ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା ଅକାଳି ଦଳ

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସହଯୋଗୀ ଶିରୋମଣି ଅକାଳି ଦଳ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛି। ଚଣ୍ଡିଗଡ଼ରେ ଅକାଳି ଦଳ କୋର୍ କମିଟି ବୈଠକ ପରେ ଦଳର ମୁଖ୍ୟ ସୁଖବୀର ବାଦଲ କହିଛନ୍ତି ଯେ କୃଷି ଆଇନ, ଜେଲରେ ଥିବା ଶିଖମାନଙ୍କୁ ମୁକ୍ତ କରିବା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିଜେପି ସହ ମତଭେଦ ଥାଇ ମଧ୍ୟ ଆମେ ସେମାନଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ।

କଂଗ୍ରେସ ଦଳ ତରଫରୁ ଦିଆଯାଇଥିବା ପ୍ରାର୍ଥୀଙ୍କୁ ତାଙ୍କ ଦଳ କଦାପି ସମର୍ଥନ କରିପାରିବ ନାହିଁ ବୋଲି ସୁଖବୀର କହିଛନ୍ତି। ସେ କହିଛନ୍ତି, “ଅକାଳି ଦଳ ସର୍ବଦା ସମାଜର ବଞ୍ଚିତ ବର୍ଗର ଲୋକଙ୍କୁ ସମର୍ଥନ କରିଆସୁଛି। ସମାଜର ଦୁର୍ବଳ ବର୍ଗର ଲୋକଙ୍କୁ ସମର୍ଥନ କରିବା ଆମର ଦାୟିତ୍ବ। ଏବଂ ଅନୁସୂଚିତ ଜନଜାତି ବର୍ଗରୁ ଆସିଥିବା ଦ୍ରୌପଦୀ ମୁର୍ମୁ ସେମାନଙ୍କ ଭିତରୁ ଅନ୍ୟତମ। ”

ସୂଚନାଯୋଗ୍ୟ ଯେ ଅକାଳୀ ଦଳ ପୂର୍ବରୁ ବିଏସପି ମୁଖ୍ୟ ମାୟାବତୀ ମଧ୍ୟ ​​ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଘୋଷଣା କରିସାରିଛି ।

ବିଜୁ ଜନତା ଦଳ, ଓ୍ବାଇଏସ୍ଆର୍ କଂଗ୍ରେସ ଭଳି ଦଳ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ତେଣୁ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପ୍ରାୟ ନିଶ୍ଚିତ। ରାଷ୍ଟ୍ରପତି ପଦ ପାଇଁ ଦ୍ରୌପଦୀ ମୁର୍ମୁଙ୍କ ମୁକାବିଲା ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସହ ହେବ। ସିହ୍ନା ଅଟଳ ବିହାରୀ ବାଜପେୟୀ ସରକାରରେ ବୈଦେଶିକ ବ୍ୟାପାର ଏବଂ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ଵ ସମ୍ଭାଳିଥିଲେ। କିଛି ସେ ବିଜେପି ସହ ସମ୍ପର୍କ ତୁଟାଇବା ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ।

Comments are closed.