ବ୍ରିଟେନ ପରେ ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଲା ବାହାରେନ | News Room Odisha

ବ୍ରିଟେନ ପରେ ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଲା ବାହାରେନ

ଦୁବାଇ – ଫାଇଜର ଦ୍ୱାରା ବିକଶିତ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ବାହାରେନ ଅନୁମତି ଦେଇଛି । ବ୍ରିଟେନ୍ ପରେ ବାହାରେନ୍ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଏହି ଟିକାର ଜରୁରୀ ବ୍ୟବହାରକୁ ମଞ୍ଜୁରି ଦେଇଛି । ଜର୍ମାନୀର ବାୟୋଏନଟେକ୍ ସହଭାଗିତାରେ ଫାଇଜର ଦ୍ୱାରା ବିକଶିତ କୋଭିଡ୍ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିବା ବାହାରେନର ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ତେବେ ବାହାରେନ୍ ଏହି ଟିକାର କେତେ ଡୋଜ୍ ଅର୍ଡର କରିଛି ଓ କେବେ ଠାରୁ ଟିକାକରଣ ଆରମ୍ଭ ହେବ ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ଫାଇଜର ଟିକାର ବ୍ୟବହାର ପାଇଁ ଅନୁମତି ଦେଇଥିଲେ ମଧ୍ୟ ଏହି ଟିକାର ସଂରକ୍ଷଣ ବାହାରେନ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ହେବ । କାରଣ ଏହି ଟିକାକୁ କେବଳ ମାଇନସ୍ ୭୦ ଡିଗ୍ରୀରେ ସୁରକ୍ଷିତ ଭାବେ ସଂରକ୍ଷିତ କରିହେବ । ବାହାରେନ୍ ଏକ ମଧ୍ୟପ୍ରାଚ୍ୟ ରାଷ୍ଟ୍ର । ଏଠାକାର ଗରମ ଓ ଆର୍ଦ୍ର ପରିବେଶ ଫାଇଜର ଟିକା ସଂରକ୍ଷଣ ପାଇଁ ଏକ ଚ୍ୟାଲେଞ୍ଜ୍ ହେବ । ଗ୍ରୀଷ୍ମରେ ବାହାରେନର ସର୍ବନିମ୍ନ ତାପମାତ୍ରା ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱ ରହିଥାଏ । ଉଲ୍ଲେଖଯୋଗ୍ୟ, ଟ୍ରାଏଲରେ ଏହାର ଟିକା ୯୫% ପ୍ରଭାବୀ ବୋଲି ଫାଇଜର ତରଫରୁ ଦାବି କରାଯାଇଥିଲା ।