ଚୀନ୍‌ରେ ନିମୋନିଆ ପ୍ରକୋପ ନେଇ ସରକାର ଆଲର୍ଟ, ସ୍ବାସ୍ଥ୍ୟସେବା ପ୍ରସ୍ତୁତିର ସମୀକ୍ଷା ପାଇଁ ରାଜ୍ୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଚୀନ୍‌ରେ ବଢ଼ୁଥିବା ନିମୋନିଆ ଓ ଶ୍ଵାସ ରୋଗ ଦୃଷ୍ଟିରୁ ସ୍ବାସ୍ଥ୍ୟସେବା ପ୍ରସ୍ତୁତିର ତୁରନ୍ତ ସମୀକ୍ଷା କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସବୁ ରାଜ୍ୟଙ୍କୁ କହିଛି। ଚୀନରେ ପିଲାମାନଙ୍କ ମଧ୍ୟରେ ମାଇକୋପ୍ଲାଜ୍ମା ନିମୋନିଆ ଓ ଇନଫ୍ଲୁଏଞ୍ଜା ଫ୍ଲୁ ପ୍ରସାର ଯୋଗୁଁ ଉତ୍ପନ୍ନ ପରିସ୍ଥିତି ଉପରେ ସରକାର ନିରନ୍ତର ନଜର ରଖିଛନ୍ତି ଏବଂ ଆବଶ୍ୟକ ପଦକ୍ଷେପ ନେଉଛନ୍ତି | ଡାକ୍ତରଖାନା ଗୁଡ଼ିକରେ ସ୍ୱାସ୍ଥ୍ୟସେବା ଯାଞ୍ଚ କରିବା ପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ବିଶେଷ ନିର୍ଦ୍ଦେଶ ଦେଇଛି। ଏହାଛଡ଼ା ଇନଫ୍ଲୁଏଞ୍ଜା ଓ ଶୀତ ଋତୁରେ ଅଧିକ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସଚିବ ଏକ ଚିଠିରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଖାନା ଗୁଡ଼ିକରେ ସ୍ୱାସ୍ଥ୍ୟସେବାର ତୁରନ୍ତ ସମୀକ୍ଷା କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ କହିଛନ୍ତି । ସମସ୍ତ ରାଜ୍ୟକୁ ସତର୍କ ନଜର ରଖିବାକୁ କୁହାଯାଇଛି। କରୋନା ମହାମାରୀର ତିନି ବର୍ଷ ପରେ ଚୀନ୍‌ରେ ଶ୍ୱାସ ରୋଗର ଲହର ଦେଖିବାକୁ ମିଳିଛି । ଏହା ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହେଉଛନ୍ତି | କୋଭିଡ୍-୧୯ ଭଳି ପରିସ୍ଥିତି ଏଡ଼ାଇବା ପାଇଁ ସମସ୍ତ ରାଜ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ସରକାର କହିଛନ୍ତି ଯେ ସମ୍ପ୍ରତି ଶ୍ଵାସ ରୋଗ ମାମଲା ଅଧିକ ରିପୋର୍ଟ ହେଉଛି ଯେଉଁଥିରେ ସ୍ୱାଇନ୍ ଫ୍ଲୁ, ମାଇକୋପ୍ଲାଜମା ନିମୋନିଆ ଓ SARS-CoV-2 ସାମିଲ | କିନ୍ତୁ ବର୍ତ୍ତମାନ ଚିନ୍ତା କରିବାର କୌଣସି କାରଣ ନାହିଁ ।

Comments are closed.