ଉଦୟପୁର ହତ୍ୟାକାଣ୍ଡ ପାଇଁ ନୂପୁର ଶର୍ମାଙ୍କୁ ଦାୟୀ କରିବା ପରେ ପୁଣି ଚର୍ଚ୍ଚାରେ ଜଷ୍ଟିସ୍ ପାର୍ଦିୱାଲା, କୋଭିଡ୍ ପରିଚାଳନା ନେଇ ଗୁଜରାଟ ସରକାର ଉପରେ ମଧ୍ୟ ବର୍ଷିଥିଲେ

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦ ଉପରେ ମନ୍ତବ୍ୟ ପାଇଁ ନୂପୁର ଶର୍ମାଙ୍କୁ ଆଜି ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଜେ.ବି ପାର୍ଦିୱାଲା ଏହି ନିଲମ୍ବିତ ବିଜେପି ନେତ୍ରୀଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଜଷ୍ଟିସ ପାର୍ଦିୱାଲା କହିଥିଲେ ଯେ ଉଦୟପୁର ଘଟଣା ପାଇଁ ନୂପୁର ଶର୍ମା ଦାୟୀ।

ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଏକ ଖଣ୍ଡପୀଠ କହିଥିଲେ ଯେ, “ଆମେ ସେହି ଟିଭି ବିତର୍କ ଦେଖିଛୁ ଯେଉଁଥିରେ ନୂପୁର ଶର୍ମା ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଉଥିଲେ | ଏଭଳି ମନ୍ତବ୍ୟ ଦେବାପରେ ସେ ନିଜକୁ ଜଣେ ପ୍ରବକ୍ତା ବୋଲି କହିବା ଲଜ୍ଜାଜନକ | ସେ ସମଗ୍ର ଦେଶକୁ କ୍ଷମା ମାଗିବା ଉଚିତ୍। ଆଜି ଦେଶରେ ଯାହା ଘଟୁଛି ସେଥିପାଇଁ କେବଳ ନୂପୁର ଶର୍ମା ଏକାନ୍ତ ଭାବେ ଦାୟୀ।

ସୁପ୍ରିମକୋର୍ଟ ଏପରି କଡ଼ା ଟିପ୍ପଣୀ ନୂପୁର ଶର୍ମାଙ୍କ ଆବେଦନ ଉପରେ ଶୁଣାଣି ବେଳେ କରିଥିଲେ । ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ନୁପୁର ଶର୍ମା ଏକ ପିଟିସନ ଦାଖଲ କରିଥିଲେ। ଏହି ସମସ୍ତ ମାମଲା ଦିଲ୍ଲୀକୁ ସ୍ଥାନାନ୍ତର କରିବା ପାଇଁ ସେ ଦାବି କରିଥିଲେ | ତାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ତାଙ୍କୁ ଭର୍ତ୍ସନା କରିଥିଲେ । ଜଷ୍ଟିସ ପାର୍ଦିୱାଲା କହିଥିଲେ ଯେ ଉଦୟପୁରରେ ଘଟିଥିବା ଦୁର୍ଭାଗ୍ୟଜନକ ହତ୍ୟାକାଣ୍ଡ ପାଇଁ ନୂପୁର ଶର୍ମାଙ୍କ ମନ୍ତବ୍ୟ ଦାୟୀ।

ନୂପୁର ଶର୍ମାଙ୍କୁ ଭର୍ତ୍ସନା ପାଇଁ ଜଷ୍ଟିସ ପାର୍ଦିୱାଲା ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଗୁଜୁରାଟ ହାଇକୋର୍ଟର ବିଚାରପତି ଥିବା ବେଳେ ଜଷ୍ଟିସ ପାର୍ଦିୱାଲା ଅପରାଧିକ, ନାଗରିକ, ଟିକସ ଏବଂ ବ୍ୟବସାୟିକ ମାମଲା ପରିଚାଳନା କରିଥିଲେ। ସାବରମତୀ ନଦୀ ପ୍ରଦୂଷଣ ନେଇ ମଧ୍ୟ ସେ ନିଜ ଆଡ଼ୁ ହସ୍ତକ୍ଷେପ କରି ମାମଲା ଦାୟର କରିଥିଲେ । ଏହାଛଡ଼ା ୨୦୧୫ରେ ସଂରକ୍ଷଣ ବ୍ୟବସ୍ଥା ନେଇ ନିଜ ଟିପ୍ପଣୀ ପାଇଁ ସେ ବିବାଦୀୟ ହୋଇଥିଲେ । ସଂରକ୍ଷଣ ବ୍ୟବସ୍ଥା ଯୋଗୁ ଦେଶ ଆଗକୁ ବଢ଼ିପାରିବ ନାହିଁ ବୋଲି ସେ କହିବା ପରେ ଜଷ୍ଟିସ ପାର୍ଦିୱାଲାଙ୍କ ବିରୋଧରେ ରାଜ୍ୟସଭାର ୫୮ ସାଂସଦ ମହାଭିଯୋଗ ପ୍ରସ୍ତାବ ଆଗତ କରିବା ପାଇଁ ତତ୍କାଳୀନ ରାଜ୍ୟସଭା ଅଧ୍ୟକ୍ଷ ହାମିଦ୍ ଅନସାରୀଙ୍କ ଠାରେ ଦାବି କରିଥିଲେ । ପରେ ରେକର୍ଡରୁ ଜଷ୍ଟିସ୍ ପାରଦୀୱାଲାଙ୍କ ମନ୍ତବ୍ୟକୁ ହଟାଇ ଦିଆଯାଇଥିଲା ।

ମେ ୨୦୦୨ରେ ଗୁଜୁରାଟ ହାଇକୋର୍ଟରେ କରୋନା ପରିଚାଳନା ନେଇ ଏକ ଆବେଦନ କରାଯାଇଥିଲା। ଦୁଇ ବିଚାରପତି ଏହି ପିଟିସନର ଶୁଣାଣି କରୁଥିଲେ। ଏହି ଖଣ୍ଡପୀଠ ଜଷ୍ଟିସ ପାର୍ଦିୱାଲା ମଧ୍ୟ ଥିଲେ। ଏହି ଖଣ୍ଡପୀଠ ଅହମ୍ମଦାବାଦ ସିଭିଲ ହସପିଟାଲକୁ ‘କାଳ କୋଠରୀ’ ସହିତ ତୁଳନା କରିଥିଲେ ଏବଂ ରାଜ୍ୟ ସରକାରଙ୍କ ‘ସବୁ ଠିକ୍ ଅଛି’ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ସେତେବେଳେ ଜଷ୍ଟିସ ପାର୍ଦିୱାଲା ମଧ୍ୟ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ତଥା ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ମୃତ୍ୟୁ ମାମଲାରେ ଗଣମାଧ୍ୟମର ରିପୋର୍ଟ ଆଧାରରେ ହସ୍ତକ୍ଷେପ କରିଥିଲେ। ପରେ ଜଷ୍ଟିସ ପାର୍ଦିୱାଲାଙ୍କୁ ଏହି ଖଣ୍ଡପୀଠରୁ ହଟାଇ ଦିଆଯାଇଥିଲା।

Comments are closed.