ମୋଦୀଙ୍କୁ ଫସାଇବାକୁ ସିବିଆଇ ମୋ’ ଉପରେ ଚାପ ପକାଇଥିଲା‌: ଅମିତ ଶାହ

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ଶାସନ କାଳରେ ସିବିଆଇ ତାଙ୍କୁ ଏକ ନକଲି ଏନକାଉଣ୍ଟର ମାମଲାରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫସାଇବାକୁ ଚାପ ପକାଇଥିଲା‌ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦାବି କରିଛନ୍ତି ।

ମୋଦୀ ସରକାର କେନ୍ଦ୍ରୀୟ ସଂସ୍ଥା ଗୁଡିକର ଅପବ୍ୟବହାର କରୁଛନ୍ତି ବୋଲି ବିରୋଧୀ ଦଳଙ୍କ ଅଭିଯୋଗ ସମ୍ପର୍କରେ ପ୍ରଶ୍ନ କରାଯିବା ପରେ ଅମିତ ଶାହ ବୁଧବାର ଏକ କାର୍ଯ୍ୟକ୍ରମରେ ଏପରି କହିଛନ୍ତି ।

ଅମିତ ଶାହା କହିଛନ୍ତି, “କେନ୍ଦ୍ରୀୟ ସଂସ୍ଥା ଗୁଡିକର କିପରି ଅପବ୍ୟବହାର ହୁଏ ତାହା ମୁଁ ଆପଣଙ୍କୁ କହିବି। ମୁଁ ନିଜେ ଏହାର ଶିକାର ହୋଇଥିଲି। କଂଗ୍ରେସ ଆମ ବିରୋଧରେ କୌଣସି ଦୁର୍ନୀତି ମାମଲା ରୁଜୁ କରିନଥିଲା । ଏକ ନକଲି ଏନକାଉଣ୍ଟର ମାମଲା ଥିଲା । ସେତେବେଳେ ମୁଁ ରାଜ୍ୟ (ଗୁଜରାଟ) ଗୃହମନ୍ତ୍ରୀ ଥିଲି। ମୋ ଉପରେ ମାମଲା ରୁଜୁ ହୋଇଥିଲା । ସିବିଆଇ ମୋତେ ଗିରଫ କରିଥିଲା। ”

ଶାହା କହିଛନ୍ତି, “ଗିରଫ ପରେ ସିବିଆଇର ୯୦% ପ୍ରଶ୍ନ ଥିଲା – ଆପଣ କାହିଁକି ଅସୁବିଧାରେ ପଡ଼ୁଛନ୍ତି, ମୋଦୀଙ୍କ ନାମ ନିଅନ୍ତୁ, ଆପଣଙ୍କୁ ଛାଡ଼ିଦେବୁ ।”

ଆମେ ତ ସେତେବେଳେ କଳା ପୋଷାକ ପିନ୍ଧି ବିରୋଧ କରିନଥିଲୁ ବୋଲି ଶାହା କହିଛନ୍ତି ।

“ମୋଦୀ ଜିଙ୍କ ବିରୋଧରେ, ଏକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏସଆଇଟି ଗଠନ କରାଯାଇଥିଲା। କୌଣସି ଦୁର୍ନୀତି ମାମଲା ନଥିଲା। ଦଙ୍ଗାରେ ସମ୍ପୃକ୍ତି ମାମଲା ମଧ୍ୟ ନକଲି ଥିଲା, ଯାହାକୁ ଶେଷରେ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଆମେ ସେତେବେଳେ ହୋହଲ୍ଲା କରିନଥିଲୁ। ”

ଉଲ୍ଲେଖଯୋଗ୍ୟ, ଇଡି-ସିବିଆଇର ଅପବ୍ୟବହାର ଅଭିଯୋଗ କରି ନିକଟରେ ୧୭ ବିରୋଧୀ ଦଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କେନ୍ଦ୍ରୀୟ ସଂସ୍ଥାଙ୍କୁ ଲଗାଇ ବିରୋଧୀ ଦଳ ନେତାଙ୍କୁ ଅଯଥାରେ ଗିରଫ କରାଯାଉଛି ବୋଲି ସେମାନେ ନିଜ ପିଟିସନରେ ଦାବି କରିଥିଲେ । ବିରୋଧୀ ଦଳଙ୍କ ଏହି ଆବେଦନର ଶୁଣାଣି ଏପ୍ରିଲ ୫ରେ ହେବ ।

Comments are closed.