ଅମର ଯବାନ ଜ୍ୟୋତି ବିବାଦ ମଧ୍ୟରେ କେନ୍ଦ୍ରର ସ୍ପଷ୍ଟୀକରଣ, ଜ୍ୟୋତିକୁ ଲିଭାଯାଉ ନାହିଁ, ଯୁଦ୍ଧ ସ୍ମାରକୀ ମଶାଲରେ ମିଶ୍ରଣ କରାଯାଉଛି

ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍‌ରେ ଗତ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତିକୁ ଶୁକ୍ରବାର ଦିନ ଜାତୀୟ ଯୁଦ୍ଧ ସ୍ମାରକୀ ଠାରେ ଥିବା ମଶାଲରେ ମିଶ୍ରଣ କରାଯିବ। ଅମର ଯବାନ ଜ୍ୟୋତିର ଏକ ଅଂଶ ଯୁଦ୍ଧ ସ୍ମାରକକୁ ନିଆଯିବ | ଏହି ପଦକ୍ଷେପକୁ ବିରୋଧୀ ତୀବ୍ର ସମାଲୋଚନା କରିଛନ୍ତି। ଏହି ବିବାଦ ମଧ୍ୟରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଛନ୍ତି । ସରକାର କହିଛନ୍ତି ଯେ ଅମର ଯବାନ ଜ୍ୟୋତିକୁ ନେଇ ଅନେକ ଭୁଲ ଖବର ପ୍ରଚାର କରାଯାଉଛି।

କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି ଯେ, “ଅମର ଯବାନ ଜ୍ୟୋତିର ମଶାଲ ଲିଭାଯାଉ ନାହିଁ ବରଂ ଏହାକୁ ଜାତୀୟ ଯୁଦ୍ଧ ସ୍ମାରକୀରେ ଜ୍ୟୋତି ସହିତ ମିଶ୍ରଣ କରାଯାଉଛି। ଏହା ଏକ ଅଜବ କଥା ଯେ ଅମର ଯବାନ ଜ୍ୟୋତିର ମଶାଲ ୧୯୭୧ ଓ ଅନ୍ୟ ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଥିଲା, କିନ୍ତୁ ସେଠାରେ ସେମାନଙ୍କର କୌଣସି ନାମ ଉଲ୍ଲେଖ କରାଯାଇନଥିଲା। ”

୧୯୭୧ର ଭାରତ-ପାକ୍ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତି ପ୍ରତିଷ୍ଠା କରାଯାଇଥିଲା | ଏହି ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା ଏବଂ ବାଂଲାଦେଶର ସୃଷ୍ଟି ହୋଇଥିଲା। ୨୬ ଜାନୁଆରୀ ୧୯୭୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ଉଦଘାଟନ କରିଥିଲେ।

୧୯୭୧ ଯୁଦ୍ଧ ସମେତ ସ୍ୱାଧୀନତା ପରବର୍ତ୍ତୀ ଯୁଦ୍ଧରେ ମୃତ୍ୟୁବରଣ କରିଥିବା ସମସ୍ତ ଭାରତୀୟ ସୈନିକଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକୀରେ ରଖାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ତେଣୁ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ସୈନିକମାନଙ୍କ ସମ୍ମାନରେ ସେଠାରେ ଜ୍ୟୋତିକୁ ରଖାଯିବା ହିଁ ସହିଦ ଯବାନଙ୍କୁ ପ୍ରକୃତ ‘ଶ୍ରଦ୍ଧାଞ୍ଜଳି’ ହେବ।

ଅମର ଯବାନ ଜ୍ୟୋତିକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଅସନ୍ତୋଷ ବ୍ୟକ୍ତ ଟ୍ୱିଟ୍ କରି କହିଛନ୍ତି, “ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଆମର ସାହସୀ ସୈନିକମାନଙ୍କ ପାଇଁ ଯେଉଁ ଅମର ଜ୍ୟୋତି ଜଳୁଥିଲା, ତାହା ଆଜି ଲିଭିଯିବ। ଜବାନ୍ ଜ୍ୟୋତି ପୁଣି ଥରେ ଜଳିବେ!”

Comments are closed.