ଆଦିପୁରୁଷ ବିବାଦ: ନିର୍ମାତା ଓ ସେନ୍ସର ବୋର୍ଡ ଉପରେ ବର୍ଷିଲେ ହାଇକୋର୍ଟ | News Room Odisha

ଆଦିପୁରୁଷ ବିବାଦ: ନିର୍ମାତା ଓ ସେନ୍ସର ବୋର୍ଡ ଉପରେ ବର୍ଷିଲେ ହାଇକୋର୍ଟ

ନୂଆଦିଲ୍ଲୀ: ଆଦିପୁରୁଷକୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ଧରୁନି । ବିବାଦୀୟ ସଂଳାପ ବଦଳିଥିଲେ ମଧ୍ୟ ଏହି ଚଳଚ୍ଚିତ୍ରକୁ ନେଇ ନକାରାତ୍ମକ ପ୍ରତିକ୍ରିୟାର ସୁଅ ଜାରି ରହିଛି । ଏହି କ୍ରମରେ ବର୍ତ୍ତମାନ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ମଧ୍ୟ ଏହି ଫିଲ୍ମର ନିର୍ମାତାମାନଙ୍କୁ ଭର୍ତ୍ସନା କରିଛନ୍ତି । ସେନ୍ସର ବୋର୍ଡର ଦାୟିତ୍ବହୀନତା ଉପରେ ବି ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ ।

ଆଦିପୁରୁଷ ଫିଲ୍ମକୁ ବ୍ୟାନ୍ କରିବା ଦାବିକରି କୁଲଦୀପ ତିୱାରୀ ନାମକ ଜଣେ ଓକିଲ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ । ସେ ଏହି ଆବେଦନରେ ‘ଆଦିପୁରୁଷ’ର ବିବାଦୀୟ ସଂଳାପ ନେଇ ଆପତ୍ତି ଜଣାଇ ଦର୍ଶକ ଏଥିରେ କ୍ଷୁବ୍ଧ ବୋଲି କହିଥିଲେ। ସୋମବାର ଆବେଦନର ଶୁଣାଣି କରି କୋର୍ଟ କେବଳ ନିର୍ମାତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିନଥିଲେ, ସେନ୍ସର ବୋର୍ଡ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଫିଲ୍ମର ପ୍ରଦର୍ଶନ ବନ୍ଦ କରିବା ନେଇ ଆବେଦନକାରୀଙ୍କ ଦାବି ଉପରେ ସେନ୍ସର ବୋର୍ଡକୁ ନୋଟିସ୍ ଜାରି କରିଛନ୍ତି କୋର୍ଟ ।

ଶୁଣାଣି ସମୟରେ ଜଷ୍ଟିସ ରାଜେଶ ସିଂ ଚୌହାନ ଏବଂ ଜଷ୍ଟିସ ଶ୍ରୀପ୍ରକାଶ ସିଂହ ରାମାୟଣ ଭଳି ମହାକାବ୍ୟକୁ କଦର୍ଥ କରିଥିବାରୁ ‘ଆଦିପୁରୁଷ’ର ନିର୍ମାତାଙ୍କ ଉପରେ ବର୍ଷିଥିଲେ । କୋର୍ଟ ଏହି ଫିଲ୍ମର ନିର୍ମାତାମାନଙ୍କୁ ପଚାରିଥିଲେ – ଆପଣ ଆଗାମୀ ପୀଢିକୁ କ’ଣ ଶିଖାଇବାକୁ ଚାହୁଁଛନ୍ତି?

ସେନ୍ସର ବୋର୍ଡ କଣ କରୁଛି ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି । କୋର୍ଟ ଉଭୟ ଆଦିପୁରୁଷର ନିର୍ମାତା ଓ ସେନ୍ସର ବୋର୍ଡକୁ ଭର୍ତ୍ସନା କରି କହିଥିଲେ – ଆପଣ ଜାଣନ୍ତି ନାହିଁ ଯେ ସିନେମା ହେଉଛି ସମାଜର ଦର୍ପଣ, ଆପଣ ଆଗାମୀ ପୀଢିକୁ କ’ଣ ଶିଖାଇବାକୁ ଚାହୁଁଛନ୍ତି? ଆପଣ କ’ଣ ନିଜ ଦାୟିତ୍ୱ ବୁଝିପାରୁ ନାହାଁନ୍ତି ?

କୋର୍ଟ ଫିଲ୍ମର ନିର୍ମାତାମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଅତ୍ୟନ୍ତ କଡ଼ା ଭାଷାରେ ପରାମର୍ଶ ଦେଇ କହିଥିଲେ ଯେ, ରାମାୟଣ, କୁରାନ, ଗୁରୁ ଗ୍ରନ୍ଥ ସାହିବ ଏବଂ ଗୀତା ଭଳି ଧାର୍ମିକ ଗ୍ରନ୍ଥଗୁଡିକୁ ଛାଡ଼ିଦିଅ । ଆଉ ବାକି ଆପଣ ଯାହା କରୁଛନ୍ତି ତାହା ଜାରି ରଖନ୍ତୁ, କେହି ଆପଣଙ୍କୁ ଅଟକାଇବେ ନାହିଁ।

କୋର୍ଟଙ୍କ ଏପରି କଡ଼ା ଟିପ୍ପଣୀରୁ ‘ଆଦିପୁରୁଷ’କୁ ନେଇ ସୃଷ୍ଟ ବିବାଦ ଅମୂଳକ ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି । ସଂଳାପଠାରୁ ଆରମ୍ଭ କରି ସ୍ପେଶାଲ ଇଫେକ୍ଟସ୍ ଯାଏଁ ଏହି ଫିଲ୍ମକୁ ଦର୍ଶକ ଓ ସମୀକ୍ଷକ ସମାଲୋଚନା କରିଛନ୍ତି । ଦର୍ଶକଙ୍କ ଅସନ୍ତୋଷ ଦେଖି ଫିଲ୍ମର ନିର୍ମାତା ବିବାଦୀୟ ସଂଳାପକୁ ବଦଳାଇଥିଲେ ।ଏହାଛଡ଼ା ‌‌‌‌‌‌‌‌‌‌‌‌‌‌ନିର୍ମାତା ଦୁଇଥର ଟିକେଟ୍ ଦର କମାଇଲେଣି । କିନ୍ତୁ ଦର୍ଶକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ । ବକ୍ସ ଅଫିସରେ ଏହାର ବ୍ୟବସାୟ ମାନ୍ଦା ପଡିଯାଇଛି । ପ୍ରାୟ ୬୦୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବ୍ଲକବଷ୍ଟର ହେବ ଭଳି ଆଶା କରାଯାଉଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଏହା ୩୦୦ କୋଟି ଟପିବା କଷ୍ଟକର ମନେ ହେଉଛି ।