ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ବିଜୟ: ପାକିସ୍ତାନକୁ ପଛରେ ପକାଇଲା ଭାରତ

ରାୟପୁର: ରାୟପୁରରେ ଅନୁଷ୍ଠିତ ଚତୁର୍ଥ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ହାତେଇଛି । ଏଥିସହ ପାକିସ୍ତାନକୁ ପଛରେ ପକାଇ ଟିମ୍ ଇଣ୍ଡିଆ ଏବେ ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ସଫଳ ଦଳ ହୋଇଛି।

ଭାରତୀୟ ଦଳ ନାଁରେ ଏବେ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ବିଜୟ ରେକର୍ଡ ଯୋଡ଼ି ହୋଇଯାଇଛି। ରାୟପୁରରେ ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ଏହି ଫର୍ମାଟରେ ଭାରତର ୧୩୬ତମ ବିଜୟ ଥିଲା | ଭାରତ ୨୦୦୬ ମସିହାରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳିଥିଲା । ଭାରତ ଏଯାବତ୍ ୨୧୩ ଟି-୨୦ ମ୍ୟାଚ୍ ଖେଳିସାରିଛି । ଏଥିମଧ୍ୟରୁ ଦଳ ୧୩୬ଟି ଜିତିଥିବା ବେଳେ ୬୭ ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି | ତିନୋଟି ମ୍ୟାଚ୍ ଫଳାଫଳ ବାହାରି ନାହିଁ । ଅନ୍ତର୍ଜାତୀୟ ଟି-୨୦ରେ ଭାରତର ବିଜୟ ହାର ହେଉଛି ୬୩.୮୪ ପ୍ରତିଶତ ।

ଭାରତ ପୂର୍ବରୁ ଏହି ରେକର୍ଡ ପାକିସ୍ତାନ ନାଁରେ ଥିଲା । ପାକିସ୍ତାନ ଏପର୍ଯ୍ୟନ୍ତ ୨୨୬ ମ୍ୟାଚରେ ୧୩୫ ବିଜୟ ହାସଲ କରିଛି । ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ବିଜୟ ତାଲିକାରେ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ରହିଛି । ଦଳ ଏପର୍ଯ୍ୟନ୍ତ ୨୦୦ ମ୍ୟାଚ୍ ଖେଳି ୧୦୨ଟି ମ୍ୟାଚ୍ ଜିତିଥିବାବେଳେ ଅଷ୍ଟ୍ରେଲିଆ ୧୮୧ ମ୍ୟାଚରୁ ୯୫ ବିଜୟ ସହ ଚତୁର୍ଥ ସ୍ଥାନରେ ଅଛି। ଦକ୍ଷିଣ ଆଫ୍ରିକା ୧୭୧ ମ୍ୟାଚରୁ ୯୫ ମ୍ୟାଚ୍ ଜିତି ପଞ୍ଚମ ସ୍ଥାନରେ ରହିଛି।

Comments are closed.