟମକୁ କହିଛନ୍ତି, “ଆମେ ଯେଉଁ ବିକଳ୍ପ ଆପଣାଇଛୁ ଏହାର ମଧ୍ୟ ସୁବିଧା-ଅସୁବିଧା ଅଛି। ଆମକୁ ଉଦ୍ଧାରକାରୀ ଓ ଶ୍ରମିକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ପଡ଼ିବ।

ସେ କହିଛନ୍ତି ଯେ ଅପରେସନରେ ନିୟୋଜିତ ଏକାଧିକ ଏଜେନ୍ସିର ଲକ୍ଷ୍ୟ ହେଉଛି ଫସି ରହିଥିବା ଲୋକ ଓ ଉଦ୍ଧାର କର୍ମଚାରୀଙ୍କ ସୁରକ୍ଷା। ଖ୍ରୀଷ୍ଟମାସ ସୁଦ୍ଧା ଶ୍ରମିକ ନିରାପଦରେ ନିଜ ଘରକୁ ଫେରିବେ ।

ଚାରିଧାମ ଯାତ୍ରା ମାର୍ଗରେ ନିର୍ମାଣ କରାଯାଉଥିବା ଟନେଲର ଏକ ଅଂଶ ନଭେମ୍ବର ୧୨ରେ ଭୁଶୁଡ଼ି ପଡ଼ିବାରୁ ଏଥିରେ କାର୍ଯ୍ୟରତ ୪୧ ଜଣ ଶ୍ରମିକ ଭିତରେ ଫସି ଯାଇଥିଲେ । ସେବେଠାରୁ ବିଭିନ୍ନ ଏଜେନ୍ସି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଟନେଲର ଭୁଶୁଡ଼ି ପଡ଼ିଥିବା ଅଂଶରେ ଡ୍ରିଲିଂ ଶୁକ୍ରବାର ରାତିରେ ପୁଣି ବନ୍ଦ କରିବାକୁ ପଡ଼ିଥିଲା। ‘ଡ୍ରିଲିଂ’ ରୋକାଯିବା ପୂର୍ବରୁ ଟନେଲରେ ୪୬.୮ ମିଟର ଯାଏଁ ୮୦୦ ମିମି ଚଉଡା ଷ୍ଟିଲ୍ ପାଇପ୍ ପୂରାଇ ଦିଅଯାଇଥିଲା | ଟନେଲର ଭୁଶୁଡ଼ି ପଡ଼ିଥିବା ଅଂଶର ଲମ୍ବ ହେଉଛି ପ୍ରାୟ ୬୦ ମିଟର ।

ଶ୍ରମିକମାନଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଏକ ଛଅ ଇଞ୍ଚର ଚତୁର୍ଥ ଟ୍ୟୁବକୁ ୫୭ ମିଟର ଯାଏଁ ପହଞ୍ଚାଇ ଦିଆଯାଇଛି ।

ଜଣେ ଅଧିକାରୀ କହିଛନ୍ତି, ଗୋଟିଏ ପରେ ଗୋଟିଏ ବାଧା ଯୋଗୁଁ ଅଗର୍ ମେସିନ୍ ଦ୍ବାରା ଷ୍ଟିଲ୍ ପାଇପ୍ ପୂରାଇବା ପାଇଁ ଭୂସମାନ୍ତର ‘ଡ୍ରିଲିଂ’ କାମ ବନ୍ଦ କରିବାକୁ ପଡୁଛି । ଅବଶିଷ୍ଟ ୧୦ ରୁ ୧୨ ମିଟର ହାତରେ ଖୋଳିବା ବିକଳ୍ପ ଉପରେ ବିଚାର କରାଯାଉଛି। ସେ କହିଛନ୍ତି ଯେ ହାତରେ ‘ଡ୍ରିଲିଂ’ କାମ ଅଧିକ ସମୟ ନେଇଥାଏ।

ଏକ ଭୂଲମ୍ବ ଉଦ୍ଧାର ମାର୍ଗ ନିର୍ମାଣ ପାଇଁ ମଧ୍ୟ ଉଦ୍ୟମ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି।

ଶନିବାର ସକାଳେ ଏକ ବଡ଼ ‘ଡ୍ରିଲିଂ’ ମେସିନକୁ ଟନେଲର ଉପର ପାହାଡ଼ ଆଡକୁ ନିଆଯାଇଥିଲା, ଯେଉଁଠି ଭୂଲମ୍ବ ଡ୍ରିଲିଂ ପାଇଁ ବିଶେଷଜ୍ଞମାନେ ଦୁଇଟି ସ୍ଥାନ ଚିହ୍ନଟ କରିଛନ୍ତି |

କିଛି ସମୟ ଧରି ଭୂଲମ୍ବ ଡ୍ରିଲିଂ ଉପରେ ବିଚାର କରାଯାଉଥିବାରୁ ସୀମା ସଡକ ସଂଗଠନ (ବିଆରଓ) ଟନେଲର ଉପର ପର୍ଯ୍ୟନ୍ତ ୧‌.୫ କିଲୋମିଟର ଲମ୍ୱା ରାସ୍ତା ନିର୍ମାଣ କରିସାରିଛି।

ଆନ୍ତର୍ଜାତୀୟ ଟନେଲିଂ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ କିଛି ଦିନ ପୂର୍ବରୁ କହିଥିଲେ ଯେ ଭର୍ଟିକାଲ୍ ଡ୍ରିଲିଂ ହେଉଛି ଅଧିକ ସମୟ ସାପେକ୍ଷ ଏବଂ ଜଟିଳ ବିକଳ୍ପ, ଟନେଲର ଉପରି ଭାଗରେ ଅପେକ୍ଷାକୃତ ସଂକୀର୍ଣ୍ଣ ସ୍ଥାନ ଯୋଗୁଁ ଅଧିକ ସଠିକତା ଏବଂ ସତର୍କତା ଆବଶ୍ୟକ |

ମେସିନ୍ ଦ୍ୱାରା ଡ୍ରିଲିଂରେ ବାରମ୍ବାର ବାଧା ସୃଷ୍ଟି ଏବଂ ସେମାନଙ୍କ ମୁକୁଳିବା ବିଳମ୍ବ ହେବାରୁ ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କ ସମ୍ପର୍କୀୟମାନେ ଧୈର୍ଯ୍ୟ ହରାଇଲେଣି |

Comments are closed.