ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା ଘଟଣା: ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଜରିମାନା, ପାଇଲଟଙ୍କ ଲାଇସେନ୍ସ ରଦ୍ଦ | News Room Odisha

ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା ଘଟଣା: ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଜରିମାନା, ପାଇଲଟଙ୍କ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ମାମଲାରେ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ଡିଜିସିଏ) ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ନିୟମ ଉଲ୍ଲଂଘନ କରିଥିବାରୁ ଏୟାର ଇଣ୍ଡିଆ ବିରୋଧରେ ଡିଜିସିଏ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

ଏହାଛଡ଼ା ଡିଜିସିଏ ସଂପୃକ୍ତ ଏୟାର ଇଣ୍ଡିଆ ବିମାନର ପାଇଲଟଙ୍କ ଲାଇସେନ୍ସ ତିନିମାସ ପାଇଁ ରଦ୍ଦ କରିଛି । ଏୟାର ଇଣ୍ଡିଆର ବିମାନ ସେବା ନିର୍ଦ୍ଦେଶକଙ୍କ ଉପରେ ମଧ୍ୟ ତିନି ଲକ୍ଷ ଟଙ୍କା ଜରିମାନା ହୋଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ଡିଜିସିଏ ଏହି ଏୟାରଲାଇନ ବିରୋଧରେ ଆକ୍ସନ ନେଇଛି ।

ଏହି ଘଟଣା ଗତବର୍ଷ ନଭେମ୍ବରରେ ଘଟିଥିଲା । କିନ୍ତୁ ପ୍ରାୟ ଦେଢ଼ ମାସ ପରେ ସାମ୍ନାକୁ ଆସିଥିଲା ।

ଗତ ବର୍ଷ ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ନୂଆଦିଲ୍ଲୀ ବିମାନରେ ଅଭିଯୁକ୍ତ ଶଙ୍କର ମିଶ୍ରା ନିଶାସକ୍ତ ଅବସ୍ଥାରେ ଜଣେ ବୟସ୍କା ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା ।

ଜାନୁଆରୀ ୭ରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା । ଏୟାର ଇଣ୍ଡିଆ ମଧ୍ୟ ତାଙ୍କ ଉପରେ ଚାରି ମାସ ଯାତ୍ରା କଟକଣା ଲଗାଇଛି ।