ସାମ୍ବାଦିକମାନଙ୍କୁ ଡରୁଛନ୍ତି କେନ୍ଦ୍ର ସରକାର: ଆପ୍

ନୂଆଦିଲ୍ଲୀ: ଅନ୍ ଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ‘ନ୍ୟୁଜ୍ କ୍ଲିକ୍’ ଅଫିସ୍ ଓ ଏହି ସଂସ୍ଥା ସହ ଜଡ଼ିତ ସାମ୍ବାଦିକଙ୍କ ଘରେ ଚଢ଼ାଉ ନେଇ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାରକୁ ସମାଲୋଚନା କରିଛି ଆମ୍ ଆଦମୀ ପାର୍ଟି । ସାମ୍ବାଦିକଙ୍କୁ କେନ୍ଦ୍ର ସରକାର ଡରୁଛନ୍ତି । ଏଥିପାଇଁ ସେମାନଙ୍କ ବିରୋଧରେ ଏପରି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି କହିଛି ଆପ୍ ।

ଆପ୍ ର ମୁଖ୍ୟ ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର ଅଭିଯୋଗ କରିଛନ୍ତି ଯେ ଚୀନ୍‌ ସହ ସିଧାସଳଖ ମୁକାବିଲା କରିବାକୁ ମୋଦୀ ସରକାରଙ୍କ ସାହସ ନାହିଁ। ତେଣୁ ନିଜ ସାମ୍ବାଦିକଙ୍କୁ ଗିରଫ କରି ଚୀନ୍ ସହ ଲଢୁଛନ୍ତି ବୋଲି ଧାରଣା ସୃଷ୍ଟି କରିବାକୁ ସରକାର ପ୍ରୟାସ କରୁଛନ୍ତି ।

କକ୍କର କହିଛନ୍ତି, ଦେଶରେ ଦୁଇ ପ୍ରକାରର ସାମ୍ବାଦିକ ଅଛନ୍ତି। ଗୋଟିଏ ଶ୍ରେଣୀର ସାମ୍ବାଦିକ ମୋଦୀଙ୍କ (ପ୍ରଧାନମନ୍ତ୍ରୀ) ନିକଟରେ ପୂରା ଆତ୍ମସମର୍ପଣ କରିଦେଇଛନ୍ତି ଏବଂ ମୋଦୀଜୀ ମଧ୍ୟ ସେମାନଙ୍କୁ ପ୍ରତିଦିନ ପୁରସ୍କାର ଦେଉଛନ୍ତି । ଅନ୍ୟପକ୍ଷରେ ଆଉ କିଛି ସାମ୍ବାଦିକ ଅଛନ୍ତି ଯେଉଁମାନେ ଦେଶ ପାଇଁ ଲଢ଼ୁଛନ୍ତି ଏବଂ ମୋଦୀ ସରକାରଙ୍କ ଦୋଷତ୍ରୁଟି ସାମ୍ନାକୁ ଆଣୁଛନ୍ତି ।

ସେ କହିଛନ୍ତି, “ଚୀନ୍ ଆମ ଜମି ଦଖଲ କରୁଛି, କିନ୍ତୁ ଚୀନ୍ ବିରୋଧରେ ଗୋଟିଏ ଶବ୍ଦ କହିବାକୁ ପ୍ରଧାନମନ୍ତ୍ରୀଙ୍କର ସାହସ ନାହିଁ। ଏହି ସାମ୍ବାଦିକମାନଙ୍କୁ ଗିରଫ କରି ସେ ଚୀନ୍ ସହ ମୁକାବିଲା କରୁଥିବା ଦେଖାଇବାକୁ ଚାହୁଁଛନ୍ତି । ଯଦି ସରକାରଙ୍କ ସାହସ ଅଛି ତେବେ ଚୀନ୍ ସହ ସମସ୍ତ ବଣିଜ ବେପାର ବନ୍ଦ କରନ୍ତୁ |

ସେ କହିଛନ୍ତି, “ଆଜିର ଚଢ଼ାଉରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ଚୀନ୍ ସହ ମୁକାବିଲା କରିବାରେ ବିଫଳ ହୋଇଛନ୍ତି। ଚୀନ୍ ସହ ଲଢିବା ନାଁରେ କିଛି ସାମ୍ବାଦିକଙ୍କ ଉପରେ ରେଡ୍ କରାଯାଉଛି।

ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମଙ୍ଗଳବାର ସକାଳେ ‘ନ୍ୟୁଜ୍ କ୍ଲିକ୍’ ଏବଂ ଏହାର ସାମ୍ବାଦିକଙ୍କ ସହ ଜଡିତ ଠିକଣା ଉପରେ ଚଢାଉ କରିଥିଲା।

Comments are closed.