ଚାଲିଛି ମାନୁଏଲ୍ ଡ୍ରିଲିଂ, ଶ୍ରମିକଙ୍କ ଠାରୁ ମାତ୍ର ୫ ମିଟର ଦୂରରେ ଉଦ୍ଧାରକାରୀ ଦଳ

ଉତ୍ତରକାଶୀ: ଉତ୍ତରାଖଣ୍ଡ ସିଲ୍କିୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ବାହାର କରିବା ପାଇଁ ଚାଲିଥିବା ଉଦ୍ଧାର କାର୍ଯ୍ୟର ଆଜି ୧୭ ତମ ଦିନ ।

ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କ ନିକଟରେ ପହଞ୍ଚିବା ପାଇଁ ଯେଉଁ ଆମେରିକୀୟ ଅଗର୍ ମେସିନ୍ ଦ୍ବାରା ଭୂସମାନ୍ତର ଡ୍ରିଲିଂ ହେଉଥିଲା ତାହା ଭାଙ୍ଗିବା ପରେ ଏବେ ମାନୁଆଲ୍ ଡ୍ରିଲିଂ କରାଯାଉଛି। ର଼୍ୟାଟ୍ ହୋଲ୍ ମାଇନିଂ ବିଶେଷଜ୍ଞଙ୍କ ଦ୍ବାରା ଚାଲିଛି ମାନୁଆଲ୍ ଡ୍ରିଲିଂ । ଗତକାଲି ଠାରୁ ଆରମ୍ଭ ହୋଇଥିବା ମାନୁଏଲ୍ ଡ୍ରିଲିଂ ଦ୍ବାରା ୫୫ ମିଟର ଖନନ ଶେଷ ହୋଇଥିବା କୁହାଯାଇଛି । ଫସି ରହିଥିବା ଶ୍ରମିକଙ୍କ ଠାରୁ ଏବେ ମାତ୍ର ୫ ମିଟର ଦୂରରେ ଅଛନ୍ତି ଉଦ୍ଧାରକାରୀ ଦଳ । ଆସନ୍ତା ୨୪ ଘଣ୍ଟା ଭିତରେ ଖୁସି ଖବର ମିଳିବା ଆଶା କରାଯାଉଛି ।

ଏହାଛଡ଼ା ଟନେଲ୍ ଉପରି ଭାଗରେ ଭର୍ଟିକାଲ୍ ବା ଭୂଲମ୍ବ ଖନନ ମଧ୍ୟ ଜାରି ରହିଛି। ୮୬ ମିଟର ପର୍ଯ୍ୟନ୍ତ ଭୂଲମ୍ବ ଖନନ କରିବାକୁ ଥିବାବେଳେ ଏପର୍ଯ୍ୟନ୍ତ ୩୬ ମିଟର ଖନନ ସରିଛି ।

ସିଲ୍କିୟାରା ପଟରୁ ଡ୍ରିଲିଂ ସହ ଏସ୍କେପ୍ ପାଇପ୍ ପକାଇବା ବେଳେ ନଭେମ୍ବର ୨୪ରେ ଆମେରିକାରୁ ଅଣାଯାଇଥିବା ଡ୍ରିଲିଂ ମେସିନର ବ୍ଲେଡ୍ ଶ୍ରମିକମାନେ ଫସିଥିବା ସ୍ଥାନର ୧୨ ମିଟର ପୂର୍ବରୁ ଭାଙ୍ଗି ଯାଇଥିଲା । ଫଳରେ ଉଦ୍ଧାର କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା ।

ଏବେ ଉତ୍ତରାଖଣ୍ଡର ଖରାପ ପାଗ ଉଦ୍ଧାର କାର୍ଯ୍ୟ ସମୟରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ଆସନ୍ତା ୨୪ ଘଣ୍ଟା ଧରି ରାଜ୍ୟରେ ବର୍ଷା ଓ କୁଆପଥର ମାଡ଼ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟ ଆହୁରି ବିଳମ୍ବ ହୋଇପାରେ ।

ଟନେଲରେ ଚାଲିଥିବା ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱତନ୍ତ୍ର ସଚିବ ପି.କେ ମିଶ୍ରା, ଗୃହ ସଚିବ ଅଜୟ କେ ଭଲ୍ଲା ଓ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଏସ୍ ସାନ୍ଧୁ ସୋମବାର ଘଟଣାସ୍ଥଳରେ ପହଞ୍ଚିଥିଲେ।

Comments are closed.