ବଷ୍ଟନ୍: ଟାଇଟାନିକର ଧ୍ୱଂସାବଶେଷ ଦେଖିବାକୁ ଯାଇ ଆଟଲାଣ୍ଟିକ ମହାସାଗରରେ ନିଖୋଜ ହୋଇଯାଇଥିବା ଏକ ଟୁରିଷ୍ଟ ବୁଡ଼ାଜାହାଜର ପାଇଲଟ୍ ସହ ଚାରିଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ବୁଡାଜାହାଜର ଖୋଜା ଅଭିଯାନରେ ନିୟୋଜିତ କମ୍ପାନୀ ଏପରି ଆଶଙ୍କା ପ୍ରକାଶ କରିଛି । ଯାତ୍ରାର କିଛି ଘଣ୍ଟା ପରେ ଏହି ବୁଡ଼ାଜାହାଜ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ବୋଲି କୁହାଯାଇଛି ।
ଏହାପୂର୍ବରୁ ଆମେରିକାର ତଟରକ୍ଷୀ ବାହିନୀ କହିଥିଲା ଯେ ଏହି ନିଖୋଜ ବୁଡ଼ାଜାହାଜର ଖୋଜା ଅଭିଯାନ ବେଳେ ଟାଇଟାନିକ ଜାହାଜ ନିକଟରେ କିଛି ଭଗ୍ନାବଶେଷ ଦେଖିବାକୁ ମିଳିଥିଲା, ଯଦିଓ ତାହା ଏହି ବୁଡ଼ାଜାହାଜର ବୋଲି ସ୍ପଷ୍ଟ ହୋଇନାହିଁ ।
ନିଖୋଜ ବୁଡ଼ାଜାହାଜର ଅପରେଟିଂ କମ୍ପାନୀ ଓସେନଗେଟ୍ କହିଛି ଯେ ବୁଡ଼ାଜାହାଜରେ ଥିବା ସମସ୍ତ ଯାତ୍ରୀଙ୍କୁ ଆମେ ଦୁଃଖଦ ଭାବେ ହରାଇଛୁ। ଏହି ପାଞ୍ଚ ଜଣ ଯାତ୍ରୀଙ୍କ ପରିବାର ପ୍ରତି ଆମର ସମବେଦନା।
ରବିବାର (ଜୁନ୍ ୧୮) ସକାଳେ ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ ଦେଖାଇବା ପାଇଁ ଏହି ବୁଡ଼ାଜାହାଜ ପାଞ୍ଚ ଜଣ ଯାତ୍ରୀଙ୍କୁ ନେଇ ଆଟଲାଣ୍ଟିକ୍ ମହାସାଗରର ପ୍ରାୟ ୪୦୦୦ ମିଟର ଗଭୀରକୁ ଏହାର ଯାତ୍ରା ଆରମ୍ଭ କରିଥିଲା। ତେବେ କିଛି ସମୟ ମଧ୍ୟରେ ଏହି ଟୁରିଷ୍ଟ ବୁଡାଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।
‘ଟାଇଟନ୍’ ନାମକ ଏହି ବୁଡ଼ାଜାହାଜରେ କେବଳ ୯୬ ଘଣ୍ଟାର ଅମ୍ଳଜାନ ରହିଥିଲା, ଯାହାର ସମୟସୀମା ଗୁରୁବାର ଦିନ ଶେଷ ହୋଇଥିଲା । ଏହି ବୁଡ଼ା ଜାହାଜରେ ପାଞ୍ଚ ଜଣ ଲୋକ ଥିଲେ।
ପାକିସ୍ତାନୀ ମୂଳର ବ୍ରିଟିଶ କୋଟିପତି ସେହଜାଦା ଦାଉଦ୍ (ଏଙ୍ଗ୍ରୋ କର୍ପର ଉପାଧ୍ୟକ୍ଷ) ଏବଂ ତାଙ୍କ ପୁଅ ସୁଲେମାନ, ବ୍ରିଟିଶ କୋଟିପତି ହମିଶ ହାର୍ଡିଙ୍ଗ, ଫ୍ରାନ୍ସର ପର୍ଯ୍ୟଟକ ପଲ-ହେନେରୀ ନର୍ଗିୟୋଲେଟ ଏବଂ ଓସେନଗେଟ୍ ସିଇଓ ଷ୍ଟକଟନ ରଷ ଏହି ବୁଡ଼ା ଜାହାଜରେ ଥିଲେ।
ଯେତେବେଳେ ବୁଡ଼ାଜାହାଜ ଉତ୍ତର ଆଟଲାଣ୍ଟିକ୍ ଦେଇ ଯାତ୍ରା ଆରମ୍ଭ କରିଥିଲା, ସେତେବେଳେ ଏଥିରେ ଥିବା ଯାତ୍ରୀଙ୍କ ପାଇଁ କେବଳ ଚାରି ଦିନର ଅମ୍ଳଜାନ ରହିଥିଲା |
ସୂଚନାଯୋଗ୍ୟ ଯେ ଟାଇଟାନିକ୍ ବିଶ୍ୱର ସର୍ବବୃହତ ବାଷ୍ପ ଇଞ୍ଜିନ୍ ଚାଳିତ ଯାତ୍ରୀ ଜାହାଜ ଥିଲା। ଆଟଲାଣ୍ଟିକ୍ ମହାସାଗରରେ ଏହାର ପ୍ରଥମ ଯାତ୍ରାର ଚାରି ଦିନ ପରେ ଅର୍ଥାତ୍ ଏପ୍ରିଲ୍ ୧୯୧୨ରେ ଏକ ବିରାଟ ହିମଶୈଳ ସହ ଧକ୍କା ହେବା ପରେ ଏହା ବୁଡ଼ି ଯାଇଥିଲା । ଟାଇଟାନିକର ଧ୍ୱଂସାବଶେଷ କେପ କୋଡ୍ ଠାରୁ ପ୍ରାୟ ୧,୪୫୦ କିଲୋମିଟର ପୂର୍ବ ଏବଂ କାନାଡ଼ାର ନ୍ୟୁଫାଉଣ୍ଡଲ୍ୟାଣ୍ଡର ସେଣ୍ଟ ଜନ୍ ଠାରୁ ୬୪୪ କିଲୋମିଟର ଦୂରରେ ରହିଛି |
|
Comments are closed.