‘ଅଲ୍ଟ ନ୍ୟୁଜ୍’ର ସହପ୍ରତିଷ୍ଠାତା ମହମ୍ମଦ ଜୁବେର ଗିରଫ

ନୂଆଦିଲ୍ଲୀ: ମିଥ୍ୟା ଖବର ଯାଞ୍ଚକାରୀ ପୋର୍ଟାଲ ‘ଅଲ୍ଟ ନ୍ୟୁଜ୍’ର ସହପ୍ରତିଷ୍ଠାତା ତଥା ସାମ୍ବାଦିକ ମହମ୍ମଦ ଜୁବେରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ବୋଲି ଦିଲ୍ଲୀ ପୋଲିସ ତରଫରୁ କୁହାଯାଇଛି ।

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଆଇଏଫଏସସି ୟୁନିଟ୍ ଦ୍ୱାରା ମହମ୍ମଦ ଜୁବେରଙ୍କୁ ଗିରଫ କରାଯାଇଛି। ସମାନ ମାମଲାର ତଦନ୍ତ ପାଇଁ ଆଜି ଜୁବେରଙ୍କୁ ପଚରାଉଚରା ପାଇଁ ଡକା ଯାଇଥିଲା। ପର୍ଯ୍ୟାପ୍ତ ପ୍ରମାଣ ଆଧାରରେ ଜୁବେରଙ୍କୁ ଗିରଫ କରାଯାଇଥିବା ପୋଲିସ ଦାବି କରିଛି।

ଦିଲ୍ଲୀ ପୋଲିସ କହିଛି ଯେ ମହମ୍ମଦ ଜୁବେର ଏକ ନିର୍ଦ୍ଦିଷ୍ଟ ଧାର୍ମିକ ସମ୍ପ୍ରଦାୟ ବିରୁଦ୍ଧରେ ଏକ ଫଟୋ ସେୟାର କରିଥିଲେ । ଏହି ଫଟୋ ସହିତ ସେ ଯାହା ଲେଖିଥିଲେ ତାହା ଉତ୍ତେଜନାମୂଳକ ଏବଂ ଉଦ୍ଦେଶ୍ୟମୂଳକ ଥିଲା । ଏବଂ ଯାହା ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରିବାରେ ଯଥେଷ୍ଟ ଥିଲା। ଏହାଦ୍ୱାରା ସାଧାରଣରେ ଶାନ୍ତି ବଜାୟ ରଖିବା କଷ୍ଟକର ହୋଇପାରେ | ତାଙ୍କର ଏହି ପୋଷ୍ଟ ଆଧାରରେ ଉପରୋକ୍ତ ମାମଲା ପଞ୍ଜିକୃତ ହୋଇଛି |

ଅନ୍ୟପକ୍ଷରେ ଅଲ୍ଟ ନ୍ୟୁଜ୍ ସହ ପ୍ରତିଷ୍ଠାତା ତଥା ଜୁବେରଙ୍କ ସହକର୍ମୀ ପ୍ରତୀକ ସିହ୍ନା କହିଛନ୍ତି ଯେ ମହମ୍ମଦ ଜୁବେରଙ୍କୁ ୨୦୨୦ ମସିହାରେ ଏକ ପୃଥକ ମାମଲାରେ ପଚରାଉଚରା ପାଇଁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ପକ୍ଷରୁ ସମନ କରାଯାଇଥିଲା । ଏହି ମାମଲାରେ ଗିରଫରୁ ତାଙ୍କୁ ହାଇକୋର୍ଟରୁ ସୁରକ୍ଷା ମିଳିଥିଲା। ଆଜି ସନ୍ଧ୍ୟା ୬:୪୫ରେ ଆମକୁ ସୂଚନା ଦିଆଯାଇଥିଲା ଯେ ଅନ୍ୟ ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଛି।

ମହମ୍ମଦ ଜୁବେରଙ୍କ ଗିରଫକୁ କଂଗ୍ରେସ ସମାଲୋଚନା କରିଛି। ବିଜେପି ଶାସିତ କେନ୍ଦ୍ର ସରକାରର ନକଲି ତଥା ମିଥ୍ୟା ତଥ୍ୟର ପର୍ଦ୍ଦାଫାସ୍ କରିଥିବାରୁ ଆକ୍ରୋଶମୂଳକ ଭାବେ ଜୁବେରଙ୍କୁ ଗିରଫ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଜୁବେରଙ୍କ ଗିରଫକୁ ବହୁ ସାମ୍ବାଦିକ ମଧ୍ୟ ନିନ୍ଦା କରିଛନ୍ତି ।

Comments are closed.