ଲୋକାଲ୍ ଟ୍ରେନରେ ଗ୍ୟାସ୍ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ, ମୁମ୍ବାଇରେ ହାଇ ଆଲର୍ଟ

ମୁମ୍ବାଇ: ନିକଟରେ ଦିଲ୍ଲୀ ସ୍ପେଶାଲ ସେଲ୍ ଦ୍ୱାରା ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ମୁମ୍ବାଇର ଧରାବୀ ଅଞ୍ଚଳର ବାସିନ୍ଦା ଥିଲା। ଦିଲ୍ଲୀ ସ୍ପେଶାଲ ସେଲର ସୂତ୍ରରୁ ଜଣାପଡିଛି ଯେ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀମାନେ ମୁମ୍ବାଇର ଲୋକାଲ୍ ଟ୍ରେନ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆକ୍ରମଣ ଯୋଜନାରେ ଥିଲେ । ଏବେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ରେଳବାଇ ପୋଲିସ (ଜିଆରପି)କୁ ମିଳିଛି ଗୁଇନ୍ଦା ସୂଚନା।

ଜିଆରପିକୁ ମିଳିଥିବା ଗୁଇନ୍ଦା ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ଟ୍ରେନରେ ଗ୍ୟାସ ଆକ୍ରମଣ କିମ୍ବା ପ୍ଲାଟଫର୍ମରେ ଯାତ୍ରୀଙ୍କ ଭିଡ଼ ଉପରକୁ ଗାଡ଼ି ଚଢ଼ାଇ ଗଣହତ୍ୟା କରିପାରନ୍ତି। ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀଙ୍କ ପଚରାଉଚରା ସମୟରେ ଦିଲ୍ଲୀ ସ୍ପେଶାଲ ସେଲ ଦ୍ୱାରା ମିଳିଥିବା ସୂଚନା ବ୍ୟତୀତ ଜିଆରପି ଅନେକ ଏଜେନ୍ସିରୁ ଏଭଳି ସତର୍କ ସୂଚନା ପାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେ ସମୟ ସମୟରେ ଏଭଳି ଆଲର୍ଟ ପାଇଥାଉ, ବିଶେଷ କରି ଲୋକାଲ୍ ଟ୍ରେନ୍ ପାଇଁ ଏବଂ ଆମେ ପ୍ରତ୍ୟେକ ସତର୍କତାକୁ ଗମ୍ଭୀରତାର ସହ ନେଇଥାଉ ଏବଂ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଆମେ ସବୁ ସତର୍କତା ପଦକ୍ଷେପ ନେଉଛୁ। ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଜିଆରପି ମୁମ୍ବାଇର ସମସ୍ତ ପ୍ରମୁଖ ରେଳ ଷ୍ଟେସନର ସୁରକ୍ଷା ବଢ଼ାଇ ଦେଇଛି ଏବଂ କିଛି ପ୍ରବେଶ ଏବଂ ପ୍ରସ୍ଥାନ ମାର୍ଗ ମଧ୍ୟ ବନ୍ଦ କରିଛି।

Comments are closed.