ଆଦାନୀ-ହିଣ୍ଡେନବର୍ଗ ମାମଲା: ସେବି ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲା ସହ ଜଡ଼ିତ ସେବି ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବୁଧବାର ସୁପ୍ରିମକୋର୍ଟର ଏକ ତିନି ଜଣିଆ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି। ଏହା ଆଦାନୀ ଗ୍ରୁପ୍ ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି ।

ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ସେବି ତଦନ୍ତରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟଙ୍କ କ୍ଷମତା ସୀମିତ। ଆଦାନୀ ସହ ଜଡ଼ିତ ୨୨ଟି ମାମଲା ମଧ୍ୟରୁ ସେବି ୨୦ଟି ଯାଞ୍ଚ କରିଛି। ଆସନ୍ତା ତିନି ମାସ ମଧ୍ୟରେ ଅବଶିଷ୍ଟ ଦୁଇଟି ମାମଲାର ତଦନ୍ତ ଶେଷ କରିବାକୁ ଆମେ ସେବିକୁ କହିଛୁ |

ହିଣ୍ଡେନବର୍ଗ ରିପୋର୍ଟର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ ଆଦାନୀ ବିରୋଧରେ ତଦନ୍ତକୁ ଏସ୍ଆଇଟି କିମ୍ବା ସିବିଆଇକୁ ହସ୍ତାନ୍ତର କରିବାକୁ କୌଣସି ଆଧାର ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୦୨୩ରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ଆଦାନୀ ଗ୍ରୁପ୍ ଉପରେ ଅନେକ ଗମ୍ଭୀର ପ୍ରଶ୍ନ ଉଠାଇଥିଲା | ଆଦାନୀ ଗ୍ରୁପର ଷ୍ଟକ୍ କାରବାରରେ ଅନିୟମିତତା ନେଇ ଅଭିଯୋଗ କରିଥିଲା ହିଣ୍ଡେନବର୍ଗ । ହେଲେ ଆଦାନୀ ଗ୍ରୁପ୍ ଏପରି ଅଭିଯୋଗକୁ ଖାରଜ କରିଥିଲା।

ହିଣ୍ଡେନବର୍ଗ ରିପୋର୍ଟ ସାମ୍ନାକୁ ଆସିବା ପରେ ଆଦାନୀ ଗ୍ରୁପ୍‌ର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଥିଲା ।

Comments are closed.