୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ : ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା 

ଭୁବନେଶ୍ୱର -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଗସ୍ତକାଳରେ ୫-ଟି ଅଧ୍ୟକ୍ଷ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ସେ ନୂଆ-ଓ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇ ସମ୍ବଲପୁରର ସମସ୍ତ କଲେଜରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ । ନୂଆ-ଓ ଭଳି କାର୍ଯ୍ୟକ୍ରମ ଯୁବଗୋଷ୍ଠୀ ପାଇଁ କିଭଳି ପ୍ରତିଭା ପ୍ରଦର୍ଶନ ସହ ସାମଗ୍ରିକ ବ୍ୟକ୍ତିତ୍ଵ ବିକାଶର ଏକ ମଞ୍ଚ ସାଜିଛି, ସେ ନେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ୫-ଟି ଅଧ୍ୟକ୍ଷ । ବଡ଼ ସ୍ୱପ୍ନ ଦେଖି କଠିନ ପରିଶ୍ରମ ସହ ଜୀବନର ଲକ୍ଷ୍ୟ ପୂରଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ୫-ଟି ଅଧ୍ୟକ୍ଷ। ସଫଳତା ହାସଲ ପାଇଁ ଆତ୍ମବିଶ୍ଵାସର ସହ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ସେ କହିବା ସହ ଏ କ୍ଷେତ୍ରରେ ଜିଲ୍ଲାର ଆଇଏଏସ ପି.କେ ମିଶ୍ରଙ୍କ ଭଳି ବ୍ୟକ୍ତି ବିଶେଷଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ।

ଗସ୍ତ ଅବସରରେ ୫-ଟି ଅଧ୍ୟକ୍ଷ ମା’ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରି ସମଲେଇ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଥିଲେ । ୨୯୨ କୋଟି ଟଙ୍କା ବ୍ୟୟରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପର ଲୋକାର୍ପଣ ଆସନ୍ତା ୨୭ ତାରିଖରେ ହେବ । ଏଥିସହ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ରାଇରଖୋଲର ଜଗନ୍ନାଥ ମନ୍ଦିର ଓ ପଞ୍ଚଖଣ୍ଡ ମନ୍ଦିର ଏବଂ କନ୍ଧରାରେ ସନ୍ଥ କବି ଭୀମଭୋଇଙ୍କ ସ୍ମୃତି ପୀଠ ଓ ମଧୁପୁରରେ ପ୍ରାପ୍ତି ପୀଠର ନବୀକରଣ କାର୍ଯ୍ୟର ମଧ୍ୟ ତଦାରଖ କରିଥିଲେ। ଏଥିପାଇଁ ୧୩ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଗତବର୍ଷ ଜୁଲାଇରେ ସମ୍ବଲପୁର ଜିଲ୍ଲାକୁ ପାଣ୍ଡିଆନଙ୍କ ଗସ୍ତ ବେଳେ ଜନସାଧାରଣଙ୍କ ଅନୁରୋଧ ଓ ଦାବି ଅନୁସାରେ ପ୍ରମୁଖ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି।

୫-ଟି ଅଧ୍ୟକ୍ଷ ଜିଲ୍ଲାରେ ୨୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ୪ଟି ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ବୁଢ଼ାରଜା ଠାରେ ଭେଡେନ ନଦୀ ଓ କୁଚିଣ୍ଡାର କିରାଶାସନ, ସଇଡା, ଗୋଚରାରେ ନିର୍ମିତ ହେଉଛି ଆଇଏସଏସ ପ୍ରକଳ୍ପ । ସମ୍ବଲପୁରର ୭ଟି ବ୍ଲକ ପାଇଁ ଉଦ୍ଦିଷ୍ଟ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ , ୧୬ଟି ସଡ଼କ ନିର୍ମାଣ ପ୍ରକଳ୍ପ ଓ ୧୬ଟି ପୋଲ ପ୍ରକଳ୍ପ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ ।

କୁଚିଣ୍ଡା କଲେଜ ପଡିଆ ଓ ରାଇରଖୋଲର କଦମ ପଡ଼ିଆରେ ୫-ଟି ଅଧ୍ୟକ୍ଷ ସାଧାରଣ ଜନତାଙ୍କ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆପତ୍ତି ଅଭିଯୋଗ ଶୁଣି ଖୁବ୍ ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Comments are closed.