ମହିଳାଙ୍କ ଉପରେ ଆପତ୍ତିଜନକ ବୟାନ ନେଇ ନୀତିଶଙ୍କୁ ଆମେରିକୀୟ ଗାୟିକା ମେରି ମିଲବେନଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ବିହାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣରେ ଶିକ୍ଷା ଓ ମହିଳାଙ୍କ ଭୂମିକା ସମ୍ପର୍କରେ ଆଲୋଚନା ବେଳେ ଆପତ୍ତିଜନକ ଭାଷା ବ୍ୟବହାର ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମାଲୋଚନାର ପାତ୍ର ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତେ ନୀତିଶଙ୍କୁ ଭର୍ତ୍ସନା କରିଛନ୍ତି । ଏବେ ଆଫ୍ରିକୀୟ-ଆମେରିକୀୟ ଅଭିନେତ୍ରୀ ତଥା ଗାୟିକା ମେରି ମିଲବେନ ମଧ୍ୟ ନୀତୀଶ କୁମାରଙ୍କୁ ସମାଲୋଚନା କରିଛନ୍ତି ।

ଗାୟିକା ମେରି ମିଲବେନ କହିଛନ୍ତି ଯେ ଜଣେ ସାହସୀ ମହିଳା ଆଗକୁ ଆସି ବିହାରର ମୁଖ୍ୟମନ୍ତ୍ରୀ ପଦ ପାଇଁ ନିର୍ବାଚନ ଲଢ଼ିବା ଉଚିତ। ସିଏମ ନୀତିଶ କୁମାରଙ୍କ ବୟାନକୁ ସମାଲୋଚନା କରି ମେରି ମିଲବେନ କହିଛନ୍ତି, ଯଦି ସେ ଭାରତର ନାଗରିକ ହୋଇଥାନ୍ତେ ତେବେ ସେ ବିହାର ଯାଇ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିର୍ବାଚନ ଲଢ଼ିଥାନ୍ତେ।

ବିହାରରେ ନେତୃତ୍ୱ ନେବାକୁ ଜଣେ ମହିଳାଙ୍କୁ ସଶକ୍ତ କରିବାକୁ ମେରି ମିଲବେନ ବିଜେପିକୁ ଅନୁରୋଧ କରିଛନ୍ତି। ନୀତିଶଙ୍କ ବକ୍ତବ୍ୟ ବିରୋଧରେ ଏହା ମହିଳା ସଶକ୍ତିକରଣ ଏବଂ ବିକାଶର ପ୍ରକୃତ ଭାବନା ହେବ ବୋଲି ସେ କହିଛନ୍ତି। ସେ ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ‘ଯବାନ’ର‌ ଏକ ଡାଏଲଗ୍ ‘ଭୋଟ୍ ଦିଅ ପରିବର୍ତ୍ତନ ଆଣ’ ମଧ୍ୟ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିହାରର ମୁଖ୍ୟମନ୍ତ୍ରୀ ମଙ୍ଗଳବାର ରାଜ୍ୟ ବିଧାନସଭାରେ ମହିଳାଙ୍କ ଉପରେ ଆପତ୍ତିଜନକ ଭାଷା ବ୍ୟବହାର କରିବା ପରେ ବିବାଦ ଉଠିଥିଲା। ବିହାର ବିଧାନସଭାର ଶୀତକାଳୀନ ଅଧିବେଶନରେ ସିଏମ ନୀତିଶ କୁମାର ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ନାରୀଶିକ୍ଷା ଉପରେ ଗୁରୁତ୍ୱାରୋପ କରିବାକୁ ଯାଇ ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ । ନୀତିଶ କହିଥିଲେ ଯେ ଯୌନକ୍ରିୟା ସମୟରେ ଶିକ୍ଷିତା ଝିଅ ଶେଷ ମୁହୂର୍ତ୍ତରେ ନିଜ ସ୍ବାମୀଙ୍କୁ ଅଟକାଇଥାନ୍ତି । ତେଣୁ ଝିଅମାନେ ଶିକ୍ଷିତା ହେଲେ ଜନ୍ମ ନିୟନ୍ତ୍ରଣ ସମ୍ଭବ ହୋଇପାରିବ । ନୀତିଶଙ୍କ ଏଭଳି ଭାଷଣ ବେଳେ ତାଙ୍କ ଦଳର ସଦସ୍ୟଙ୍କ ସହ ବିଧାନସଭାରେ ଉପସ୍ଥିତ ଅନେକ ମହିଳା ସଦସ୍ୟ ଅସହଜ ମନେ କରିଥିଲେ । ନିଜ ଭାଷଣକୁ ନେଇ ବିବାଦ ପରେ ନୀତିଶ ପରେ କ୍ଷମା ମାଗିଥିଲେ। ମହିଳାମାନଙ୍କ ଉପରେ ଅଶାଳୀନ ଭାଷା ବ୍ୟବହାର କରି ନୀତିଶ କୁମାର ଦେଶ ବାହାରେ ମଧ୍ୟ ଲୋକଙ୍କ ରୋଷର ଶିକାର ହୋଇଛନ୍ତି।

Comments are closed.