ଅମିତ ଶାହଙ୍କ ବଡ଼ ଘୋଷଣା, କହିଲେ ଦେଶରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ | News Room Odisha

ଅମିତ ଶାହଙ୍କ ବଡ଼ ଘୋଷଣା, କହିଲେ ଦେଶରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ

କୋଲକାତା: ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବ । ଏହାକୁ କେହି ରୋକି ପାରିବେ ନାହିଁ ବୋଲି ଏଠାରେ ଏକ ରାଲିରେ କହିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଦଳର ଲୋକସଭା ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବା ସହ ବୁଧବାର ଏଠାରେ ଏକ ବିଶାଳ ଦଳୀୟ ରାଲିକୁ ସମ୍ବୋଧିତ କରିଥିଲେ ଶାହ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିଲେ । ଅନୁପ୍ରବେଶ, ତୁଷ୍ଟିକରଣ, ଦୁର୍ନୀତି ଏବଂ ରାଜନୈତିକ ହିଂସା ଭଳି ପ୍ରସଙ୍ଗରେ ମମତା ବାନାର୍ଜୀଙ୍କୁ ତୀବ୍ର ଆକ୍ରମଣ କରିଥିଲେ ଶାହ । ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ଟିଏମସି ସରକାରକୁ ଉପାଡ଼ି ଫିଙ୍ଗି ବିଜେପିକୁ ସୁଯୋଗ ଦେବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ରାଲିରେ ଲୋକଙ୍କ ଭିଡ଼ ନେଇ ଖୁସି ବ୍ୟକ୍ତ କରି ଶାହ ଦାବି କରିଥିଲେ ଯେ ୨୦୨୬ରେ ଦୁଇ ତୃତୀୟାଂଶ ବହୁମତ ସହ ରାଜ୍ୟରେ କ୍ଷମତାକୁ ଆସିବ ବିଜେପି।

ଶାହା କହିଥିଲେ ପଶ୍ଚିମବଙ୍ଗରେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ବିଧାନସଭା ନିର୍ବାଚନ ବିଜୟର ମୂଳଦୁଆ ପକାଇବ।

ବିବାଦୀୟ ସିଏଏ ବିଷୟରେ ଉଲ୍ଲେଖ କରି ଶାହା କହିଥିଲେ ମମତା ବାନାର୍ଜୀ ଏହାକୁ ବିରୋଧ କରୁଛନ୍ତି । କିନ୍ତୁ ଏହାକୁ ଲାଗୁ କରିବାରୁ କେହି ରୋକି ପାରିବେ ନାହିଁ। ବିରୋଧୀ ଦଳର ତୀବ୍ର ବିରୋଧ ଯୋଗୁଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହି ଆଇନର ରୂପରେଖ ଚୂଡ଼ାନ୍ତ କରିନାହାଁନ୍ତି।

ଅମିତ ଶାହ ଐତିହାସିକ ଏସପ୍ଲାନେଡରେ ଦଳୀୟ ରାଲିକୁ ସମ୍ବୋଧିତ କରୁଥିଲେ।

ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟର ୪୨ଟି ଆସନ ମଧ୍ୟରୁ ୧୮ଟି ଜିତିଥିଲା ।