ଆଇପିଏଲରୁ ଅବସର ଘୋଷଣା ନେଇ କରିଥିବା ଟ୍ବିଟ୍ ଡିଲିଟ୍ କଲେ ଅମ୍ବାତି ରାୟୁଡୁ

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସର ଭେଟେରାନ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ଆଇପିଏଲରୁ ଅବସର ଘୋଷଣା କରି ଏକ ଟ୍ବିଟ୍ କରିବା ପରେ ଏହାକୁ ଡିଲିଟ୍ କରିଦେଇଛନ୍ତି | ଏହା ପରେ ସେ ପ୍ରକୃତରେ ଅବସର ନେଉଛନ୍ତି କି ନାହିଁ ପ୍ରଶଂସକ ମାନଙ୍କ ମନରେ ପ୍ରଶ୍ନ ଉଠିଛି । ରାୟୁଡୁଙ୍କ ଟ୍ୱିଟ୍ ପରେ ଏବେ ଚେନ୍ନାଇ ସୁପର କିଙ୍ଗ୍ସରୁ ପ୍ରତିକ୍ରିୟା ଆସିଛି |

ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କାଶୀ ବିଶ୍ୱନାଥ ଅମ୍ବାତି ରାୟୁଡୁଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ରାୟଡୁ ଅବସର ନେଉନାହାଁନ୍ତି। ସେ କହିଛନ୍ତି, ବୋଧହୁଏ ରାୟୁଡୁ ତାଙ୍କ ପ୍ରଦର୍ଶନରେ ଖୁସି ନଥିଲେ ଏବଂ ହତାଶାରେ ଏଭଳି ଟ୍ବିଟ୍ କରିଦେଇଥିବେ | ସେ ଆମ ସହିତ ରହିବେ | ସେ ସ୍ପଷ୍ଟ କରିଛନ୍ତି ଯେ ରାୟୁଡୁ ଆସନ୍ତା ସିଜନରେ ମଧ୍ୟ ଦଳ ପାଇଁ ଖେଳିବେ ବୋଲି ବିଶ୍ବନାଥ କହିଛନ୍ତି।

ଅମ୍ବାତି ରାୟୁଡୁ ଶନିବାର ଅପରାହ୍ନ ୧୨ ଟା ୪୬ ମିନିଟରେ ଅବସର ନେବାକୁ ଟ୍ୱିଟ୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, ‘ମୁଁ ଏହା ଘୋଷଣା କରି ଖୁସି ଯେ ଏହା ମୋର ଶେଷ ଆଇପିଏଲ୍ ହେବ। ୧୩ ବର୍ଷ ମଧ୍ୟରେ ମୁଁ ଏହି ଲିଗରେ ଖେଳିଛି, ଦୁଇଟି ମହାନ ଦଳ ସହିତ ମୋର ବହୁତ ଭଲ ସମୟ ବିତିଛି | ଏକ ଚମତ୍କାର ଯାତ୍ରା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସକୁ ଆନ୍ତରିକ ଧନ୍ୟବାଦ ଦେବାକୁ ଚାହିଁବି |” ପରେ ରାୟୁଡୁ ଏହି ଟ୍ବିଟକୁ ଡିଲିଟ୍ କରିଦେଇଥିଲେ ।

ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ ସିଜନ୍ ନୈରାଶ୍ୟଜନକ ରହିଛି | ଦଳ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି । ଟୁର୍ଣ୍ଣାମେଣ୍ଟ ଇତିହାସରେ ମହେନ୍ଦ୍ର ସିଂ ଧୋନିଙ୍କ ଦଳ କେବଳ ଦ୍ବିତୀୟ ଥର ପାଇଁ ପ୍ଲେ ଅଫରେ ପ୍ରବେଶ କରିବାରେ ବିଫଳ ହୋଇଛି । ଏହା ପୂର୍ବରୁ ୨୦୨୦ ରେ ୟୁଏଇରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ଦଳ ପ୍ଲେ ଅଫ୍ ରେ ପହଞ୍ଚି ପାରିନଥିଲା | ଏହି ସିଜନରେ ଖେଳାଯାଇଥିବା ୧୦ଟି ଇନିଂସରେ ରାୟୁଡୁ ହାରାହାରି ୨୭ ଆଭରେଜ୍ ଓ ୧୨୪ ଷ୍ଟ୍ରାଇକ୍ ରେଟ୍ ସହ ୨୭୧ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ବ୍ୟାଟରୁ କେବଳ ଗୋଟିଏ ଅର୍ଦ୍ଧଶତକ ଆସିଛି |

Comments are closed.