ତେହେରିକ-ଏ-ହୁରିୟତ (ଜେ ଆଣ୍ଡ୍ କେ)କୁ ବେଆଇନ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ସଂଗଠନ ଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସରକାର ରବିବାର ‘ତେହେରିକ-ଏ-ହୁରିୟତ ଜାମ୍ମୁ କାଶ୍ମୀର’କୁ ବେଆଇନ ସଂଗଠନ ଘୋଷଣା କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଅମିତ ଶାହ ‘ଏକ୍ସ’ରେ କହିଛନ୍ତି,’ ତେହେରିକ-ଏ-ହୁରିୟତ, ଜମ୍ମୁ କାଶ୍ମୀରକୁ ୟୁଏପିଏ ଅଧୀନରେ ଏକ ‘ବେଆଇନ ସଂଗଠନ’ ଘୋଷିତ କରାଯାଇଛି । ଜମ୍ମୁ କାଶ୍ମୀରକୁ ଭାରତରୁ ଅଲଗା କରିବା ଏବଂ ଇସଲାମିକ ଶାସନ ସ୍ଥାପନ ଭଳି ନିଷିଦ୍ଧ କାର୍ଯ୍ୟରେ ତେହେରିକ-ଏ-ହୁରିୟତ ଜମ୍ମୁ କାଶ୍ମୀର ସଂଗଠନ ଜଡିତ ଅଛି। ଏହି ଗୋଷ୍ଠୀ ଭାରତ ବିରୋଧୀ ପ୍ରଚାର କରୁଛି ଏବଂ ଜାମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି। ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳ ନୀତି ଅନୁଯାୟୀ, ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଯେକୌଣସି ବ୍ୟକ୍ତି କିମ୍ବା ସଂଗଠନକୁ ଦମନ କରାଯିବ।

ତେହେରିକ-ଏ-ହୁରିୟାତ୍ ଜାମ୍ମୁ କାଶ୍ମୀର ସୟଦ ଅଲି ଶାହା ଗିଲାନିଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ବିଚ୍ଛିନ୍ନତାବାଦୀ ସଂଗଠନ । ଗିଲାନି ତାଙ୍କର ପୁରୁଣା ଦଳ ଜମାତ-ଏ-ଇସଲାମି କାଶ୍ମୀର ଛାଡ଼ିବା ପରେ ୭ ଅଗଷ୍ଟ ୨୦୦୪ରେ ଏହି ସଂଗଠନ ପ୍ରତିଷ୍ଠା କରିଥିଲେ। ସୂଚନାଯୋଗ୍ୟ, ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅନୁଯାୟୀ କେନ୍ଦ୍ର ସରକାର ଯେକୌଣସି ସଂଗଠନକୁ ‘ବେଆଇନ’ କିମ୍ବା ‘ଆତଙ୍କବାଦୀ’ ଘୋଷଣା କରିପାରନ୍ତି। ଗୃହ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୪୩ଟି ସଂଗଠନକୁ ଆତଙ୍କବାଦୀ ସଂଗଠନ ଘୋଷିତ କରାଯାଇଛି, ଅର୍ଥାତ୍ ସେମାନଙ୍କୁ ବ୍ୟାନ୍ କରାଯାଇଛି। ଏଥିମଧ୍ୟରେ ଅନେକ ଖଲିସ୍ତାନୀ ସଂଗଠନ, ଲସ୍କର-ଏ-ତାଇବା, ଜୈଶ-ଏ-ମହମ୍ମଦ, ଏଲଟିଟିଇ ଏବଂ ଅଲ କାଏଦା ପରି ୪୩ଟି ସଂଗଠନ ରହିଛନ୍ତି ।

Comments are closed.